ରାସନ କାର୍ଡ ଡାଟା ଅପଡେଟ ନଥିଲେ ବି ମିଳିବ ବିଏସକେୱାଇ ସୁବିଧା

ରାସନ କାର୍ଡ ଡାଟା ଅପଡେଟ ନଥିଲେ ବି ମିଳିବ ବିଏସକେୱାଇ ସୁବିଧା

ରାସନ କାର୍ଡ ଡାଟା ଅପଡେଟ ନଥିଲେ ବି ମିଳିବ ବିଏସକେୱାଇ ସୁବିଧା


ଭୁବନେଶ୍ୱର : ଖାଦ୍ୟ ସୁରକ୍ଷାରେ ସାମିଲ ହୋଇଥିବେ, ଅଥଚ ସେମାନଙ୍କ ଡାଟାବେସ ଅପଲୋଡ ହୋଇନଥିବ, ସେମାନଙ୍କୁ ବି ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା ବା ବିଏସକେୱାଇ ସ୍ମାର୍ଟକାର୍ଡରେ ଚିକିତ୍ସା ସୁବିଧା ମିଳିବ । ଏଭଳି ହିତାଧିକାରୀଙ୍କୁ ଅଫଲାଇନ ଜରିଆରେ ଚିକିତ୍ସା ସୁବିଧା ଯୋଗାଇ ଦିଆଯିବ ବୋଲି ସ୍ୱାସ୍ଥ୍ୟ ବିଭାଗ ସୂତ୍ରରୁ ସୂଚନା ମିଳିଛି । ବିଏସକେୱାଇ ସ୍ମାର୍ଟ କାର୍ଡକୁ ଜାତୀୟ ଖାଦ୍ୟ ସୁରକ୍ଷା ବା ଏନଏଫଏଚଏସ ଓ ରାଜ୍ୟ ଖାଦ୍ୟ ସୁରକ୍ଷା ବା ଏଚଏଫଏସ ଯୋଜନାରେ ଥିବା ହିତାଧିକାରୀଙ୍କୁ ସାମିଲ କରାଯାଇଛି । ମୁଖ୍ୟମନ୍ତ୍ରୀ କିଛି ଜିଲ୍ଲାରେ ଏହି କାର୍ଡ ବଣ୍ଟନ ଆରମ୍ଭ କରିଛନ୍ତି । ତେବେ ବିଏସକେୱାଇ ସ୍ମାର୍ଟ କାର୍ଡରେ ସୁବିଧା ମିଳୁ ନ ଥିବା ନେଇ ଅଭିଯୋଗ ଫର୍ଦ୍ଧ ଲମ୍ବିବାରେ ଲାଗିଛି । ରାଜ୍ୟର ବିଭିନ୍ନ ଜିଲ୍ଲାରୁ ରୋଗୀମାନେ କାର୍ଡ ଥାଇ ମଧ୍ୟ ଚିକିତ୍ସା ନ ପାଇ ଫେରୁଥିବା ଅଭିଯୋଗ ହେଉଛି । ଏଭଳି ପରିସ୍ଥିତିରେ ଏହି ସମସ୍ୟାର ସମାଧାନ କରିବା ଲାଗି ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ କିଛି ପଦକ୍ଷେପ ଗ୍ରହଣ କରାଯାଇଛି । ଯେଉଁମାନେ ଆରଏସବିୱାଇ ଓ ବିଏସକେୱାଇରେ ପୂର୍ବରୁ ଚିକିତ୍ସା ସୁବିଧା ପାଉଥିବେ, ଅଥଚ ସେମାନଙ୍କର ରାସନ କାର୍ଡ ନାହିଁ, ସେମାନଙ୍କୁ ବି ଅଫଲାଇନ ଜରିଆରେ ନଭେମ୍ବର ୩୦ ପର୍ଯ୍ୟନ୍ତ ଚିକିତ୍ସା ମିଳିବ । ବିଏସକେୱାଇ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, ଚିକିତ୍ସା ପାଇଁ ଯାଉଥିବା ସଂପୃକ୍ତ ହସ୍ପିଟାଲ କର୍ତ୍ତୃପକ୍ଷ ଏନେଇ ସ୍ୱାସ୍ଥ୍ୟ ବିଭାଗକୁ ମେଲରେ ଯୋଗାଯୋଗ କରିବାକୁ କୁହାଯାଇଛି । ଇ-ମେଲରେ ଅନୁମୋଦନ ଦିଆଯାଉଛି । ବିଶେଷକରି କେମୋ ଓ ରେଡିସନ ଥେରାପି ଭଳି ଚିକିତ୍ସା ନେଉଥିବା ରୋଗୀଙ୍କୁ ସୁବିଧା ଦେବା ଲାଗି ନିଷ୍ପତ୍ତି ହୋଇଛି । ବିଏସକେୱାଇର ଜଣେ ଅଧିକାରୀ କହିଛନ୍ତି, ଦିନକୁ ଶହେରୁ ଅଧିକ ଏଭଳି ଅଭିଯୋଗ ଆସୁଛି । ତେଣୁ ଏ ସବୁର ସମାଧାନ କରିବା ଲାଗି ଅଫଲାଇନ୍ ଜରିଆରେ ଚିକିତ୍ସା ସୁବିଧା ଯୋଗାଇ ଦେବାକୁ ନିଷ୍ପତ୍ତି ହୋଇଛି ବୋଲି ଅଧିକାରୀ ଜଣଙ୍କ ସୂଚନା ଦେଇଛନ୍ତି ।