ସଂକ୍ରମଣ ଭୟରେ ଇସ୍ତଫା ଦେଲେ ଡାକ୍ତର

ସଂକ୍ରମଣ ଭୟରେ ଇସ୍ତଫା ଦେଲେ ଡାକ୍ତର

ସଂକ୍ରମଣ ଭୟରେ ଇସ୍ତଫା ଦେଲେ ଡାକ୍ତର
ସମଗ୍ର ଭାରତରେ ପ୍ରାୟ ୨୮ ଜଣ ସ୍ୱାସ୍ଥ୍ୟକର୍ମୀ ଇତି ମଧ୍ୟରେ କରୋନା ସଂକ୍ରମିତ ହୋଇଥିବା ସ୍ପଷ୍ଟ ହୋଇଛି । ଗଣମାଧ୍ୟମରେ ପ୍ରକାଶିତ ରିପୋର୍ଟ ଅନୁସାରେ ଦିଲ୍‌ଲୀର ୭ ଜଣ ଡାକ୍ତର ଓ ଜଣେ ନର୍ସ, ମୁମ୍ବାଇର ୫ ଓ ୮ ଜଣ ନର୍ସ କୋଭିଡ-୧୯ ରେ ଆକ୍ରାନ୍ତ ହୋଇଛନ୍ତି । ତାମିଲନାଡ଼ୁ, ଜାମ୍ମୁ, ଚଣ୍ଡିଗଡ଼, କର୍ଣ୍ଣାଟକ, ଉତ୍ତର ପ୍ରଦେଶର ଜଣେ ଲେଖାଏଁ ଡାକ୍ତର, ପଞ୍ଚକୁଳାରେ ଜଣେ ନର୍ସ ଏବଂ ବିହାରର ଜଣେ ୱାର୍ଡ ବଏ ମଧ୍ୟ ଏହି ମହାମାରୀରେ ସଂକ୍ରମିତ ହୋଇଥିବା ଜଣାପଡ଼ିଛି । ସଂକ୍ରମିତଙ୍କ ସଂସ୍ପର୍ଶରେ ଆସିଥିବା ବହୁ ସ୍ୱାସ୍ଥ୍ୟକର୍ମୀଙ୍କୁ କ୍ୱାରେଣ୍ଟାଇନରେ ରଖାଯାଇଛି । କରୋନା ସଂକ୍ରମିତ ଚିକିତ୍ସା ଲାଗି ଆବଶ୍ୟକ ବ୍ୟକ୍ତିଗତ ସୁରକ୍ଷା ଉପକରଣ ଏବଂ ସାନିଟାଇଜର ଓ ହ୍ୟାଣ୍ଡୱାସ ଭଳି ସର୍ବନିମ୍ନ ପ୍ରତିଷେଧକ ସାମଗ୍ରୀର ଅଭାବ ରହିଥିବା ଡାକ୍ତର ଓ ନର୍ସମାନେ ଅଭିଯୋଗ କରିଛନ୍ତି । ଏମିତି ପଟିଆଲା ଓ ପଶ୍ଚିମବଙ୍ଗ କିଛି ସ୍ୱାସ୍ଥ୍ୟକର୍ମୀ ପିପିଇ ଅଭାବ ନେଇ ବିକ୍ଷୋଭ କରିଛନ୍ତି । ଏପରିକି କଲିକତା ଏବଂ ବେଲିଆଘାଟର ହସ୍ପିଟାଲରେ ସ୍ୱାସ୍ଥ୍ୟକର୍ମୀ ରେନକୋର୍ଟ ପିନ୍ଧି ସଂକ୍ରମିତଙ୍କ ଚିକିତ୍ସା କରିବାକୁ ବାଧ୍ୟ ହେଉଛନ୍ତି । ଏସବୁ କାରଣରୁ ଦିଲ୍ଲୀ ସ୍ଥିତ ହିନ୍ଦୁ ରାଓ ହସ୍ପିଟାଲରେ ୧୦-୧୨ ଜଣ ଡାକ୍ତର ଚାକିିରିର ଇସ୍ତଫା ଦେଇଥିବା ପ୍ରମୁଖ ଇଂଲିଶ ଗଣମାଧ୍ୟମ ଇଣ୍ଡିଆନ ଏକ୍ସପ୍ରେସ ପ୍ରକାଶ କରିଛି । ଡାକ୍ତରଖାନା କର୍ତ୍ତୃପକ୍ଷ ସେମାନଙ୍କ ଇସ୍ତଫା ଅଗ୍ରାହ୍ୟ କରିଥିବା ବେଳେ ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଚେତାବନୀ ଦିଆଯାଇଛି । ଅନ୍ୟ କିଛି ଡାକ୍ତରଖାନାରେ କିଛି ଡାକ୍ତର ନିଯୁକ୍ତି କଣ୍ଟ୍ରାକ୍ଟ ଅବଧି ବଢ଼ାଇବାକୁ ମନା କରିଦେଇଛନ୍ତି । ଝାଡ଼ଖଣ୍ଡର ଆଇସୋଲେସନ ୱାର୍ଡରେ ନିଯୁକ୍ତ ଏକ ଡାକ୍ତର ଦମ୍ପତି ଚାକିରିରୁ ଇସ୍ତଫା ଦେଇଥିବା ବେଳେ ୨୪ ଘଣ୍ଟା ମଧ୍ୟରେ କାର୍ଯ୍ୟରେ ଯୋଗ ଦେବା ଲାଗି ସେମାନଙ୍କୁ ଚେତାବନୀ ଦିଆଯାଇଛି । ଅନ୍ୟଥା ସେମାନଙ୍କ ବିରୋଧରେ ମହାମାରୀ ରୋଗ (କୋଭିଡ-୧୯ ) ନିୟନ୍ତ୍ରଣ ଆଇନ -୨୦୨୦ ଓ ମହାମାରୀ ରୋଗ ଆଇନ ୧୮୯୭ ଅନୁଯାୟୀ ଏଫଆଇଆର ରୁଜୁ ହେବ ବୋଲି କୁହାଯାଇଛି । ଅନ୍ୟପଟେ ବିଭିନ୍ନ ରାଜ୍ୟ ସରକାର ସ୍ୱାସ୍ଥ୍ୟକର୍ମୀଙ୍କ ପାଇଁ ବୀମା ଘୋଷଣାକ କରିଛନ୍ତି । ଦିଲ୍ଲୀରେ କରୋନା ପୀଡ଼ିତଙ୍କ ଚିକିତ୍ସା ବେଳେ ପ୍ରାଣ ହରାଇଥିବା ଡାକ୍ତରଙ୍କ ପରିବାରକୁ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲ ଏକ କୋଟି ଟଙ୍କାର କ୍ଷତିପୂରଣ ପ୍ରଦାନ କରିବାକୁ ଘୋଷଣା କରିଛନ୍ତି । କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ମଧ୍ୟ ଆଗାମୀ ତିନି ମାସ ମଧ୍ୟରେ ସ୍ୱାସ୍ଥ୍ୟକର୍ମୀଙ୍କୁ ୫୦ ଲକ୍ଷ ଟଙ୍କାର ବୀମା ପ୍ରଦାନ କରିବାକୁ କହିଛନ୍ତି ।