ଆମେରିକା ବୁଡ଼ା ଜାହଜ ଦୁର୍ଘଟଣାଗ୍ରସ୍ତ
ଆମେରିକା ବୁଡ଼ା ଜାହଜ ଦୁର୍ଘଟଣାଗ୍ରସ୍ତ
ଓ୍ଵାସିଂଟନ୍: ଦକ୍ଷିଣ ଚୀନ୍ ସାଗରରେ ପାଣି ଭିତରେ ଥିବା ଗୋଟାଏ ଅଜ୍ଞାତ ପଦାର୍ଥ ସହ ଧକ୍କା ଖାଇ ଯୁକ୍ତରାଷ୍ଟ୍ର ଆମେରିକାର ଏକ ଆଣବିକ ଶକ୍ତିଚାଳିତ ବୁଡ଼ାଜାହାଜ ନଷ୍ଟ ହୋଇଯାଇଛି। ଗୁରୁବାର ଆମେରିକାର ନୌସେନା ପକ୍ଷରୁ ଏହା ସ୍ପଷ୍ଟ କରାଯାଇଛି।
ଭାରତ-ପ୍ରଶାନ୍ତ ମହାସାଗରୀୟ ଅଞ୍ଚଳ ଆନ୍ତର୍ଜାତିକ ଜଳରାଶିରେ ଅଭିଯାନ ଚଳାଉଥିବା ବେଳେ ଅକ୍ଟୋବର ୨ ତାରିଖ ଅପରାହ୍ଣରେ ଆଣବିକ ଶକ୍ତିଚାଳିତ ବୁଡ଼ାଜାହାଜ ଦି ୟୁଏସ୍ଏସ୍ କନେକ୍ଟିକଟ୍ ପାଣି ଭିତରେ ଥିବା କୌଣସି ପଦାର୍ଥ ସହ ଧକ୍କା ଖାଇଥିଲା।
ଏହି ଦୁର୍ଘଟଣାରେ ମୃତାହତ ସଂପର୍କରେ କିଛି ସୂଚନା ଦିଆଯାଇ ନାହିଁ। ତେବେ ବହୁ ନାବିକ ମଧ୍ୟମରୁ ସାମାନ୍ୟ ଆଘାତ ପାଇ ଆହତ ହୋଇଥିବା କଥା ନୌସେନା ପକ୍ଷରୁ କୁହାଯାଇଛି।
‘ୟୁଏସ୍ଏନ୍ଆଇ ନିଉଜ୍’ ପକ୍ଷରୁ କୁହାଯାଇଛି କ୍ଷୁଦ୍ର କ୍ଷୁଦ୍ର ଦ୍ୱୀପ, ପ୍ରବାଳ ଦ୍ୱୀପ ଏବଂ ସମୁଦ୍ର ଜଳରାଶି ଉପରକୁ ଦିଶୁଥିବା ପାହାଡ଼ିଆ ଅଞ୍ଚଳକୁ ନିଜର ବୋଲି ଚୀନ୍ କରୁଥିବା ବିବାଦୀୟ ଦାବିର ମୁକାବିଲା କରିବା ଲାଗି ବୁଡ଼ାଜାହାଜଟି ଦକ୍ଷିଣ ଚୀନ୍ ସାଗରରେ ଅଭିଯାନ ଚଳାଇଥିଲା।
କେତେ କ’ଣ ନଷ୍ଟ ହୋଇଛି ତାହାର କଳନା କରାଯିବା ସହ ଦୁର୍ଘଟଣାର କାରଣ ସମ୍ବନ୍ଧୀୟ ତଦନ୍ତ ଚାଲିଛି। ନୌସେନା କହିଛି, ବୁଡ଼ାଜାହାଜଟି ସୁରକ୍ଷିତ ଏବଂ ଉତ୍ତମ ଅବସ୍ଥାରେ ଅଛି।