୭୪ ବର୍ଷର ବୃଦ୍ଧା ଜନ୍ମ ଦେଲେ ଯମଜ ସନ୍ତାନ

୭୪ ବର୍ଷର ବୃଦ୍ଧା ଜନ୍ମ ଦେଲେ ଯମଜ ସନ୍ତାନ

ନୂଆଦିଲ୍ଲୀ : ଆନ୍ଧ୍ରପ୍ରଦେଶର ଗୁଣ୍ଟୁର ସହରର ଏକ ହସ୍ପିଟାଲରେ ଆଜି ଜଣେ ୭୪ ବର୍ଷର ମହିଳା ଯମଜ ସନ୍ତାନ ଜନ୍ମ ଦେଇଛନ୍ତି । ଇନ୍ ଭିଟ୍ରୋ ଫର୍ଟିଲାଇଜେସନ (ଆଇଭିଏଫ) ପ୍ରକି୍ରୟା ମାଧ୍ୟମରେ ଗର୍ଭ ଧାରଣ କରିଥିବା ମଂଗାୟମ୍ମା (୭୪) ଅହଲ୍ୟା ନର୍ସିଂ ହୋମ୍ରେ ଆଜି ପୂର୍ବାହ୍ନ ସାଢେ଼ ୧୦ଟାରେ ଯମଜ ସନ୍ତାନ ଜନ୍ମ ଦେଇଥିଲେ । ଉଭୟ ମା ଓ ଶିଶୁ ସୁସ୍ଥ ଥିବା ଏବଂ ଠିକ୍ଠାକ ଥିବା ହସ୍ପିଟାଲ ସୂତ୍ରରୁ ଜଣାପଡ଼ିଛି । ପୂର୍ବ ଗୋଦାବରୀ ଜିଲ୍ଲାରେ ନେଲାପାତିପୋଡୁ ବାସିନ୍ଦା ମଂଗାୟମ୍ମା ବିବାହର ୫୪ ବର୍ଷ ପରେ ବି ସନ୍ତାନ ସୁଖରୁ ବଞ୍ଚିତ ଥିଲେ । ମଂଗାୟମ୍ମା ତାଙ୍କ ସ୍ୱାମୀ ୱାଇ ରାଜା ରାଓ (୮୦)ଙ୍କ ସହିତ ଗତ ବର୍ଷ ନର୍ସିଂ ହୋମର ଆଇଭିଏଫ୍ ବିଶେଷଜ୍ଞଙ୍କ ସହିତ ଆଲୋଚନା କରିଥିଲେ । ଏହା ପରେ ନର୍ସିଂ ହୋମ ଏହି ଦମ୍ପତିଙ୍କୁ ସହାୟତା କରିବାକୁ ନିଷ୍ପତ୍ତି ନେଇଥିଲା । ଡାକ୍ତର ନିୟମିତ ଭାବେ ମଂଗାୟମ୍ମାଙ୍କ ସ୍ୱାସ୍ଥ୍ୟ ଉପରେ ନଜର ରଖୁଥିଲେ । ନର୍ସିଂ ହୋମ୍ରେ ଆଜି ସିଜରିୟାନ ମାଧ୍ୟମରେ ଜାଅାଁଳା ଶିଶୁ ଦୁନିଆର ଆଲୋକ ଦେଖିଥିଲେ ।