ରଜ ପରେ +୨ ପରୀକ୍ଷା ଫଳ

ରଜ ପରେ +୨ ପରୀକ୍ଷା ଫଳ

ରଜ ପରେ  +୨ ପରୀକ୍ଷା ଫଳ
ଭୁବନେଶ୍ୱର: ରଜ ପରେ ପ୍ରକାଶ ପାଇବ +୨ ପରୀକ୍ଷା ଫଳ । ଆସନ୍ତା ୧୭ ତାରିଖ କିମ୍ବା ୧୮ ତାରିଖରେ +୨ କଳା ଓ ବାଣିଜ୍ୟ ଫଳ ପ୍ରକାଶ ପାଇବ ବୋଲି ସୂଚନା ଦେଇଛନ୍ତି ଗଣଶିକ୍ଷା ମନ୍ତ୍ରୀ ସମୀର ଦାଶ । ରାଜ୍ୟରେ ମୋଟ ୩,୬୫,୮୨୬ ଜଣ କଳା, ବିଜ୍ଞାନ, ବାଣିଜ୍ୟ ଓ ଧନ୍ଦାମୂଳକ ପରୀକ୍ଷା ଯୁକ୍ତ ଦୁଇ ପରୀକ୍ଷାର୍ଥି ପରୀକ୍ଷା ଦେଇଥିଲେ । ମେ ୧୦ ସୁଦ୍ଧା ଖାତା ମୂଲ୍ୟାୟନ ସରିଛି । ଜୁନ ୦୩ରେ ଯୁକ୍ତ ଦୁଇ ବିଜ୍ଞାନ ପରୀକ୍ଷା ଫଳ ପ୍ରକାଶ ପାଇଥିଲା । ତେବେ ଯୁକ୍ତ ଦୁଇ କଳା ଓ ବାଣିଜ୍ୟ ପରୀକ୍ଷା ଫଳ ରଜ ପରେ ପ୍ରକାଶ ପାଇବ । ଚଳିତ ମାସ ୧୪,୧୫,୧୬ ରଜ ଥିବାରୁ ୧୭ ଓ ୧୮ ତାରିଖରେ ପରୀକ୍ଷା ଫଳ ପ୍ରକାଶ କରିବାକୁ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ଲକ୍ଷ୍ୟ ରଖିଛି । ଏନେଇ ଗଣଶିକ୍ଷା ମନ୍ତ୍ରୀ ସମୀର ଦାଶ ସୂଚନା ଦେଇଛନ୍ତି । ଗତ ବର୍ଷ ଜୁନ ୯ ରେ ତିନୋଟି ବିଭାଗର ପରୀକ୍ଷା ଫଳ ପ୍ରକାଶ ପାଇଥିଲା । ଏଥର କିନ୍ତୁ ଗୋଟିଏ ସପ୍ତାହ ବିଳମ୍ବ ହେବ । ଜୁନ ଦ୍ୱିତୀୟ ସପ୍ତାହରେ ଫଳ ପ୍ରକାଶ ପାଇବ ବୋଲି ବିଜ୍ଞାନ ବିଭାଗ ଫଳ ପ୍ରକାଶ ବେଳେ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ କୁହାଯାଇଥିଲା । ତେବେ ଦ୍ୱିତୀୟ ସପ୍ତାହ ଅର୍ଥାତ ଜୁନ ୧୪ ଭିତରେ ରେଜଲ୍ଟ ପ୍ରକାଶ ପାଇବ ନାହିଁ । ଆହୁରି ବିଳମ୍ବ ହେବ ବୋଲି ଜଣାପଡ଼ିଛି । ବିଜ୍ଞାନ ବିଭାଗ ଛାତ୍ରଛାତ୍ରୀଙ୍କ ପରୀକ୍ଷା ଫଳ ପ୍ରକାଶ ପାଇଥିବାରୁ ସେମାନେ ମାର୍କସିଟ୍ ଓ ସାର୍ଟିଫିକେଟ ପ୍ରଦାନ ଉପରେ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ପ୍ରାଥମିକତା ଦେଉଛି । ଆଗକୁ ମେଡିକାଲ, ଇଞ୍ଜିନିୟରିଂ ପାଠ୍ୟକ୍ରମରେ ନାମ ଲେଖା ହେବାକୁ ଥିବାରୁ ବିଜ୍ଞାନ ବିଭାଗ ଛାତ୍ରଛାତ୍ରୀଙ୍କର ସାର୍ଟିଫିକେଟ୍ ଆବଶ୍ୟକତା ଅଧିକ ରହିଛି । ତେଣୁ ଜୁନ ୧୭ ତାରିଖ ସୁଦ୍ଧା ବିଦ୍ୟାଳୟ ଗୁଡ଼ିକରେ ସାର୍ଟିଫିକେଟ ପହଞ୍ଚିଯିବ । ତେଣୁ ଏହି ସମୟ ମଧ୍ୟରେ ଉକ୍ତ ତିନୋଟି ବିଭାଗର ପରୀକ୍ଷା ଫଳ ପ୍ରକାଶ ପାଇପାରିବ ନାହିଁ । ପରିଷଦର ଜଣେ ଅଧିକାରୀ କହିଛନ୍ତି ଯେ ଅଧ୍ୟାପକମାନେ ସହଯୋଗ କରିବାରୁ ଖାତା ମୂଲ୍ୟାୟନ ସୁଚାରୁ ରୂପେ ହୋଇଥିଲା । ଏବେ ପ୍ରୋସେସିଂ କାର୍ଯ୍ୟ ଜାରି ରହିଛି । କିଛି ପିଲାଙ୍କ ରୋଲ ନମ୍ବର, ପଞ୍ଜିକରଣ ନମ୍ବର, ଖାତା ସେଟ୍ ଆଦି ଲେଖିବାରେ ତ୍ରୁଟି ହୋଇଛି । ସେଗୁଡ଼ିକୁ ପୁଣିଥରେ ଯାଞ୍ଚ ହେଉଛି । ୩ ରୁ ୪ ଦିନ ମଧ୍ୟରେ ଯାଞ୍ଚ ପ୍ରକି୍ରୟା ଶେଷ ହେବ । ଏହାର ୪ ଦିନ ପରେ ପରୀକ୍ଷା ଫଳ ପ୍ରକାଶ ପାଇବ । ଅର୍ଥାତ ଜୁନ ୧୮ ରୁ ୨୧ ତାରିଖ ମଧ୍ୟରେ କଳା, ବାଣିଜ୍ୟ ଓ ଧନ୍ଦାମୂଳକ ଶିକ୍ଷା ବିଭାଗ ପରୀକ୍ଷାର୍ଥୀଙ୍କ ଫଳ ପ୍ରକାଶ ପାଇବ ବୋଲି ଅଧିକାରୀ ଜଣକ ସ୍ପଷ୍ଟ କରିଛନ୍ତି ।