‘ମୁଁ ନବୀନଙ୍କ ପାଇଁ କହୁଛି’ ଅଭିଯାନ ଆରମ୍ଭ

‘ମୁଁ ନବୀନଙ୍କ ପାଇଁ କହୁଛି’ ଅଭିଯାନ ଆରମ୍ଭ

‘ମୁଁ  ନବୀନଙ୍କ ପାଇଁ କହୁଛି’ ଅଭିଯାନ ଆରମ୍ଭ
ଭୁବନେଶ୍ୱର: ବିଜୁ ଜନତା ଦଳ ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସ୍ୱଚ୍ଛ ଭାବମୂର୍ତ୍ତି ଓ ରାଜ୍ୟର ବିକାଶ ପାଇଁ ପ୍ରଣୟନ କରିଥିବା ଯୋଜନାଗୁଡିକ ସମେତ ରାଜ୍ୟବାସୀଙ୍କ ଉନ୍ନତି ଲାଗି ଗ୍ରହଣ କରୁଥିବା ପଦକ୍ଷେପ ନେଇ ରାଜ୍ୟବାସୀ ସେମାନଙ୍କ ସ୍ୱ-ମତାମତ ଦେବା ଲାଗି ଆଜିଠାରୁ ‘ମୁଁ ନବୀନଙ୍କ ପାଇଁ କହୁଛି’ କାର୍ଯ୍ୟକ୍ରମର ଶୁଭାରମ୍ଭ ବିଜେଡି ଆଇଟି ସେଲ୍‍ ମୁଖ୍ୟ ଡ. ଅମର ପଟ୍ଟନାୟକ କରିଛନ୍ତି । ବିଜୁ ଜନତା ଦଳ ମୁଖ୍ୟ କାର୍ଯ୍ୟାଳୟରେ ଅନୁଷ୍ଠିତ ଏହି ଶୁଭାରମ୍ଭ କାର୍ଯ୍ୟକ୍ରମ ଅବସରରେ ଜନତାଙ୍କ ମତାମତ ସଂଗ୍ରହ ଲାଗି ଏଠାରୁ ୨ଟି ଭ୍ୟାନ୍‍ ରାଜ୍ୟର ବିଭିନ୍ନ ଗ୍ରାମାଞ୍ଚଳକୁ ପଠାଯାଇଛି । ଏହି ଅବସରରେ ଡ. ପଟ୍ଟନାୟକ କହିଛନ୍ତି, ରାଜ୍ୟର ସାଢ଼େ ୪ କୋଟି ଲୋକ ଆମ ଦଳର ତଥା ରାଜ୍ୟର ଜନପ୍ରିୟ ନେତା ନବୀନ ପଟ୍ଟନାୟକଙ୍କ ସଂପର୍କରେ ସେମାନଙ୍କ ଅନୁଭୂତି, ଆବେଗ, ମନର ଭାବ ଓ ଭାଷାକୁ ଖୋଲାଖୋଲି ‘ମୁଁ ନବୀନଙ୍କ ପାଇଁ କହୁଛି’ କାର୍ଯ୍ୟକ୍ରମରେ ବ୍ୟକ୍ତ କରିବା ଲାଗି ଭ୍ୟାନ୍‍ ସାରା ରାଜ୍ୟରେ ବୁଲିବ । ବିଶେଷତଃ ବିଜେଡି ସଭାପତିଙ୍କୁ ନେଇ ବିରୋଧୀ ଦଳଗୁଡିକ କରୁଥିବା ସମାଲୋଚନା ଉପରେ ଜନସାଧାରଣ ସେମାନଙ୍କ ମତାମତ ଦେବା ସହିତ ଦଳୀୟ ନେତୃତ୍ୱ ତଥା ନବୀନ ପଟ୍ଟନାୟକଙ୍କ ଉପରେ ରଖିଥିବା ଆସ୍ଥା ଓ ବିଶ୍ୱାସକୁ ନେଇ ଖୋଲାଖୋଲି ମନ୍ତବ୍ୟ ଦେଇପାରିବେ ବୋଲି ଡ. ପଟ୍ଟନାୟକ କହିଛନ୍ତି । ଏହି କାର୍ଯ୍ୟକ୍ରମରେ ବିଧାୟକ ପ୍ରଣବ କୁମାର ବଳବନ୍ତରାୟ, ରାଜ୍ୟ ସଂପାଦକ ବିଜୟ ନାୟକ, ଯୁବ ବିଜେଡି ସଭାପତି ଅମରେଶ ପତ୍ରୀ, କାର୍ଯ୍ୟକାରୀ ସଭାପତି ସଂଜିତ ମହାନ୍ତି, ମହାସଚିବ ଶିଶିର ପରିଜା, ଛାତ୍ର ବିଜେଡି ସଭାପତି ରାଣାପ୍ରତାପ ପାତ୍ର, ସାଧାରଣ ସଂପାଦକ ମନୋଜ ସେନାପତି, ସଂଖ୍ୟାଲଘୁ ସେଲ୍‍ ସଭାପତି ମୁନ୍ନା ଖାଁ, ବିଜୁ ଶ୍ରମିକ ସାମ୍ମୁଖ୍ୟ ମହାସଚିବ ସୁବାସ ସିଂହ, ମୁଖପାତ୍ର ଡ. ସସ୍ମିତ ପାତ୍ର, ସାଂସ୍କୃତିକ ସାମ୍ମୁଖ୍ୟ ଅଧ୍ୟକ୍ଷ ରବି ନନ୍ଦ, ମହିଳା ବିଜେଡିର ସନ୍ଧ୍ୟା ବିଶ୍ୱାଳ, ଜ୍ୟୋତ୍ସ୍ନା ପରିଡ଼ା, ସରୋଜିନୀ ମହାପାତ୍ର, ଲୋରା ମହାପାତ୍ର, ସଂଯୁକ୍ତା ମହାନ୍ତି ପ୍ରମୁଖ ଉପସ୍ଥିତ ଥିଲେ ।