ଆମ ଭାଗ ପାଣି ନିଶ୍ଚୟ ପାଇବା: ପଦ୍ମନାଭ

ଆମ ଭାଗ ପାଣି ନିଶ୍ଚୟ ପାଇବା: ପଦ୍ମନାଭ

ଭୁବନେଶ୍ୱର: ମହାନଦୀ ଜଳ ବିବାଦ ପ୍ରସଙ୍ଗରେ ଉଭୟ କଂଗ୍ରେସ ଓ ବିଜେପି ନେତା ରାଜ୍ୟ ସରକାରଙ୍କୁ ଟାର୍ଗେଟ କରିବା ପରେ ନିଜର ପ୍ରତିକ୍ରିୟା ରଖିଛନ୍ତି ମନ୍ତ୍ରୀ ପଦ୍ମନାଭ ବେହେରା । ସେ କହିଛନ୍ତି ଯେ, ମୋର ବିଶ୍ୱାସ ଟ୍ରିବୁ୍ୟନାଲ ରାୟ ଆମ ସପକ୍ଷରେ ଯିବ । ଟି୍ରବୁ୍ୟନାଲ ଏକ ବ୍ୟବସ୍ଥା । ଦୁଇ ତିନି ଥର ଆଲୋଚନା ହେଲାଣି । ଯେବେ ଚୂଡ଼ାନ୍ତ ନିଷ୍ପତ୍ତି ଆସିବ ସେତେବେଳେ ଆମ ଭାଗ ପାଣି ନିଶ୍ଚୟ ପାଇବା । ଟ୍ରିବୁ୍ୟନାଲଙ୍କ ରାୟ ଆସିବା ପରେ ଛତିଶଗଡ଼ ଆମକୁ ନିଶ୍ଚୟ ପାଣି ଛାଡ଼ିବ ବୋଲି ମନ୍ତ୍ରୀ ପଦ୍ମନାଭ ବେହେରା କହିଛନ୍ତି । ପ୍ରକାଶ ଯେ, ମହାନଦୀ ଜଳ ବିବାଦ ପ୍ରସଙ୍ଗରେ କିଛି ସମୟ ପୂର୍ବରୁ ଆଜି ବରିଷ୍ଠ ବିଜେପି ନେତା ବିଜୟ ମହାପାତ୍ର କହିଥିଲେ ଯେ, ମହାନଦୀ ପାଇଁ ଗଠିତ ଟ୍ରିବୁ୍ୟନାଲର ଅବଧି ଆଉ ୨ ମାସ ରହିଛି । କେନ୍ଦ୍ର ସରକାର ଚାହିଁଲେ ଟ୍ରିବୁ୍ୟନାଲର ଅବଧି ଆଉ ୨ ବର୍ଷ ବଢାଇ ପରିବେ । କିନ୍ତୁ ବଢାଇବେ କି ନାହିଁ ସେ ନେଇ କିଏ କହିବ ବୋଲି ବିଜୟ ମହାପାତ୍ର କହିଛନ୍ତି । ସେହିପରି ଟ୍ରିବୁ୍ୟନାଲରେ କଣ ହେଉଛି କେହି ଜାଣିପାରୁନାହାନ୍ତି । ସନେ୍ଦହ ହେଉଛି ରାଜ୍ୟ ସରକାର ଲଢେଇ ଓ ସତ୍ୟ ଉପସ୍ଥାପନ କରିପାରୁନାହାନ୍ତି । କିଛି ଦିନ ତଳେ ସ୍ୱର ଉତ୍ତୋଳନ କରୁଥିବା ସରକାରୀ ଓ ବିରୋଧୀ ଚୁପ କାହିଁକି ବୋଲି ଶ୍ରୀ ମହାପାତ୍ର ପ୍ରଶ୍ନ କରିଥିଲେ । ଏହାଛଡ଼ା ହୀରାକୁଦ ତଳମୁଣ୍ଡ ପାଇଁ ଘୋଷଣା ହୋଇଥିବା ୬ ପ୍ରକଳ୍ପ ଗଲା କୁଆଡେ଼ ବୋଲି ସେ ପ୍ରଶ୍ନ କରିଛନ୍ତି । ଇବ ପ୍ରକଳ୍ପ ପରି ମହାନଦୀର ଉପର ମୁଣ୍ଡ ଉପନଦୀରେ ୧୨ଟି ପ୍ରକଳ୍ପ ହୋଇପାରୁଛି । ସଂସଦରେ ପ୍ରସଙ୍ଗ ଉଠାଇବା ଜରୁରୀ । ସାଧାରଣ ଲୋକଙ୍କୁ ଅବଗତ କରାନ୍ତୁ । ଏବେ ଠାରୁ ମହାନଦୀ ଓ ଶାଖାନଦୀ ଶୁଖିଗଲାଣି । ଆଗକୁ ଭୟାନକ ହେବ ।ଭୟଙ୍କର ଜଳ ସଙ୍କଟକ ଭିତରକୁ ଓଡ଼ିଶା ଯାଉଛି । ଆଗକୁ ସ୍ଥିତି ଆହୁରୀ ଗମ୍ଭୀର ହେବ ବୋଲି ବିଜୟ ମହାପାତ୍ର କହିଥିଲେ । ଅନ୍ୟପକ୍ଷରେ ବିଧାନସଭାରେ ମହାନଦୀ ଜଳ ବିବାଦ ପ୍ରସଙ୍ଗ ଉଠାଯିବ ବୋଲି କଂଗ୍ରେସ ବିଧାୟକ ତାରାପ୍ରସାଦ ବାହିନୀପତି କହିଥିଲେ । ସେ କହିଥିଳେ ଯେ, ଉଭୟ ବିଜେପି ଓ ବିଜେଡି ରାଜ୍ୟର ସ୍ୱାର୍ଥ ନଦେଖି କେବଳ ରାଜନୀତି କରୁଛନ୍ତି । ମହାନଦୀ ଜଳ ବିବାଦ ପ୍ରସଙ୍ଗରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଛତିଶଗଡ଼ ମୁଖ୍ୟମନ୍ତ୍ରୀଙ୍କ ସହ ଆଲୋଚନା କରନ୍ତୁ । କଂଗ୍ରେସ ଛତିଶଗଡ଼ ମୁଖ୍ୟମନ୍ତ୍ରୀଙ୍କ ଆସିବାର ବ୍ୟବସ୍ଥା କରିବ ବୋଲି ତାରା କହିଥିଲେ ।