ଅନୁପସ୍ଥିତ ପାଇଁ ୯୬ ଶିକ୍ଷକଙ୍କ ତାଲିକା ପ୍ରସ୍ତୁତ କରିଛି ଶିକ୍ଷା ବିଭାଗ

ଅନୁପସ୍ଥିତ ପାଇଁ ୯୬ ଶିକ୍ଷକଙ୍କ ତାଲିକା ପ୍ରସ୍ତୁତ କରିଛି ଶିକ୍ଷା ବିଭାଗ

ଅନୁପସ୍ଥିତ ପାଇଁ ୯୬ ଶିକ୍ଷକଙ୍କ ତାଲିକା ପ୍ରସ୍ତୁତ କରିଛି ଶିକ୍ଷା ବିଭାଗ

ଭୁବନେଶ୍ୱର: ଏଯାବତ ପ୍ରାୟ ୪୦ ଜଣ ଶିକ୍ଷକ ନିଲମ୍ବିତ ହୋଇ ସାରି ଥିବା ବେଳେ ଆଉ ୯୬ ଶିକ୍ଷକଙ୍କ ତାଲିକା ପ୍ରସ୍ତୁତ କରିଛି ଶିକ୍ଷା ବିଭାଗ । ସେମାନଙ୍କ ପତ୍ତା ମିଳୁ ନ ଥିବା ବେଳେ ସେମାନଙ୍କ ବିରୋଧରେ ଦୃଢ କାର୍ୟ୍ୟାନୁଷ୍ଠାନ ପାଇଁ ପ୍ରକ୍ରିୟା ଆରମ୍ଭ ହୋଇଛି ବୋଲି କହିଛନ୍ତି ବିଦ୍ୟାଳୟ ଓ ଗଣ  ଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ।

ସେ କହିଛନ୍ତି,  ସାରା ରାଜ୍ୟରେ ପାଖାପାଖି ୯୬ ଶିକ୍ଷକ ଦୀର୍ଘ ଦିନ ହେଲା ସ୍କୁଲରେ ଅନୁପସ୍ଥିତ ରହିଛନ୍ତି । ୨ ଥର ନୋଟିସ ଦିଆଯିବା ପରେ ବି ସେମାନେ କାର୍ୟ୍ୟରେ ଯୋଗ ଦେଉ ନାହାନ୍ତି। କେବଳ ସେତିକି ନୁହେଁ, ଜିଲ୍ଲାପାଳଙ୍କ ଦ୍ୱାରା ଯେଉଁମାନେ ଶିକ୍ଷା ସହାୟକ ଭାବେ ନିଯୁକ୍ତି ପାଇଛନ୍ତି, ଚୁକ୍ତି ସରିଯିବା ପରେ ପୁନଃ ଚୁକ୍ତି କରିବାକୁ ସେମାନେ ଆସୁ ନାହାନ୍ତି।  ଏପରି ୯୬ ଶିକ୍ଷକଙ୍କ ତାଲିକା ପ୍ରସ୍ତୁତ ହୋଇଛି। ସେମାନଙ୍କ ବିରୋଧରେ କାର୍ୟ୍ୟାନୁଷ୍ଠାନ ପାଇଁ ପ୍ରକ୍ରିୟା ଆରମ୍ଭ ହୋଇଛି।

ସୂଚନାଯୋଗ୍ୟ, ଦୀର୍ଘ ଦିନ ହେଲା କାର୍ୟ୍ୟରେ ଅନୁପସ୍ଥିତି ହେତୁ କିଛି ଦିନ ପୂର୍ବରୁ ମାଲକାନଗିରି ଜିଲ୍ଲାର ୧୦ କନିଷ୍ଠ ଶିକ୍ଷକଙ୍କ ସହିତ ନବରଙ୍ଗପୁର ଜିଲ୍ଲାର ୨୪ ଶିକ୍ଷକ ଓ ସୁନ୍ଦରଗଡ଼ ଜିଲ୍ଲାର ୨ ଶିକ୍ଷକଙ୍କୁ ଚାକିରିରୁ ବିଦା କରାଯାଇଛି। ଏହାବାଦ ବହୁ ଶିକ୍ଷକଙ୍କୁ କାରଣ ଦର୍ଶାଅ ନୋଟିସ ଜାରି କରାଯାଇଛି। ତେଣୁ ଏହି ସଂଖ୍ୟା ଆଗକୁ ବଢ଼ିପାରେ ବୋଲି ଅନୁମାନ କରାଯାଉଛି। ଏହି ପ୍ରକ୍ରିୟାକୁ ଏବେ ଅଧିକ ତ୍ୱରାନ୍ୱିତ କରାଯିବ ବୋଲି କହିଛନ୍ତି ମନ୍ତ୍ରୀ ।