୨୦୧୫ ରୁ ୫୮ ଟି ଦେଶ ଯାଇଛନ୍ତି ମୋଦି
୨୦୧୫ ରୁ ୫୮ ଟି ଦେଶ ଯାଇଛନ୍ତି ମୋଦି
admin
Sep 23, 2020 - 06:09
Updated: Sep 23, 2020 - 06:09
ନୂଆଦିଲ୍ଲୀ: କରୋନା ମହାମାରୀ ମଧ୍ୟରେ ସଂସଦର ମୌସୁମୀ ଅଧିବେଶନ ଜାରି ରହିଛି । ସରକାର ବିରୋଧୀମାନଙ୍କର ଲିଖିତ ପ୍ରଶ୍ନର ଉତ୍ତର ରଖୁଛନ୍ତି । ମଙ୍ଗଳବାର କେନ୍ଦ୍ର ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବିଦେଶ ଗସ୍ତ ସମ୍ପର୍କିତ ରିପୋର୍ଟ ପ୍ରଦାନ କରିଛି । ମନ୍ତ୍ରଣାଳୟ ମୁତାବକ, ମୋଦି ୨୦୧୫ ରୁ ବର୍ତ୍ତମାନ ସୁଦ୍ଧା ମୋଟ ୫୮ଟି ଦେଶ ଯାତ୍ରା କରିଛନ୍ତି । ମୋଦିଙ୍କର ବିଦେଶ ଯାତ୍ରା ବାବଦରେ ୫୧୭.୮୨ କୋଟି ଟଙ୍କା ଖର୍ଚ୍ଚ ହୋଇଛି । ଏହି ଯାତ୍ରା ସମୟରେ ଭାରତ ଅନେକ ଦେଶ ସହ ଅନେକ ବୈଦେଶିକ ଚୁକ୍ତି ସ୍ୱାକ୍ଷର କରିଛ । ବାଣିଜ୍ୟ, ପୁଞ୍ଜିନିବେଶ, ପ୍ରତିରକ୍ଷା ଭଳି ଅନେକ କ୍ଷେତ୍ରରେ ଭାରତ ଅନ୍ୟ ଦେଶ ସହ ଆଲୋଚନା କରିଛି । ମୋଦିଙ୍କର ବିଦେଶ ଗସ୍ତ ଦ୍ୱାରା ଦେଶର ଆର୍ଥିବ ବିକାଶ ଏଜେଣ୍ଡା ବିସ୍ତାର ହୋଇପାରିଥିବା ବିଦେଶ ମନ୍ତ୍ରଣାଳୟ ଦାବି କରିଛି । ଆହୁରି ମଧ୍ୟ କୁହାଯାଇଛି ଯେ, କରୋନା ମହାମାରୀ ଆରମ୍ଭରୁ ବର୍ତ୍ତମାନ ସୁଦ୍ଧା ମୋଦି କୌଣସି ଦେଶକୁ ଯାଇନାହାନ୍ତି । ଫେବ୍ରୁଆରୀରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଭାରତ ଆସିବା ପରେ କୌଣସି ବଡ଼ ବିଦେଶ ନେତା ଏଯାଏଁ ଭାରତ ଆସି ନାହାନ୍ତି । କିନ୍ତୁ ଇତି ମଧ୍ୟରେ ମୋଦି ଭିଡିଓ କନଫରେନ୍ସିଂ ଜରିଆରେ ଅନେକ ପ୍ରମୁଖ ବିଦେଶୀ ନେତାଙ୍କ ସହ ବିଭିନ୍ନ ପ୍ରସଙ୍ଗରେ ଆଲୋଚନା କରିଛନ୍ତି । ଭିଡିଓ କନଫରେନ୍ସିଂରେ କେତେକ ଆନ୍ତର୍ଜାତିକ କାର୍ଯ୍ୟକ୍ରମରେ ସାମିଲ ହୋଇଛନ୍ତି । ଚଳିତ ସପ୍ତାହରେ ମୋଦି ଭିଡିଓ କନଫରେନ୍ସିଂ ଜରିଆରେ ଜାତିସଂଘକୁ ସମ୍ବୋଧନ କରିବାର କାର୍ଯ୍ୟକ୍ରମ ମଧ୍ୟ ରହିଛି । ଅନ୍ୟ ପକ୍ଷରେ କରୋନା ମହାମାରୀ ସମୟରେ ଭାରତ ବିଭିନ୍ନ ଦେଶକୁ କରିଥିବା ସାହାଯ୍ୟ ସହଯୋଗ ସମ୍ପର୍କରେ ପ୍ରକାଶ କରି ମନ୍ତ୍ରଣାଳୟ କହିଛି, ମୋଟ ୧୫୦ଟି ଦେଶକୁ ଔଷଧ, ଚିକିତ୍ସା ଉପକରଣ ପଠାଯାଇଛି । ଚୀନ ସମେତ ମୋଟ ୮୦ଟି ଦେଶକୁ ୮୦ କୋଟି ଟଙ୍କାର ଅନୁଦାନ ଦିଆଯାଇଛି । ଜାପାନ, ଆମେରିକା, ଫ୍ରାନ୍ସ, ଜର୍ମାନୀ, ଇସ୍ରାଲଏଲ ଆଦି ଦେଶ ନିକଟରୁ ଭାରତକୁ ବିଭିନ୍ନ ପ୍ରକାର ସହାୟତା ମିଳିଥିବା ମଧ୍ୟ ରିପୋର୍ଟରେ କୁହାଯାଇଛି ।