ମୁମ୍ବାଇରେ ଆଉ ଏକ ନିର୍ଭୟାକାଣ୍ଡ
ମୁମ୍ବାଇରେ ଆଉ ଏକ ନିର୍ଭୟାକାଣ୍ଡ

ଭୁବନେଶ୍ୱର: ଦିଲ୍ଲୀ ନିର୍ଭୟା ଘଟଣାକୁ ଏ ଦେଶ କେବେ ବି ଭୁଲିପାରିନି । ଏ ଚର୍ଚ୍ଚା ଯେତେବେଳେ ବି ହୁଏ, ମୁଣ୍ଡ ତଳକୁ ହୋଇଯାଏ । ଏବେ ମୁମ୍ବାଇରେ ବି ନିର୍ଭୟା ଭଳି ଘଟଣା ଘଟିଛି । ଦୁଷ୍କର୍ମ ପରେ ମହିଳାଙ୍କ ଗୁପ୍ତାଙ୍ଗରେ ଦୁଷ୍କର୍ମକାରୀ ରଡ୍ ପୂରାଇ ଦେଇଛନ୍ତି । ମହିଳାଙ୍କ ଅବସ୍ଥା ଗୁରୁତର ରହିଛି । ସେ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି । ଜଣେ ଅଭିଯୁକ୍ତକୁ ପୁଲିସ ଗିରଫ କରିଛି । ତେବେ ଏହି ଘଟଣା ପୁଣି ଥରେ ସଭ୍ୟ ସମାଜର ମୁଣ୍ଡ ତଳକୁ କରିଦେଇଛି ।
ଏହି ଛାତିଥରା ଘଟଣାଟି ଘଟିଛି ମୁମ୍ବାଇର ସାକିନାକାରେ । ଶୁକ୍ରବାର ବିଳମ୍ବିତ ରାତିରେ ମୁମ୍ବାଇ ପୁଲିସକୁ ଏକ ଫୋନ୍ ଆସିଥିଲା । ଜଣେ ୩୨ ବର୍ଷୀୟ ମହିଳାଙ୍କୁ ଦୁଷ୍କର୍ମ କରାଯାଇଥିବା ଅଭିଯୋଗ ହୋଇଛି । ତାଙ୍କୁ ଖଇରାନି ରୋଡରେ ଫିଙ୍ଗି ଦିଆଯାଇଥିଲା । ରକ୍ତ ଜୁଡ଼ୁବୁଡ଼ୁ ଅବସ୍ଥାରେ ପୁଲିସ ମହିଳାଙ୍କୁ ଉଦ୍ଧାର କରି ହସ୍ପିଟାଲ ନେଇଥିଲା । ଘଟଣାସ୍ଥଳରେ ପୁଲିସ ଯେଉଁଭଳି ଅବସ୍ଥାରେ ମହିଳାଙ୍କୁ ଉଦ୍ଧାର କରିଥିଲା, ତାହା ପୁଲିସ କର୍ମଚାରୀଙ୍କ ହୋସ୍ ଉଡ଼ାଇ ଦେଇଥିଲା । ଘଟଣାର କେଇ ଘଣ୍ଟା ଭିତରେ ପୁଲିସ ଅଭିଯୁକ୍ତ ମୋହନ ଚୌହ୍ୱାନ (୪୫)କୁ ଗିରଫ କରିଛି । ତେବେ ମୋହନ ସହ ଆଉ କିଏ ଏହି ଘଟଣାରେ ସଂପୃକ୍ତ, ସେ ନେଇ ଖୋଳତାଡ଼ ଚଳାଇଛି ପୁଲିସ । ଏ ଘଟଣାରେ ପୁଲିସକୁ ଏକ ସିସିଟିଭି ଫୁଟେଜ ମିଳିଛି । ଏହି ଫୁଟେଜ ପୁଲିସ ତଦନ୍ତରେ ବେଶ ଗୁରୁତ୍ୱପୂର୍ଣ୍ଣ ହେବ ବୋଲି କୁହାଯାଉଛି । ହସ୍ପିଟାଲରେ ଚିକିତ୍ସିତ ମହିଳା ସ୍ୱାସ୍ଥ୍ୟବସ୍ଥା ସ୍ଥିର ରହିଛି ।
ପୀଡ଼ିତା ମହିଳାଙ୍କୁ ଉଚିତ୍ ନ୍ୟାୟ ଦେବା ସହ ସୁରକ୍ଷା ଦେବାକୁ ଦାବି ହୋଇଛି । ମୁମ୍ବାଇର ଏହି ଘଟଣା ପୁଣି ଥରେ ମନ ଭିତରେ ୨୦୧୨ ଡିସେମ୍ବରରେ ଘଟିଥିବା ଦିଲ୍ଲୀର ନିର୍ଭୟା ଘଟଣାକୁ ମନେପକାଇ ଦେଇଛି ।