ମୂର୍ତ୍ତି ଉଚ୍ଚତା ବିବାଦ ଥମୁନି
ମୂର୍ତ୍ତି ଉଚ୍ଚତା ବିବାଦ ଥମୁନି

ଭୁବନେଶ୍ୱର: ସରକାର ସ୍ପଷ୍ଟ କରିଦେଲେ, ୪ ଫୁଟରୁ ଅଧିକ ଉଚ୍ଚତା ମୂର୍ତ୍ତି ହୋଇପାରିବନି । ପାର୍ବଣ ନିରାଡ଼ମ୍ବର ହେବ । ଅଗଷ୍ଟ ୯ରେ ଯାହା କଟକଣା ଜାରି ହୋଇଥିଲା, ତାହା ବଳବତ୍ତର ରହିବ । କରୋନା ସଂକ୍ରମଣ ବଢ଼ିବା ଆଶଙ୍କା ନେଇ ସରକାର ଏଭଳି କଟକଣା ବଳବତ୍ତର ରଖିବାକୁ ନିଷ୍ପତ୍ତି ନେଇଥିବା ସ୍ପଷ୍ଟ କରିଛନ୍ତି ସ୍ୱତନ୍ତ୍ର ରିଲିଫ୍ କମିଶନର ପ୍ରଦୀପ କୁମାର ଜେନା । ମାତ୍ର ସରକାରଙ୍କ ଏ ନିଷ୍ପତ୍ତି ପରେ ବି ବିବାଦ ଥମୁନି । ପୂଜା କମିଟି, ଶାନ୍ତି କମିଟି ଓ ବିଭିନ୍ନ ସଂଗଠନ ଏଥିରେ ପ୍ରାୟତଃ ଖୁସି ନାହାନ୍ତି । ସରକାରଙ୍କ ନିଷ୍ପତ୍ତି ଉପରେ ତଜର୍ମା କରିବାକୁ ଆଜି ବିଭିନ୍ନ ପୂଜା କମିଟିର ବୈଠକ ଡକାଯାଇଛି । ଅନ୍ୟପକ୍ଷେ ସରକାରଙ୍କ ପାଖରେ ମୂର୍ତ୍ତି ଉଚ୍ଚତା ବୃଦ୍ଧି ନେଇ ଆବେଦନ କରିବାକୁ ବିଚାର ବିମର୍ଷ ଚଳାଇଛନ୍ତି ବିଭିନ୍ନ ନେତା ଓ ଜନପ୍ରତିନିଧି ।
ପାର୍ବଣରେ ମୂର୍ତ୍ତି କୁ ନେଇ ଥିବା କଟକଣାକୁ ଗ୍ରହଣ କରିପାରୁନାହାନ୍ତି କଟକ ସହରର ବିଭିନ୍ନ ପୂଜା କମିଟି ଓ ସଂଗଠନ । କଟକରେ ଏହା ପ୍ରତିବାଦରେ ବିଜେପି ଆସନ୍ତା ୧୩ ତାରିଖ ବନ୍ଦ ଡାକରା ଦେଇଛି । ଶାସକ ଦଳର ବିଧାୟକମାନେ ମଧ୍ୟ ସରକାରଙ୍କ ନିଷ୍ପତ୍ତକୁ ଖୋଲାଖୋଲି ସମର୍ଥନ କରିପାରୁନାହାନ୍ତି । ସ୍ଥାନୀୟ ଲୋକଙ୍କ ଭାବନା ଓ ଆବେଗକୁ ସବୁ ଦଳ ଏବେ ସମର୍ଥନ ଜଣାଇଛନ୍ତି । ଏମିତି ପରିସ୍ଥିତିରେ ଆଜି କଟକ ଓ ଭୁବନେଶ୍ୱରର ବିଭିନ୍ନ ପୂଜା କମିଟିମାନଙ୍କର ବୈଠକ ଡକାଯାଇଛି । ଏ ବୈଠକ ପରେ ଆଗାମୀ କାର୍ଯ୍ୟପନ୍ଥା ସ୍ପଷ୍ଟ ହେବ ।
ତେବେ ଗତକାଲି ଅପରାହ୍ନରେ ଏସଆରସି ଶ୍ରୀ ଜେନା କହିଥିଲେ, ଓନାମ ପର୍ବ ପାଳନ ପରେ କେରଳରେ କରୋନା ସଂକ୍ରମଣ ହୁ ହୁ ହୋଇ ବଢ଼ିଲା । କୁମ୍ଭମେଳା ପରେ ଦେଶରେ କରୋନା ବଢ଼ିଥିଲା । ଏସବୁରୁ ଆମେ ଶିକ୍ଷା ନେବା ଉଚିତ । ଏବେ ବି ଦ୍ୱିତୀୟ ଲହରୀ ସରିନି । ପ୍ରତିଦିନ ଶହଶହ ସଂକ୍ରମିତ ବାହାରୁଛନ୍ତି । ଆଗକୁ ତୃତୀୟ ଲହରୀ ଆଶଙ୍କା ଅଛି । ଏମିତିରେ ଆମେ ଆଦୌ ଅବହେଳା କରିବା ନାହିଁ । ନିରାଡ଼ମ୍ବର ଭାବେ କୋଭିଡ କଟକଣା ଭିତରେ ପାର୍ବଣ ପାଳିବାକୁ ହେବ ଏ ବର୍ଷ । ଭଗବାନଙ୍କୁ ପ୍ରାର୍ଥନା କରିବା, ଯେମିିତି ଆସନ୍ତାବର୍ଷକୁ ଜାକଜମକରେ ସବୁ ପାର୍ବଣ ପାଳିପାରିବା ।