ଶେଷରେ କେନ୍ଦ୍ର ମୁଣ୍ଡରେ ପଶିଲା ଚେତା

ଶେଷରେ କେନ୍ଦ୍ର ମୁଣ୍ଡରେ ପଶିଲା ଚେତା

ଶେଷରେ କେନ୍ଦ୍ର ମୁଣ୍ଡରେ ପଶିଲା ଚେତା
ନୂଆଦିଲ୍ଲୀ: ଲକଡାଉନ ଯୋଗୁଁ ବିଭିନ୍ନ ରାଜ୍ୟରେ ଅଟକି ରହିଥିବା ଦାଦନ ଶ୍ରମିକମାନଙ୍କ ରହିବା, ଖାଇବା ଏବଂ ନିରାପତ୍ତା ସୁନିଶ୍ଚିତ କରିବା ଲାଗି କେନ୍ଦ୍ର ସରକାର ସମସ୍ତ ରାଜ୍ୟଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ସ୍ୱରାଷ୍ଟ୍ର ମନ୍ତ୍ରଣାଳୟ ପକ୍ଷରୁ ଜାରି କରାଯାଇଥିବା ନିୟମାବଳୀ ଗୁଡ଼ିକ ଯେପରି କଡ଼ାକଡ଼ି ଲାଗୁ କରାଯାଏ, ତାହାକୁ ସୁନିଶ୍ଚିତ କରିବାକୁ ମଧ୍ୟ କ୍ୟାବିନେଟ ସଚିବ ସମସ୍ତ ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳ ସରକାରଙ୍କୁ ପତ୍ର ଲେଖି ପରାମର୍ଶ ଦେଇଛନ୍ତି । ପତ୍ରରେ କୁହାଯାଇଛି ଯେ ବିଭିନ୍ନ ସ୍ଥାନରେ ଅଟକି ରହିଥିବା ଶ୍ରମିକମାନଙ୍କ ସଂଖ୍ୟା ପୁଙ୍ଖାନୁପୁଙ୍ଖ ଭାବେ ନିରୂପଣ କରି ସେମାନଙ୍କ ଖାଇବା ଓ ରହିବାର ସମସ୍ତ ସୁବିଧା କରାଯାଉ । ସେମାନଙ୍କ ପାଇଁ ସ୍ୱତନ୍ତ୍ର ନୋଡାଲ ଅଫିସରଙ୍କୁ ନିଯୁକ୍ତି କରାଯିବା ଦରକାର । ଦାଦନଙ୍କ ପାଇଁ ଖୋଲାଯାଇଥିବା ରିଲିଫ କ୍ୟାମ୍ପର ତଦାରଖ ଦାୟିତ୍ୱ ଜଣେ ବରିଷ୍ଠ ଅଧିକାରୀଙ୍କୁ ଦିଆଯାଉ । ଆବଶ୍ୟକ ପଡ଼ିଲେ ସାମାଜିକ ସଂଗଠନ ବା ମଧ୍ୟାହ୍ନ ଭୋଜନ ସୁବିଧା ପ୍ରଦାନ କରୁଥିବା ସଂଗଠନ ଗୁଡ଼ିକ ସହିତ ଯୋଗସୂତ୍ର ରଖି ଲକଡାଉନ ସମୟରେ ସେମାନଙ୍କର ଖାଇବା ପିଇବାର ବ୍ୟବସ୍ଥା କରିବେ । ଆବଶ୍ୟକ ସ୍ଥଳେ କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟର ନିୟମାବଳୀ ଅନୁସାରେ ସେମାନଙ୍କୁ ମନସ୍ତାତ୍ତ୍ୱିକ ଓ ସାମାଜିକ ପରାମର୍ଶ ମଧ୍ୟ ଦିଆଯାଇପାରିବ । ନିକଟରେ ଗୁଜରାଟର ସୁରତ ଓ ମୁମ୍ବାଇର ବାନ୍ଦ୍ରା ଷ୍ଟେସନ ସମ୍ମୁଖରେ ଶ୍ରମିକ ଅଶାନ୍ତି ପରିପ୍ରେକ୍ଷୀରେ ଏଭଳି ପଦକ୍ଷେପ ନେଇଛନ୍ତି କେନ୍ଦ୍ର ସରକାର