ମାଲେସୀୟ ଜାହାଜ ‘ଜିନ ୱା’ରୁ ତେଲ କଢାଯିବ

ମାଲେସୀୟ ଜାହାଜ ‘ଜିନ ୱା’ରୁ ତେଲ କଢାଯିବ

ମାଲେସୀୟ ଜାହାଜ  ‘ଜିନ ୱା’ରୁ ତେଲ କଢାଯିବ
ଚିଲିକା: ଶେଷରେ ଯେଉଁ ଆଶଙ୍କା କରାଯାଉଥିଲା ତାହା ସତ୍ୟ ହେବାକୁ ଯାଉଛି । ଚିଲିକା ନିକଟ ରାଜହଂସରେ ଫସି ରହିଥିବା ମାଲେସୀୟ ଜାହାଜ ‘ଜିନ ୱା’ରୁ ତେଲ କଢାଯିବ । ତେଲ କାଢିବା ପାଇଁ ସମ୍ପୃକ୍ତ ଜାହାଜ ମାଲିକଙ୍କ ସହ ଜିଲ୍ଲା ପ୍ରଶାସନର ଆଲୋଚନା ହୋଇଥିବା ଜଣାଯାଇଛି । ଗତ ୨ ଦିନ ତଳେ ଏହି ଆଲୋଚନା ହୋଇଥିବା ବାଣିଜ୍ୟ ଓ ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରା ସୂଚନା ଦେଇଛନ୍ତି । ବାଂଲାଦେଶରୁ ମାଲ କାଢି ଫେରିବା ବେଳେ ବାଟବଣା ହୋଇ ଚିଲିକା ନିକଟ ରାଜହଂସରେ ଫସି ରହିଥିବା ଉକ୍ତ ଜାହାଜରୁ କିଭଳି ତେଲ କଢାଯିବ ସେ ନେଇ ଜାହାଜ ମାଲିକଙ୍କ ସହ ଜିଲ୍ଲା ପ୍ରଶାସନର ଆଲୋଚନା ହୋଇଥିବା ମନ୍ତ୍ରୀ ଶ୍ରୀ ବେହେରା ସୂଚନା ଦେଇଛନ୍ତି । ପୂର୍ବରୁ ମନ୍ତ୍ରୀ ଶ୍ରୀ ବେହେରା ଦୃଢୋକ୍ତି ପ୍ରକାଶ କରି କହିଥିଲେ ଯେ, ଚିଲିକା କୂଳରୁ ଖୁବଶୀଘ୍ର ଉକ୍ତ ଜାହାଜକୁ ସ୍ଥାନାନ୍ତର କରାଯିବ । ଜଳପଥରେ ଉକ୍ତ ଜାହାଜକୁ ସ୍ଥାନାନ୍ତର କରାଯିବ । ଉକ୍ତ ଜାହାଜରୁ ତେଲ ଲିକ ହେବାର କୌଣସି ସମ୍ଭାବନା ନଥିବା ମନ୍ତ୍ରୀ ଶ୍ରୀ ବେହେରା କହିଥିଲେ । ତେବେ ବର୍ତ୍ତମାନ ପରିସ୍ଥିତି ଧୀରେ ଧୀରେ ବିଗିଡ଼ୁଥିବାରୁ ଜାହାଜରୁ ତେଲ କାଢିବା ପାଇଁ ନିଷ୍ପତ୍ତି ନିଆଯାଇଥିବା ସୋମବାର ମନ୍ତ୍ରୀ ଶ୍ରୀ ବେହେରା କହିଛନ୍ତି । ଏଠାରେ ଉଲ୍ଲେଖ ଯୋଗ୍ୟ ଗତ ଅଗଷ୍ଟ ୭ ତାରିଖ ଠାରୁ ଉକ୍ତ ଜାହାଜଟି ଚିଲିକା ନିକଟ ରାଜହଂସରେ ଅତି ବିପଦସଙ୍କୁଳ ଅବସ୍ଥାରେ ରହିଛି । ଯେ କୌଣସି ସମୟରେ ଉକ୍ତ ଜାହାଜରୁ ତେଲ ଲିକ ହେବାର ସମ୍ଭାବନା ରହିଛି । ଏପରି ହେଲେ ଜୈବବିବିଧତା ଉପରେ ଏହାର କୁପ୍ରଭାବ ପଡ଼ିବ ।