ରାମ ମନ୍ଦିର କେବେ ନିର୍ମାଣ ହେବ ଜାଣନ୍ତୁ
ରାମ ମନ୍ଦିର କେବେ ନିର୍ମାଣ ହେବ ଜାଣନ୍ତୁ
admin
Nov 11, 2019 - 12:17
Updated: Nov 11, 2019 - 12:17
ନୂଆଦିଲ୍ଲୀ: ସୁପ୍ରିମକୋର୍ଟ ଅଯୋଧ୍ୟା ମାମଲାର ଶୁଣାଣି କରି ସାରିବା ପରେ ଚର୍ଚ୍ଚାରେ ରାମ ମନ୍ଦିର ନିର୍ମାଣ ପ୍ରସଙ୍ଗ। କେବେ ହେବ ରାମ ମନ୍ଦିର ପ୍ରତିଷ୍ଠା ତାହା ଏବେ ସବୁଠାରୁ ଚର୍ଚ୍ଚାର ବିଷୟ। ପୁଣିଥରେ ମନ୍ଦିର ଶିଳାନ୍ୟାସ ସହ ଆସନ୍ତା ବର୍ଷ ମକର ସଂକ୍ରାନ୍ତିରୁ କିମ୍ବା ରାମ ନବମୀରୁ ରାମ ମନ୍ଦିର ନିର୍ମାଣ ଆରମ୍ଭ ହେବାର ଯଥେଷ୍ଟ ସମ୍ଭାବନା ରହିଥିବା ଖବର ପ୍ରସାରଣ ହେଉଛି। ମିଳିଥିବା ସୂଚନା ଅନୁଯାୟୀ, ସରକାର ସୁପ୍ରିମ୍କୋର୍ଟଙ୍କ ନିର୍ଦ୍ଦେଶକ୍ରମେ ତ୍ୱରିତ ପଦକ୍ଷେପ ନେବା ସହ ଖୁବ୍ ଶୀଘ୍ର ଏକ ଟ୍ରଷ୍ଟ ଗଠନ କରିବେ। ଏହାପରେ ସମସ୍ତ ପକ୍ଷଙ୍କ ସହ ସମନ୍ୱୟ ରକ୍ଷାକରି ପୂର୍ବରୁ ପ୍ରତିଶ୍ରୁତି ଦିଆଯାଇଥିବା ‘ବିରାଟ ରାମ ମନ୍ଦିର’ ଦିଗରେ ଆଗେଇଯିବେ।
ଜଣେ ବରିଷ୍ଠ ଅଧିକାରୀଙ୍କ କହିବା ଅନୁଯାୟୀ, ଏହି ପ୍ରକଳ୍ପ ଆରମ୍ଭ କରିବା ପାଇଁ ସଂକ୍ରାନ୍ତି ଏକ ପବିତ୍ର ଦିନ। ଆମେ ଆଶା କରୁଛୁ ସରକାର ତା’ ଆଗରୁ ପ୍ରକ୍ରିୟ ପୂରଣ କରିଦେଇଥିବେ। ଏଥିସହିତ ବିଶ୍ବ ହିନ୍ଦୁ ପରିଷଦର ଜଣେ କାର୍ଯ୍ୟକର୍ତ୍ତା କହିଛନ୍ତି ଯେ, ରାମ ମନ୍ଦିର ନିର୍ମାଣ କାର୍ଯ୍ୟ ଆରମ୍ଭ ରାମ ନବମୀରୁ ଆରମ୍ଭ କରାଯିବ।
୨୦୨୨ ମସିହାରେ ଉତ୍ତରପ୍ରଦେଶରେ ନିର୍ବାଚନ ଥିବାରୁ ଏହା ପୂର୍ବରୁ କାମ ଯଥେଷ୍ଟ ଆଗେଇ ଯାଇଥିବ। ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ଗୋରଖନାଥ ପୀଠ ଏହି ମନ୍ଦିର ପାଇଁ ହୋଇଥିବା ଆନ୍ଦୋଳନରେ ବଡ଼ ଭୂମିକା ନେଇଥିବାରୁ ସେ ମଧ୍ୟ ବ୍ୟକ୍ତିଗତ ଭାବେ ଏହି ପ୍ରକଳ୍ପ ପାଇଁ ଯଥେଷ୍ଟ ଗୁରୁତ୍ୱ ଦେବେ। ଏହା ପୂର୍ବରୁ ବିଶ୍ୱ ହିନ୍ଦୁ ପରିଷଦ ରବିବାର କେନ୍ଦ୍ର ସରକାରଙ୍କୁ ଅନୁରୋଧ କରିଛି, ସରକାର ସୁପ୍ରିମ୍କୋର୍ଟଙ୍କ ରାୟ ଅନୁଯାୟୀ ତ୍ୱରିତ ପଦକ୍ଷେପ ନିଅନ୍ତୁ।