ଆଜି ଶ୍ରୀମନ୍ଦିରେ ଅନୁଷ୍ଠିତ ହେବ ମହାପ୍ରଭୁଙ୍କ ଗଜୋଦ୍ଧାରଣ ବେଶ ନୀତି
ଆଜି ଶ୍ରୀମନ୍ଦିରେ ଅନୁଷ୍ଠିତ ହେବ ମହାପ୍ରଭୁଙ୍କ ଗଜୋଦ୍ଧାରଣ ବେଶ ନୀତି
ପୁରୀ: ରବିବାର ପବିତ୍ର ମାଘ ପୂର୍ଣ୍ଣମୀରେ ଶ୍ରୀମନ୍ଦିରରେ ଶ୍ରୀବିଗ୍ରହଙ୍କ ଗଜୋଦ୍ଧାରଣ ବେଶ ଅନୁଷ୍ଠିତ ହେବ । ମହାପ୍ରଭୁ ଶ୍ରୀଜଗନ୍ନାଥ ଚତୁର୍ଭୁଜ ହୋଇ ଶଙ୍ଖ, ଚକ୍ର, ଗଦା ଓ ପଦ୍ମ ଧାରଣ କରିବେ । ଠାକୁରଙ୍କ ସମୀପରେ ଦୁଇଟି ହାତୀ ଶୁଣ୍ଢରେ ପଦ୍ମକଢ଼ି ଧରି ଦଣ୍ଡାୟମାନ ରହିଥିବେ । ସିଂହାସନ ତଳକୁ ହାତୀ ଓ କୁମ୍ଭୀର ସଜ୍ଜା ହୋଇ ରହିବେ । ଏକ କୁମ୍ଭୀର ହାତୀକୁ ଆକ୍ରମଣ କରିବା ବେଳେ ଗଜରାଜ ଉଦ୍ଧାର ପାଇଁ ଭଗବାନଙ୍କ ଶରଣ ପଶିବା ଭଙ୍ଗୀରେ ଥିବେ । ମହାପ୍ରଭୁ ଗରୁଡ଼ ଉପରେ ବସିବା ଭଙ୍ଗୀରେ ଥାଇ ଲକ୍ଷ୍ମୀ ପ୍ରତିମାଙ୍କୁ କୋଳରେ ଧାରଣ କରିଥିବେ । ଶ୍ରୀବଳଭଦ୍ର ଚତୁଃହସ୍ତରେ ଶଙ୍ଖ, ଚକ୍ର, ହଳ ଓ ମୂଷଳ ଧାରଣ କରି ବାସୁଦେବଙ୍କ ରୂପରେ ବିଜେ ହେବେ । ଦେବୀ ସୁଭଦ୍ରା ଶ୍ରୀକୃଷ୍ଣଙ୍କ ସଦୃଶ ପାଦଛନ୍ଦି ଏକ ପଦ୍ମ କଢ଼ ଧରିଥିବେ । ମଧ୍ୟାହ୍ନ ଧୂପ ପରେ ଠାକୁରଙ୍କ ବେଶ ଆରମ୍ଭ ହେବ । ବେଶ ସଂପୂର୍ଣ୍ଣ ପରେ ସନ୍ଧ୍ୟାଧୂପରେ ଦାରୁ ଦିଅଁଙ୍କୁ ଖିରି ଓ ଅମାଲୁ ଭୋଗ ଅର୍ପଣ କରାଯିବ ।