ରାଉକେଲାରେ ସର୍ବବୃହତ ହକି ଷ୍ଟାଡିୟମ ବିର୍ସା ମୁଣ୍ଡାଙ୍କ ନାମରେ ନାମିତ

ରାଉକେଲାରେ ସର୍ବବୃହତ ହକି ଷ୍ଟାଡିୟମ ବିର୍ସା ମୁଣ୍ଡାଙ୍କ ନାମରେ ନାମିତ

ରାଉକେଲାରେ ସର୍ବବୃହତ ହକି ଷ୍ଟାଡିୟମ ବିର୍ସା ମୁଣ୍ଡାଙ୍କ ନାମରେ ନାମିତ
ରାଉରକେଲା: ରାଉକେଲାରେ ସର୍ବବୃହତ ହକି ଷ୍ଟାଡିୟମ ବିର୍ସା ମୁଣ୍ଡାଙ୍କ ନାମରେ ନାମିତ ହେବ । ଦିନିକିଆ ରାଉରକେଲା ଗସ୍ତରେ ଯାଇଥିବା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ଘୋଷଣା କରିଛନ୍ତି । ସ୍ଥାନୀୟ ବିପିୟୁଟି ନିକଟସ୍ଥ ପଡ଼ିଆରେ ଅନୁଷ୍ଠିତ ସଭାରେ ମୁଖ୍ୟମନ୍ତ୍ରୀ ଏହି ଘୋଷଣା କରିଛନ୍ତି । ସୁନ୍ଦରଗଡ଼ ମାଟି, ପାଣି ଓ ପବନରେ ହକିର ଆତ୍ମା ରହିଛି । ରାଉକେଲାକୁ ହକି ବିଶ୍ୱକପ ଭେନୁ୍ୟଭାବେ ମନୋନୀତ କରାଯାଇଛି ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି । ଆପଣମାନଙ୍କୁ ମୋର ଜୁହାର ବୋଲି କହି ମୁଖ୍ୟମନ୍ତ୍ରୀ ନିଜର ଉଦବୋଧନ ଆରମ୍ଭ କରିଥିଲେ । ତେବେ ସେ ନିଜର ଉଦବୋଧନରେ କ’ଣ କ’ଣ କହିଛନ୍ତି ସେ ସମ୍ପର୍କରେ ଜାଣନ୍ତୁ । ସେ କହିଛନ୍ତି ଯେ, ରାଉରକେଲା ଆସିଲେ ବିଜୁ ବାବୁଙ୍କ କଥା ମନକୁ ଆସେ । ବିଜୁ ବାବୁ ରାଉରକେଲାରେ ବିକାଶର ମୂଳଦୁଆ ପକାଇଥିଲେ । ରାଉରକେଲା ହେଉଛି ଆଶାର ସହର । ୨୦୦୦ ପରେ ରାଉରକେଲାର ଦ୍ରୁତ ବିକାଶ ହେଉଛି । ସୁନ୍ଦରଗଡ଼ ହେଉଛି ହକିର ଅନ୍ତୁଡ଼ିଶାଳ । ଏଠାକାର ଖେଳାଳି ହକିରେ ଦେଶ ପାଇଁ ଗର୍ବ ଗୌରବ ଆଣିଛନ୍ତି । ଓଡ଼ିଶା ହେଉଛି ଇଣ୍ଡିଆ ହକି ଟିମର ପ୍ରୟୋଜକ । ବିଶ୍ୱ ହକି ପାଇଁ ଆମେ ଏବେଠୁ ପ୍ରସ୍ତୁତି ଆରମ୍ଭ କରିଛୁ । ରାଉକେଲାରେ ସର୍ବବୃହତ ହକି ଷ୍ଟାଡିୟମର ଶିଳାନ୍ୟାସ କରାଯିବ । ସର୍ବ ବୃହତ ଷ୍ଟାଡିୟମ ବିର୍ସା ମୁଣ୍ଡାଙ୍କ ନାମରେ ନାମିତ ହେବ । ଆମ ମାଆମାନେ ସମାଜର ଆଦର୍ଶ । ଜନଜାତି ପିଲାଙ୍କ ପାଇଁ ୬୫୦୦ଟି ହଷ୍ଟେଲ କରାଯାଇଛି ବୋଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଛନ୍ତି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରାଉରକେଲା ବିପିୟୁଟି ପରିସରରେ ହକି ଷ୍ଟାଡିୟମର ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି । ନିର୍ମାଣ ହେବାକୁ ଯାଉଥିବା ଏହି ଅତ୍ୟାଧୁନିକ ଷ୍ଟାଡିୟମରେ ଏକକାଳୀନ ୨୦ ହଜାର ଦର୍ଶକ ବସି ଖେଳ ଦେଖିପାରିବେ। ଏଥିସହ ମୁଖ୍ୟମନ୍ତ୍ରୀ ସୁନ୍ଦରଗଡ଼ ଜିଲ୍ଲାର ମୋଟ ୪୯୧୫ କୋଟି ଟଙ୍କାର ବିଭିନ୍ନ ପ୍ରକଳ୍ପର ଭିତ୍ତିପ୍ରସ୍ତର ଓ ଲୋକାର୍ପଣ କରିଛନ୍ତି । ସୁନ୍ଦରଗଡ଼ ଜିଲ୍ଲା ପାଇଁ ୪,୯୧୫ କୋଟିର ପ୍ୟାକେଜ୍ ଘୋଷଣା କରାଯାଇଛି। ଏଥିମଧ୍ୟରୁ ସ୍ମାର୍ଟ ସିଟି ରାଉରକେଲା ପାଇଁ ୪୭୧ କୋଟି ଟଙ୍କା । ମହିଳା ଓ ଶିଶୁ ବିକାଶ ପାଇଁ ୧୩୫ କୋଟି ଟଙ୍କା । ପାନୀୟ ଜଳ ପାଇଁ ୧, ୬୧୧ କୋଟି ଟଙ୍କା । ବିଦ୍ୟୁତ୍ ଶକ୍ତି ଯୋଗାଣ ପାଇଁ ୩୮ କୋଟି ଟଙ୍କା । ଭିତ୍ତିଭୂମି ଉନ୍ନୟନ ପାଇଁ ୬୭ କୋଟି ଟଙ୍କା। ସେହିପରି ୩୨୦ କୋଟିର ଜଳସେଚନ, ୧୧୧କୋଟି ର ସ୍ୱାସ୍ଥ୍ୟସେବା, ୧୦୬୦ କୋଟିର ରାସ୍ତାଘାଟର ବିକାଶ, ୩୬୬ କୋଟିର ଶିକ୍ଷା ପ୍ରକଳ୍ପ । ଅନୁରୂପ ଭାବେ ୨୫୦ କୋଟିର ପରିମଳ, ୨୧୬ କୋଟିର ଜୀବିକା ବିକାଶ, ୪୭୧ କୋଟିର ସ୍ମାର୍ଟ ସିଟି ପ୍ରକଳ୍ପ , ୩୮ କୋଟିର ବିଦ୍ୟୁତଶକ୍ତି ଯୋଗାଣ, ୬୭ କୋଟି ଭିତ୍ତିଭୂମି ଉନ୍ନୟନ, ୧୨ କୋଟିର ପରିବେଶ ସୁରକ୍ଷା, ୧୫ କୋଟିର ଦକ୍ଷତା ବିକାଶ ଓ ୧୨୦ କୋଟିର କ୍ରୀଡ଼ା ପ୍ରକଳ୍ପ ରହିଛି ।