ଲକଡାଉନରେ ବଢିଲା ପାର୍ଲେ ଜି ବିସ୍କୁଟର ଚାହିଦା ।
ଲକଡାଉନରେ ବଢିଲା ପାର୍ଲେ ଜି ବିସ୍କୁଟର ଚାହିଦା ।
admin
Jun 10, 2020 - 08:01
Updated: Jun 10, 2020 - 08:01
ନୂଆଦିଲ୍ଲୀ: କରୋନା ଭୂତାଣୁ ସଂକ୍ରମଣକୁ ରୋକିବା ପାଇଁ ଦେଶରେ ଜାରି ହୋଇଥିବା ଲକଡାଉନ ସମୟରେ ବିଭିନ୍ନ କମ୍ପାନୀର ବିକ୍ରିବଟା ସାଂଘାତିକ ମାତ୍ରାରେ କମିଯାଇଛି । କିନ୍ତୁ ବିସ୍କୁଟ କମ୍ପାନୀ ପାର୍ଲେ ଜି ବିକ୍ରିରେ ରେକର୍ଡ ସ୍ଥାପନ କରିଛି । ଲକଡାଉନ ଅବଧିରେ କମ୍ପାନୀର ବିକ୍ରି ଗତ ୮ ଦଶନ୍ଧିରୁ ଅଧିକ ସମୟ ମଧ୍ୟରେ ସର୍ବାଧିକ ରହିଛି । ଯଦିଓ ବିକ୍ରି ପରିମାଣ କେତେ ରହିଛି ତାହା ନିର୍ଦ୍ଦିଷ୍ଟ ଭାବେ କହି ନାହିଁ ତଥାପି ୧୯୩୮ ରେ କମ୍ପାନୀ ପ୍ରତିଷ୍ଠା ହେବ ଦିନଠାରୁ ମାର୍ଚ୍ଚ, ଏପ୍ରିଲ ଓ ମେ ମାସରେ ଏଭଳି ବିକ୍ରି କେବେ ହୋଇ ନଥିବା କହିଛି । ଅର୍ଥାତ ଗତ ୮୨ ବର୍ଷ ମଧ୍ୟରେ କମ୍ପାନୀର ବିସ୍କୁଟ ବିକ୍ରି ଏହି ସମୟ ମଧ୍ୟରେ ସର୍ବର୍ାଧିକ ରହିଛି । ଲକଡାଉନ ଅବଧିରେ ଲୋକମାନେ ଘରେ ବିସ୍କୁଟ ରଖିବାକୁ ସବୁଠୁ ଅଧିକ ପସନ୍ଦ କରିଥିଲେ । ଏଥିସହିତ ଉକ୍ତ ବିସ୍କୁଟ ପ୍ୟାକେଟ ୫ ଟଙ୍କାରେ ଉପଲବ୍ଧ ହେଉଥିବାରୁ ଏହା ଲୋକଙ୍କ ପକେଟକୁ ବି ସୁହାଇଥିଲା । ତେଣୁ ଲୋକମାନେ ଅନ୍ୟକୁ ବାଣ୍ଟିବା ପାଇଁ ମଧ୍ୟ ଏହି ବିସ୍କୁଟକୁ ଅଧିକ ମାତ୍ରାରେ କିଣିଥିଲେ । ଏହି ସହିତ ଶହ ଶହ କିଲୋମିଟର ପାଦରେ ଚାଲି ଚାଲି ଘରକୁ ଫେରିବା ବେଳେ ଶ୍ରମିକମାନେ ବି ବିସ୍କୁଟକୁ ଅଧିକ ମାତ୍ରାରେ ବ୍ୟବହାର କରିଥିଲେ । କେବଳ ପାର୍ଲେ ଜି ନୁହେଁ, ଅନ୍ୟ କମ୍ପାନୀ ଗୁଡ଼ିକର ବିସ୍କୁଟ ମଧ୍ୟ ଲକଡାଉନ ସମୟରେ ବହୁ ମାତ୍ରାରେ ବିକ୍ରି ହୋଇଛି ।