ଜାତିସଂଘରୁ ପାକିସ୍ତାନକୁ ମିଳିଲା ଝଟକା

ଜାତିସଂଘରୁ ପାକିସ୍ତାନକୁ ମିଳିଲା ଝଟକା

ଜାତିସଂଘରୁ ପାକିସ୍ତାନକୁ ମିଳିଲା ଝଟକା
ନୁ୍ୟୟର୍କ : କଶ୍ମୀର ପ୍ରସଙ୍ଗ ନେଇ ଜାତିସଂଘ ନିରାପତ୍ତା ପରିଷଦ ସଦସ୍ୟଙ୍କ ଏକ ରୁଦ୍ଧ ଦ୍ୱାର ବୈଠକ ଆଜି ଅନୁଷ୍ଠିତ ହୋଇଛି । କିନ୍ତୁ ଏହାର ଫଳାଫ, ପାକିସ୍ତାନକୁ ନିରାଶ କରିଛି । ଚୀନ୍ ଦ୍ୱାରା ଆହୂତ ନିରାପତ୍ତା ପରିଷଦର ଏହି ବୈଠକକୁ ନେଇ ପାକିସ୍ତାନ ବେଶ ଉତ୍ସାହିତ ଥିଲା । କିନ୍ତୁ ଭାରତ କୂଟନୈତିକ ସ୍ତରରେ ଏହାକୁ ସଫଳତାର ସହ ପ୍ରତିହତ କରିବା ସହ ଜମ୍ମୁ କଶ୍ମୀରକୁ ଧାରା ୩୭୦ ହଟାଯିବା ନିଷ୍ପତ୍ତି ସମ୍ପୂର୍ଣ୍ଣ ଭାବେ ଦେଶର ଆଭ୍ୟନ୍ତରୀଣ ବ୍ୟାପାର ବୋଲି ସାବ୍ୟସ୍ତ କରିବାରେ ସଫଳ ହୋଇଛି । ଏଥିସହ ଜମ୍ମୁ କଶ୍ମୀରର ଶାନ୍ତି ଓ ସ୍ଥିରତା ପାଇ ଭାରତ ପ୍ରତିବଦ୍ଧ ବୋଲି ଦର୍ଶାଇଛି । ସୂଚନା ଯୋଗ୍ୟ ଧାରା ୩୭୦ ହଟାଯିବା ପରେ ପାକିସ୍ତାନ ଭାରତ ବିରୋଧରେ ଜାତିସଂଘରେ ଫେରାଦ ହେବା ସହ ଏ ବାବଦରେ ଆନୁଷ୍ଠାନିକ ଆଲୋଚନା ପାଇଁ ଜୋରଦାର ପ୍ରୟାସ କରିଥିଲା । ତେବେ ଏଥିପାଇଁ ସର୍ବନିମ୍ନ ୯ ରାଷ୍ଟ୍ରଙ୍କ ସମର୍ଥନ ହାସଲରେ ବିଫଳ ହୋଇଥିଲା । ତେବେ ମାମଲା ସମ୍ପର୍କରେ ରୁଦ୍ଧଦ୍ୱାର ଆଲୋଚନା ପାଇଁ ନିଷ୍ପତ୍ତି ପରେ ପାକିସ୍ତାନ ଏହାକୁ ନେଇ ବେଶ୍ ଉତ୍ସାହ ଦେଖାଇଥିଲା । କିନ୍ତୁ ଚୀନକୁ ବାଦ ଦେଲେ କୌଣସି ପ୍ରମୁଖ ରାଷ୍ଟ୍ର ପାକିଦ୍ତାନ ସପକ୍ଷରେ ନଥିବାରୁ ଭାରତ ଏହି ବୈଠକକୁ ଆଦୌ ଗୁରୁତ୍ୱ ଦେଇନାହିଁ । ନିରାପତ୍ତା ପରିଷଦର ରୁଦ୍ଧ ଦ୍ୱାର ବୈଠକକୁ ପାକିସ୍ତାନ ବିଦେଶ ମନ୍ତ୍ରୀ ଶାହ ମହମ୍ମଦ କୁରେଶୀ କହିଛନ୍ତି ଯେ କଶ୍ମୀର ସମସ୍ୟା ନେଇ ଆଲୋଚନା କ୍ଷେତ୍ରରେ ଏହା ଏକ ଐତିହାସିକ ପଦକ୍ଷେପ । ଦୀର୍ଘ ୪୦ ବର୍ଷ ପରେ ଜାତିସଂଘ ଏହି ପ୍ରସଙ୍ଗରେ ଆଲୋଚନା କରିବା ଏକ ବହୁତ ବଡ଼ ଘଟଣା ବୋଲି ସେ କହିଛନ୍ତି । ତେବେ ଜାତିସଂଘ ନିରାପତ୍ତା ପରିଷଦର ଏହି ବୈଠକରେ ପାକିସ୍ତାନ ପ୍ରତିନିଧିଙ୍କୁ ମଧ୍ୟ ସାମିଲ ହେବାକୁ ସୁଯୋଗ ଦିଆଯାଇ ନାହିଁ ।