ନିମ୍ନ ମାନର ଟେଷ୍ଟିଂ କିଟ୍ ଯୋଗାଉଛି ଚୀନ
ନିମ୍ନ ମାନର ଟେଷ୍ଟିଂ କିଟ୍ ଯୋଗାଉଛି ଚୀନ
admin
Apr 23, 2020 - 12:19
Updated: Apr 23, 2020 - 12:19
ନୂଆଦିଲ୍ଲୀ: ଭାରତରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ଦ୍ରୁତ ଗତିରେ ବଢ଼ି ଚାଲିଛି । ୧୭ତମ ଦେଶ ଭାବେ ଭାରତରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୨୦,୦୦୦ ରେ ପହଞ୍ଚିଛି । ତେବେ ଗୋଟିଏ ପଟେ ଭାରତରେ କରୋନା ସଂକ୍ରମଣ ବଢ଼ି ଚାଲିଥିବା ବେଳେ ଅନ୍ୟପଟେ ସରକାରଙ୍କ ଦ୍ୱାରା ଆରମ୍ଭ ହୋଇଥିବା ର୍ୟାପିଟ ଟେଷ୍ଟିଂ ପ୍ରକ୍ରିୟା ଏବେ ବାଧାପ୍ରାପ୍ତ ହୋଇଛି । ର୍ୟାପିଡ ଟେଷ୍ଟିଂ ପାଇଁ ଚୀନରୁ ଆସିଥିବା ଟେଷ୍ଟ କିଟ ତ୍ରୁଟିପୂର୍ଣ୍ଣ ବୋଲି ଜଣାପଡ଼ିଛି । ଏହି କିଟ ଖରାପ ଥିବାରୁ ଏଥିରେ ଟେଷ୍ଟିଂ ସମ୍ଭବ ନୁହେଁ ବୋଲି ଆଇସିଏମଆର ଦର୍ଶାଇଛି । ସରକାର ଚୀନଠାରୁ ୫ ଲକ୍ଷ ଟେଷ୍ଟିଂ କିଟ କିଣିଛନ୍ତି । କିନ୍ତୁ ର୍ୟାପିଡ ଟେଷ୍ଟ ଦ୍ୱାରା ଠିକ ପରିଣାମ ଆସୁନଥିବା ଜଣାପଡ଼ିବା ପରେ ଆଇସିଏମଆର ଚୀନରୁ ଆସିଥିବା ଟେଷ୍ଟିଂ କିଟର ବ୍ୟବହାର ନ କରିବା ପାଇଁ ରାଜ୍ୟମାନଙ୍କୁ କହିଛନ୍ତି । ଆଇସିଏମଆରର ମୁଖ୍ୟ ମହାମାରୀ ରୋଗ ବିଶେଷଜ୍ଞ ଡ.ଆର ଗଙ୍ଗାଖେଡକର କହିଛନ୍ତି, ଗୋଟିଏ ରାଜ୍ୟରୁ ଆମେ ଟେଷ୍ଟିଂ ଦ୍ୱାରା କମ ରୋଗୀ ଚିହ୍ନଟ ହେଉଥିବା ଅଭିଯୋଗ ପାଇଥିଲୁ । ଏହା ପରେ ୩ ରାଜ୍ୟ ସହ ଏନେଇ ଆଲୋଚନା ହୋଇଥିଲା । ବିଭିନ୍ନ ସ୍ଥାନରେ ର୍ୟାପିଡ ଟେଷ୍ଟ ପରିଣାମରେ ବହୁତ ଫରକ ରହୁଛି । କିଛି ସ୍ଥାନରେ ଏହା ୬ ପ୍ରତିଶତ ରହୁଥିବା ବେଳେ ଆଉ କିଛି ସ୍ଥାନରେ ୭୧ ପ୍ରତିଶତ ରହୁଛି । ଆସନ୍ତା ୨ ଦିନ ମଧ୍ୟରେ ଆଇସିଏମଆର ଏହି ଟେଷ୍ଟ ରିପୋର୍ଟର ଆକଳନ କରିବା ପାଇଁ ୮ଟି ଟିମକୁ ବିଭିନ୍ନ ସ୍ଥାନରୁ ପଠାଇବେ । ଯଦି ଲଗାତାର ଟେଷ୍ଟ ରିପୋର୍ଟ ଭୁଲ ଆସେ ତେବେ ଏହି କିଟର ନିର୍ମାଣକାରୀ କମ୍ପାନୀ ସହ ଏହି ପ୍ରସଙ୍ଗରେ ଆଲୋଚନା କରାଯିବ ବୋଲି ଆଇସିଏମଆର ପକ୍ଷରୁ କୁହାଯାଇଛି । ପ୍ରଥମେ ରାଜସ୍ଥାନ ସରକାର ଏହି ର୍ୟାପିଡ ଟେଷ୍ଟ କିଟ ଭୁଲ ଫଳ ଦେଉଥିବା ଅଭିଯୋଗ କରି ଚୀନ ନିର୍ମିତ ର୍ୟାପିଡ ଟେଷ୍ଟ କିଟ ବ୍ୟବହାର ବନ୍ଦ କରିଥିଲା । ରାଜ୍ୟ ସ୍ୱାସ୍ଥ୍ୟମନ୍ତ୍ରୀ ରଘୁ ଶର୍ମା କହିଛନ୍ତି ଟେଷ୍ଟ କିଟ କେବଳ ୫.୪ ପ୍ରତିଶତ ସଠିକ ଫଳାଫଳ ପ୍ରଦାନ କରୁଛି । କେବଳ ରାଜସ୍ଥାନ ନୁହେଁ ପଶ୍ଚିମବଙ୍ଗରୁ ମଧ୍ୟ ଆଇସିଏମଆର ଏ ନେଇ ଅଭିଯୋଗ ପାଇଛି ।