ରାଜ୍ୟରେ ବସ ସ୍ୱାଭାବିକ ଚଳାଚଳ ପାଇଁ ମନ୍ତ୍ରୀ ଡାକିଲେ ବୈଠକ

ରାଜ୍ୟରେ ବସ ସ୍ୱାଭାବିକ ଚଳାଚଳ ପାଇଁ ମନ୍ତ୍ରୀ ଡାକିଲେ ବୈଠକ

ରାଜ୍ୟରେ ବସ ସ୍ୱାଭାବିକ ଚଳାଚଳ ପାଇଁ ମନ୍ତ୍ରୀ ଡାକିଲେ ବୈଠକ

ଭୁବନେଶ୍ୱର: ସାରା ରାଜ୍ୟରେ ବସ ଚଳାଚଳ ପାଇଁ ରାଜ୍ୟ ସରକାର ଅନୁମତି ଦେଇଛନ୍ତି । ଏହା ସତ୍ତ୍ୱେ ବି ବସ ସେବା  ସ୍ୱାଭାବିକ ହୋଇପାରୁନି । ବସ ମାଲିକ ସଂଘ ବିଭିନ୍ନ ଦାବିକୁ ନେଇ ବସ ଚଳାଚଳ ନକରିବାକୁ ନିଷ୍ପତ୍ତି ନେଇଛନ୍ତି । ତେବେ  ଏହି ସମସ୍ୟାର ସମାଧାନ ପାଇଁ ବିଭାଗୀୟ ମନ୍ତ୍ରୀ ପଦ୍ମନାଭ ବେହେରା  ଆସନ୍ତାକାଲି ଏକ  ବୈଠକ ଡାକିଛନ୍ତି ।  ଘରୋଇ ବସ ଚଳାଚଳ ନେଇ ଆସନ୍ତାକାଲି ମନ୍ତ୍ରୀଙ୍କ ସହ ବୈଠକ ପରେ ନିଷ୍ପତ୍ତି ନିଆଯିବ ବୋଲି  ରାଜ୍ୟ ଘରୋଇ ବସ ମାଲିକ ସଂଘ ସମ୍ପାଦକ ଦେବେନ୍ଦ୍ର ସାହୁ କହିଛନ୍ତି ।

ସେ କହିଛନ୍ତି ଯେ,  ଆସନ୍ତାକାଲି ବିଭାଗୀୟ ମନ୍ତ୍ରୀ ବୈଠକ ଡାକିଛନ୍ତି । ଏହା ପରେ ନିଷ୍ପତ୍ତି  ନେବୁ ।  ବର୍ତ୍ତମାନ ସ୍ଥିତିରେ ମାଲିକମାନେ ଚାହିଁଲେ ବି ବସ ଚଳାଇ ପାରୁନାହାନ୍ତି ବୋଲି  ରାଜ୍ୟ ଘରୋଇ ବସ ମାଲିକ ସଂଘ ସମ୍ପାଦକ ଦେବେନ୍ଦ୍ର ସାହୁ କହିଛନ୍ତି ।

ଅନ୍ୟପକ୍ଷରେ  ଆଜି ଭୁବନେଶ୍ୱର ବରମୁଣ୍ଡା ବସଷ୍ଟାଣ୍ଡରୁ କୌଣସି ବସ ଗଡ଼ିନାହିଁ । ବସ ଚାଲିବା ଆଶାରେ ଆସିଥିବା ଯାତ୍ରୀ ମାନେ ନିରାଶ ହୋଇ ଫେରିଛନ୍ତି । ଭୁବନେଶ୍ୱର ଘରୋଇ ବସ ମାଲିକ ସଙ୍ଘର ଆଜି ଜରୁରୀ ବୈଠକ ଅନୁଷ୍ଠିତ ହେବ । ବୈଠକରେ ଆଲୋଚନା ସହ ପରବର୍ତ୍ତୀ କାର୍ୟ୍ୟପନ୍ଥା ସମ୍ପର୍କରେ ନିଷ୍ପତ୍ତି ନିଆଯିବ । ବସ୍ ଚଳାଚଳ ନେଇ ପ୍ରତିକ୍ରିୟା ରଖଛନ୍ତି ପରିବହନ ମନ୍ତ୍ରୀ । ବସ ମାଲିକଙ୍କ କିଛି ଦାବି ରହିଛି । ସେ ସମ୍ପର୍କରେ ସରକାର ଓ ପରିବହନ ବିଭାଗ ଅବଗତ ରହିଛି । ଆସନ୍ତାକାଲି ଘରୋଇ ବସ ମାଲିକ ସଙ୍ଘର କର୍ମକର୍ତ୍ତାଙ୍କ ସହ ଆଲୋଚନା ପାଇଁ ଦିନ ଧାର୍ୟ୍ୟ ହୋଇଛି । ଆଲୋଚନା ପରେ ବସ ଚଳାଚଳ ସ୍ୱାଭାବିକ ହେବ ବୋଲି ଆଶା ଥିବା କହିଛନ୍ତି ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରା ।

ପ୍ରକାଶ ଯେ, ଆସନ୍ତା  ଅଗଷ୍ଟ ୧ ଯାଏଁ  ପୁଣି ଥରେ ଆଂଶିକ ଲକଡାଉନ ଘୋଷଣା କରାଯାଇଥିବା ବେଳେ ସାରା ରାଜ୍ୟରେ ବସ ସେବା ଚାଲୁ ରହିବ ।  ବସରେ ଯେତିକି ସିଟ ସେତିକି ଲୋକ ଯିବାକୁ ଅନୁମତି ମିଳିବ ।  କେବଳ ପୁରୀକୁ ଜୁଲାଇ ୨୫ ପର୍ଯ୍ୟନ୍ତ ବସ ଚଳାଚଳକୁ ବାରଣ କରାଯାଇଛି ।  ଟ୍ୟାକ୍ସି ଓ ଅଟୋ ରିକ୍ସା ସମଗ୍ର ରାଜ୍ୟରେ ଚଳାଚଳ କରିପାରିବ ।  ବଜାର ଯେତିକି ସମୟ ଖୋଲିବ, ସେତିକି ସମୟ ଟ୍ୟାକ୍ସି ଓ ଅଟୋ  ଚାଲିବ ବୋଲି ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର ସୂଚନା ଦେଇଥିଲେ ।  ଏହା ପୂର୍ବରୁ କେବଳ କାଟେଗୋରୀ ‘ଏ’ରେ ବସ ଚଳାଚଳ ପାଇଁ ଅନୁମତି ଥିଲା । ତେବେ କଟକ ଓ ଭୁବନେଶ୍ୱରକୁ ବସ ଚଳାଚଳ ପାଇଁ ଅନୁମତି  ନଥିବାରୁ ବସ ଚଳାଚଳ ହୋଇପାରୁନିଥିଲା ।