ମାଷ୍ଟର ସେଫ-୬ରେ ଓଡ଼ିଆ ପୁଅ ଅବିନାଶଙ୍କ ବାଜିମାତ
ମାଷ୍ଟର ସେଫ-୬ରେ ଓଡ଼ିଆ ପୁଅ ଅବିନାଶଙ୍କ ବାଜିମାତ
admin
Feb 17, 2020 - 08:51
Updated: Feb 17, 2020 - 08:51
ବ୍ରହ୍ମପୁର : ଜାତୀୟ ଟେଲିଭିଜନ ସଂସ୍ଥା "ଷ୍ଟାର ପ୍ଲସ'ରେ ପ୍ରସାରିତ "ମାଷ୍ଟର ସେଫ ସିଜନ-୬'ରେ ବାଜିମାତ କରିଛନ୍ତି ଓଡ଼ିଆ ପୁଅ ଅବିନାଶ ନାୟକ । ଗଞ୍ଜାମ ଜିଲ୍ଲା ଆସିକା ସହର ଉପକଣ୍ଠ କାଳଷଣ୍ଢପୁର ଗ୍ରାମର ମୂଳବାସିନ୍ଦା ୨୭ ବର୍ଷୀୟ ଅବିନାଶ ଏହି ରିୟଲିଟି ସୋ ଫାଇନାଲ ରାଉଣ୍ଡରେ ଅନ୍ୟ ପ୍ରତିଯୋଗୀଙ୍କୁ ପଛରେ ପକାଇ ବିଜୟୀ ହୋଇଛନ୍ତି । ଏନେଇ ମହାରାଷ୍ଟ୍ରର "ମୁମ୍ବାଇ ଲାଇଭ' ଏକ ଗଣମାଧ୍ୟମ ସଂସ୍ଥା ସୋସିଆଲ ମିଡ଼ିଆରେ ଖବର ପ୍ରସାରଣ କରିଛି । ତେବେ ଏହି ସୋ'ର ଶେଷ ଏପିସୋଡ ମାର୍ଚ୍ଚ ୨ ତାରିଖରେ ପ୍ରସାରଣ ହେବାକୁ ଥିବାରୁ ଏନେଇ କିଛି ସ୍ପଷ୍ଟ ହୋଇପାରିନି ।
ଅବିନାଶ ଏହି ସୋ'ରେ ଅଂଶଗ୍ରହଣ କରି ଗୋଟିଏ ପରେ ଗୋଟିଏ ସଫଳତାର ପାହାଚ ଚଢ଼ିଥିଲେ । ଟେଲିକମୁ୍ୟନିକେସନ ଇଞ୍ଜିନିୟରିଂ ପଢ଼ା ସାରି ହାଇଦ୍ରାବାଦ ଇନଫୋସିସରେ ଇଞ୍ଜିନିୟର ଭାବେ ଚାକିରି କରୁଥିବା ଅବିନାଶ ଏହି ସୋ'ରେ ଭାଗ ନେଇ ଚିକେନ ବେସର ଚଖାଇ ଉପସ୍ଥିତ ୩ ଜଣ ବିଚାରକ ବିକାଶ ଖାନ୍ନା, ରଣବୀର ବରାର ଏବଂ ଭିନିତ ଭାଟିଆଙ୍କୁ ଚକିତ କରି ଦେଇଥିଲେ । ଅଡ଼ିସନ ରାଉଣ୍ଡକୁ ମନୋନୀତ ହୋଇ ଆପ୍ରନ ପାଇବା ପରେ ମାଷ୍ଟର ସେଫର ଲୋଗୋ ପାଇଥିଲେ । ଏହାସହ ଅନ୍ୟ ରାଉଣ୍ଡରେ ବି ଅବିନାଶ ତାଙ୍କ ହାତରନ୍ଧାର ଯାଦୁ ଦେଖାଦେଇଥିଲେ । ପୂର୍ବରୁ ସେ ଲୋକିକୁକସ ଫେଲୋସିପ ୨୦୧୯ ପୁରସ୍କାର ହାତେଇଥିବା ବେଳେ ଗତବର୍ଷ ହଳଦିରାମ ପକ୍ଷରୁ ଆୟୋଜିତ ଏକ ରାନ୍ଧଣା ପ୍ରତିଯୋଗିତାରେ ଶୀର୍ଷ ୧୫ ଜଣଙ୍କ ମଧ୍ୟରେ ରହିଥିଲେ । ଏହି ମେଗା ସୋ'ରେ ଅବିନାଶ ବିଜୟୀ ହୋଇଥିବା ନେଇ ବିଭିନ୍ନ ସୋସିଆଲ ମିଡିଆରେ ଖବର ଭାଇରାଲ ହୋଇଛି । ତେବେ ରାଜ୍ୟବାସୀ ଆନୁଷ୍ଠାନିକ ଭାବେ ଫଳାଫଳ ଘୋଷଣାକୁ ଉକ୍ରଣ୍ଠାର ସହ ଅପେକ୍ଷା କରିଛନ୍ତି ।