ରାଜ୍ୟରେ ଉପରମୁହାଁ ତାତି, ଡହଳ ବିକଳ ଜନଜୀବନ
ଭୁବନେଶ୍ୱର: ରାଜ୍ୟବ୍ୟାପୀ ସବୁଠି ତାପମାତ୍ରା ଉପରମୁହାଁ ହୋଇଛି । ଗୁରୁବାର ୪ଟି ସ୍ଥାନରେ ତାପମାତ୍ରା ୩୯ ଡିଗ୍ରୀ ସେଲସିୟସ୍ ଟପିଛି । ମାଲକାନଗିରି ସର୍ବାଧିକ ୩୯.୫ ଡିଗ୍ରୀ ସେଲସିୟସ୍ ତାତିରେ ସିଝିଥିବାବେଳେ ଝାରସୁଗୁଡ଼ା ୩୯.୪, ବୌଦ୍ଧ ୩୯.୨ ଓ ରାଉରକେଲା ୩୯ ଡିଗ୍ରୀ ତାଉରେ କଲବଲ ହୋଇଛି । ଖାଲି ସେତିକି ନୁହେଁ, ରାଜ୍ୟର ୧୬ଟି ସହରରେ ତାପମାତ୍ରା ୩୭ ଡିଗ୍ରୀ ଉପରେ ଥିଲା । କେତେକ ଅଞ୍ଚଳରେ ଅପରାହ୍ନ ଓ ସନ୍ଧ୍ୟାରେ କାଳବୈଶାଖୀ ବର୍ଷା, ପବନ ଯୋଗୁ ଆଶ୍ୱସ୍ତି ମିଳିଛି । ଅପରାହ୍ଣରେ କଟକରେ ୪୦.୨ ମିଲିମିଟର ବର୍ଷା ଢାଳିଥିବାବେଳେ ଭୁବନେଶ୍ୱରର ଅନେକ ଅଞ୍ଚଳରେ ବର୍ଷା, ପବନ ହୋଇଛି । ଜଗତସିଂହପୁର, ନବରଙ୍ଗପୁର, ଯାଜପୁର, କେନ୍ଦ୍ରାପଡ଼ା, କେନ୍ଦୁଝରରେ ମଧ୍ୟ ବର୍ଷା ହୋଇଛି ।
ପାଣିପାଗ ବିଭାଗର ପୂର୍ବାନୁମାନ ହେଲା, ବର୍ତ୍ତମାନ ୪-୫ ଦିନ ପର୍ୟ୍ୟନ୍ତ ତାପମାତ୍ରାରେ ବିଶେଷ ପରିବର୍ତ୍ତନ ସମ୍ଭାବନା ନାହିଁ । ଅର୍ଥାତ୍ ଦିନବେଳା ଏଭଳି ଖରା ପ୍ରକୋପ ଅନୁଭୂତ ହେବ । ତେବେ ଦକ୍ଷିଣ ଓଡ଼ିଶାର ଅଳ୍ପ କେତେକ ସ୍ଥାନ ଓ ଉତ୍ତରର ଗୋଟିଏ ଦୁଇଟି ଜାଗାରେ ହାଲୁକାରୁ ମଧ୍ୟମ ବର୍ଷା ହୋଇପାରେ। ଗଞ୍ଜାମ, ରାୟଗଡ଼ା, ଗଜପତି, କନ୍ଧମାଳରେ କାଳବୈଶାଖୀ ପ୍ରଭାବରେ ଘଡ଼ଘଡ଼ି, କୁଆପଥ ମାଡ଼ ସହ ୪୦-୫୦ କିମି ବେଗରେ ପବନ ହୋଇପାରେ । ୮ ତାରିଖରେ ମଧ୍ୟ କେତେକ ଜାଗାରେ କାଳବୈଶାଖୀ ସମ୍ଭାବନା ଅଛି ।