୫ ମାଓବାଦୀ ନିହତ:୨ ଏସଓଜି ଯବାନ ଶହୀଦ

୫ ମାଓବାଦୀ ନିହତ:୨ ଏସଓଜି ଯବାନ ଶହୀଦ

୫ ମାଓବାଦୀ ନିହତ:୨ ଏସଓଜି ଯବାନ ଶହୀଦ
ଫୁଲବାଣୀ/ଭବାନୀପାଟଣା: କନ୍ଧମାଳ-କଳାହାଣ୍ଡି ସୀମାନ୍ତ ସରକି ଜଙ୍ଗଲରେ କଳାହାଣ୍ଡି ପୁଲିସ ଓ ମାଓବାଦୀ ଙ୍କ ମଧ୍ୟରେ ଘମାଘୋଟ ଗୁଳି ବିନିମୟ ହୋଇଛି । ପୁଲିସ ଗୁଳିରେ ୫ ଜଣ ମାଓବାଦୀ ନିହତ ହୋଇଥିବା ଜଣାପଡ଼ିଛି । ମୃତ ମାଓବାଦୀଙ୍କ ମଧ୍ୟରେ ୩ ଜଣ ମହିଳା ଓ ୨ ଜଣ ପୁରୁଷ ଥିବା କଳାହାଣ୍ଡି ଏସପି ବାତୁଲା ଗଙ୍ଗାଧର ସୂଚନା ଦେଇଛନ୍ତି । ଅନ୍ୟ ପକ୍ଷରେ ମାଓବାଦୀଙ୍କ ଗୁଳିରେ ୨ ଜଣ ଏସଓଜି ଯବାନ ଶହୀଦ ହୋଇଛନ୍ତି । ଏହି ଘଟଣା ପରେ ଦୁଇ ଜିଲ୍ଲାରେ ହାଇଆଲର୍ଟ ଜାରି ହୋଇଥିବା ବେଳେ ସମଗ୍ର ଅଞ୍ଚଳରେ କମ୍ବିଂ ଅପରେସନକୁ ଜୋରଦାର କରାଯାଇଛି । ପୁଲିସ ପକ୍ଷରୁ ଅଧିକ ଏସଓଜି, ଡିଭିଏଫ, କୋବ୍ରା ଓ ସିଆରପିଏଫ ଫୋର୍ସକୁ କମ୍ବିଂ ଓ ସର୍ଚ୍ଚ ଅପରେସନ ପାଇଁ ପଠାଯାଇଛି । ପୁଲିସ ସୂତ୍ରରୁ ପ୍ରକାଶ ଯେ ମାଓବାଦୀ ଗତିବିଧି ନେଇ ଗୁଇନ୍ଦା ସୂଚନା ଆଧାରରେ କନ୍ଧମାଳ ତୁମୁଡ଼ି ବନ୍ଧ ବ୍ଲକ ବେଲଘର ଥାନା ଭଣ୍ଡରଙ୍ଗି ପଞ୍ଚାୟତ ନିକଟ ସରକି ଜଙ୍ଗଲରେ କଳାହାଣ୍ଡି ଓ କନ୍ଧମାଳ ଏସଓଜି ଓ ଡିଭିଏଫ ଯବାନମାନେ କମ୍ବିଂ ଅପରେସନ କରୁଥିଲେ । ଏ ସମୟରେ ମାଓବାଦୀଙ୍କ ପଟୁ ହଠାତ ଆଖିବୁଜା ଗୁଳିମାଡ଼ ହୋଇଥିଲା । ଜବାବରେ ଯବାନମାନେ ମାଓବାଦୀଙ୍କ ଉପରକୁ ପାଲଟା ଗୁଳି ଚାଳନା କରିଥିଲେ । ପ୍ରାୟ ଅଧଘଣ୍ଟା ଧରି ଗୁଳି ବିନିମୟ ପରେ ମାଓବାଦୀମାନେ ଛତ୍ରଭଙ୍ଗ ଦେଇ ଜଙ୍ଗଲ ଭିତରକୁ ପଳାଇଥିଲେ । ପରେ ଦିନ ପ୍ରାୟ ୧୧ଟା ବେଳେ ଗୁଳି ବିନିମୟ ହୋଇଥିବା ସ୍ଥାନରେ ସର୍ଚ୍ଚ ଅପରେସନ ବେଳେ ୫ ସଶସ୍ତ୍ର ମାଓବାଦୀଙ୍କ ଶବ ମିଳିଥିଲା । ଏହା ବ୍ୟତୀତ ଘଟଣା ସ୍ଥଳରୁ ୨ଟି ଏସଏଲଆର ବନ୍ଧୁକ ଓ ୪ଟି ଦେଶୀ ବନ୍ଧୁକ ସମେତ ବିଭିନ୍ନ ମାଓ ବ୍ୟବହାର ସାମଗ୍ରୀ ଓ ଅସ୍ତ୍ରଶସ୍ତ୍ର ଉଦ୍ଧାର ଜବତ କରାଯାଇଥିଲା । ଏହି ଘଟଣା ପରେ ସେଠାକୁ ଅଧିକ ପୁଲିସ ଓ ଯବାନମାନଙ୍କୁ ପଠାଯାଇଛି ।