ଶୋପିଆନ୍ ଏନକାଉଣ୍ଟର : ଯବାନଙ୍କ ବିରୋଧରେ ହୋଇପାରେ କାର୍ଯ୍ୟାନୁଷ୍ଠାନ!
ଶୋପିଆନ୍ ଏନକାଉଣ୍ଟର : ଯବାନଙ୍କ ବିରୋଧରେ ହୋଇପାରେ କାର୍ଯ୍ୟାନୁଷ୍ଠାନ!
admin
Sep 18, 2020 - 14:15
Updated: Sep 18, 2020 - 14:15
ଶ୍ରୀନଗର :ଜମ୍ମୁ ଓ କଶ୍ମୀରର ଶୋପିଆଁ ଜିଲ୍ଲାରେ ଏକ ଏନ୍କାଉଣ୍ଟର୍ ସମୟରେ ସମ୍ପୃକ୍ତ ଭାରତୀୟ ସେନା କର୍ମଚାରୀମାନେ ‘ଆର୍ମଡ୍ ଫୋର୍ସେସ୍ ସ୍ପେସାଲ୍ ପାୱାର୍ସ ଆକ୍ଟ୍’ (ଏଏଫ୍ଏସ୍ପିଏ) ଅଧୀନରେ ପ୍ରାପ୍ତ କ୍ଷମତାକୁ ଉଲ୍ଲଂଘନ କରିଛନ୍ତି ବୋଲି ପ୍ରାଥମିକ ପ୍ରମାଣ ସୂଚନା ମିଳିଛି। ତିନି ଜଣ ସନ୍ଦିଗ୍ଧ ଆତଙ୍କବାଦୀଙ୍କ ମୃତ୍ୟୁ ଘଟିଥିବା ଏହି ଘଟଣାରେ କରାଯାଇଥିବା ତଦନ୍ତରୁ ଏହା ଜଣାପଡ଼ିଛି। ଏହା ମିଥ୍ୟା ଏନ୍କାଉଣ୍ଟର୍ ଏବଂ ସମ୍ପୃକ୍ତ ବ୍ୟକ୍ତିବିଶେଷଙ୍କର ଆତଙ୍କବାଦ ସହ କୌଣସି ସମ୍ପର୍କ ନ ଥିଲା ବୋଲି ତିନି ମୃତବ୍ୟକ୍ତିଙ୍କ ପରିବାରବର୍ଗ ଅଭିଯୋଗ କରିବା ପରେ ସେନା କର୍ତ୍ତୃପକ୍ଷ ‘ଅପରେସନ୍ ଆମ୍ସିପୋରା’ ଘଟଣାର ଅଭ୍ୟନ୍ତରୀଣ ତଦନ୍ତ ନିମନ୍ତେ ଆଦେଶ ଦେଇଥିଲେ।
ଭାରତୀୟ ସେନା କହିବା ଅନୁସାରେ, ତଦନ୍ତରୁ ବାହାରିଥିବା ନିର୍ଦ୍ଦିଷ୍ଟ ପ୍ରାଥମିକ ପ୍ରମାଣରୁ ସୂଚନା ମିଳୁଛି ଯେ, ଏହି ଅଭିଯାନ ସମୟରେ ‘ଏଏଫ୍ଏସ୍ପିଏ’, ୧୯୯୦ ଅଧୀନରେ ନ୍ୟସ୍ତ କରାଯାଇଥିବା କ୍ଷମତାର ଉଲ୍ଲଂଘନ ହୋଇଛି ଏବଂ ସୁପ୍ରିମ୍ କୋର୍ଟଙ୍କ ଦ୍ବାରା ଅନୁମୋଦିତ ‘ଚିଫ୍ ଅଫ୍ ଆର୍ମି ଷ୍ଟାଫ୍’ଙ୍କ ‘ଡୁ ଆଣ୍ଡ୍ ଡୁନଟ୍’ ନିୟମ ଅମାନ୍ୟ କରାଯାଇଛି। ସେନା ଅଧିକାରୀମାନେ ଦୋଷୀ ବୋଲି କୋର୍ଟ ଅଫ୍ ଇନ୍କ୍ବାରି ଜାଣିବା ପରେ ସେମାନଙ୍କ ବିରୋଧରେ କାର୍ୟ୍ୟାନୁଷ୍ଠାନ ନିମନ୍ତେ ଅନୁମୋଦନ କରିଛନ୍ତି। ସେନାବାହିନୀ ଆଇନର ବିଭିନ୍ନ ଧାରା ଅନୁଯାୟୀ ସେମାନେ ଉତ୍ତରଦାୟୀ ହେବେ।