ସଂସଦ ଅଧିବେଶନ : ମନ୍ତ୍ରୀଙ୍କ ଅନୁପସ୍ଥିତି ନେଇ ମୋଦି କ୍ଷୁବ୍ଧ
ସଂସଦ ଅଧିବେଶନ : ମନ୍ତ୍ରୀଙ୍କ ଅନୁପସ୍ଥିତି ନେଇ ମୋଦି କ୍ଷୁବ୍ଧ
admin
Jul 17, 2019 - 11:33
Updated: Jul 17, 2019 - 11:33
ସଂସଦ ବ୍ୟାପାର ମନ୍ତ୍ରୀଙ୍କୁ ତାଲିକା ମାଗିଲେ
ନୂଆଦିଲ୍ଲୀ: ସଂସଦ ଅଧିବେଶନରେ ଅନୁପସ୍ଥିତ ରହୁଥିବା ବିଜେପି ମନ୍ତ୍ରୀମାନଙ୍କ ଉପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ତୀବ୍ର ଅସନ୍ତୋଷ ପ୍ରକାଶ କରିଛନ୍ତି । ସଂସଦରେ ଉପସ୍ଥିତ ରହିବା ପାଇଁ କୁହାଯିବା ସତ୍ତେ୍ୱ ଯେଉଁମାନେ ଏଥିପ୍ରତି କର୍ଣ୍ଣପାତ କରିନାହାନ୍ତି ଏବଂ ନିଜ କର୍ତ୍ତବ୍ୟ ଠିକ୍ରେ ପାଳନ କରିନାହାନ୍ତି ସେମାନଙ୍କ ତାଲିକା ପ୍ରଦାନ କରିବା ପାଇଁ ମୋଦି ସଂସଦୀୟ ବ୍ୟାପାର ମନ୍ତ୍ରୀଙ୍କୁ କହିଛନ୍ତି । ବିଜେପି ସଂସଦୀୟ ଦଳର ସାପ୍ତାହିକ ବୈଠକରେ ମୋଦି ଆଜି ଏହି ପ୍ରସଙ୍ଗରେ ଅସନ୍ତୋଷ ବ୍ୟକ୍ତ କରିଥିଲେ । ସମସ୍ତ ମନ୍ତ୍ରୀ ଏବଂ ସାଂସଦମାନଙ୍କୁ ସେମାନଙ୍କ କାର୍ଯ୍ୟ ସଠିକ୍ ଭାବେ କରିବା ପାଇଁ ମୋଦି ନିର୍ଦ୍ଦେଶ ଦେଇଛନ୍ତି । ଚଳିତ ମାସ ପ୍ରାରମ୍ଭରେ ମୋଦି ସ୍ପଷ୍ଟ କରିଥିଲେ ଯେ ବିଜେପି ଏହାର ସମସ୍ତ ସଦସ୍ୟମାନଙ୍କର ସଂସଦରେ ଉପସ୍ଥିତି ନେଇ କଡ଼ା ନଜର ରଖିଛି ।
ଯେଉଁମାନେ ଅଧିବେଶନରେ ବସୁନାହାନ୍ତି, ଆଲୋଚନାରେ ଭାଗ ନେଉନାହାନ୍ତି ସେମାନଙ୍କ କାର୍ଯ୍ୟକଳାପର ସମୀକ୍ଷା କରାଯିବ ଏବଂ ସେହି ଆଧାରରେ ସେମାନଙ୍କ ସମ୍ପର୍କରେ ନିଷ୍ପତ୍ତି ନିଆଯିବ ବୋଲି ମୋଦି କହିଛନ୍ତି ।
ଆଜି ସଂସଦୀୟ ଦଳ ବୈଠକରେ ଗୃହ ମନ୍ତ୍ରୀ ଅମିତ ଶାହ, ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ, ସଂସଦୀୟ ବ୍ୟାପାର ମନ୍ତ୍ରୀ ପ୍ରହଲ୍ଲାଦ ଯୋଶୀ, ବିଦେଶ ମନ୍ତ୍ରୀ ଏସ୍ ଜୟଶଙ୍କର ଏବଂ ବିଦେଶ ବ୍ୟାପାର ରାଷ୍ଟ୍ରମନ୍ତ୍ରୀ ଭି.ମୂରଲୀଧରନ ଉପସ୍ଥିତ ଥିଲେ ।