୫୦-୫୦ ଫର୍ମୁଲାକୁ ବିଜେପିର ପ୍ରତ୍ୟାଖ୍ୟାନ : ବିଜେପି ସହ ବୈଠକ ରଦ୍ଧ କଲା ସେନା

୫୦-୫୦ ଫର୍ମୁଲାକୁ ବିଜେପିର ପ୍ରତ୍ୟାଖ୍ୟାନ : ବିଜେପି ସହ ବୈଠକ ରଦ୍ଧ କଲା ସେନା

୫୦-୫୦ ଫର୍ମୁଲାକୁ ବିଜେପିର ପ୍ରତ୍ୟାଖ୍ୟାନ : ବିଜେପି ସହ ବୈଠକ ରଦ୍ଧ କଲା ସେନା
ମହାରାଷ୍ଟ୍ର: ମହାରାଷ୍ଟ୍ରରେ ସରକାର ଗଠନକୁ ନେଇ ଶିବସେନା ବିଜେପି ମଧ୍ୟରେ ସମ୍ପର୍କ ଦିନକୁ ଦିନ ତିକ୍ତ ହେବାରେ ଲାଗିଛି । ୫୦-୫୦ ଫର୍ମୁଲା ଆଧାରରେ ଅଢେ଼ଇ ବର୍ଷ ଲେଖାଏଁ ଦୁଇ ଦଳର ମୁଖ୍ୟ ମନ୍ତ୍ରୀ ରହିବା ପାଇଁ ଶିବସେନାର ଦାବିକୁ ବିଜେପି ପ୍ରତ୍ୟାଖ୍ୟାନ କରିଛି । ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନାବିସ କହିଛନ୍ତି ଯେ ଶିବସେନା ସହିତ ୫୦-୫୦ ଫର୍ମୁଲା ନେଇ କୌଣସି ଚୁକ୍ତି ହୋଇନାହିଁ ଏବଂ ସେନାର ଏଭଳି ଦାବି ଗ୍ରହଣୀୟ ନୁହେଁ । ଶିବସେନାର ମୁଖପତ୍ର ‘ସାମନା’ ରେ ବିଜେପି ବିରୋଧରେ ଯେଭଳି ଲେଖାମାନ ପ୍ରକାଶ ପାଉଛି ଏବଂ ସରକାର ଗଠନ ପାଇଁ ଯେଉଁ ସର୍ତ୍ତ ରଖାଯାଇଛି ତାହା ଦ୍ୱାରା ଲୋକଙ୍କ ନିକଟକୁ ଭୁଲ ବାର୍ତ୍ତା ଯାଉଛି ବୋଲି ଫଡନାବିସ କହିଛନ୍ତି । ବିଜେପି ଅଧ୍ୟକ୍ଷ ଅମିତ ଶାହ ଏବଂ ଶିବସେନା ମୁଖ୍ୟ ଉଦ୍ଧବ ଠାକରେଙ୍କ ମଧ୍ୟରେ ନିର୍ବାଚନ ପୂର୍ବରୁ ୫୦-୫୦ ଫର୍ମୁଲା ନେଇ କୌଣସି ଆଲୋଚନା ହୋଇଥିବା ସେ ଜାଣନ୍ତି ନାହିଁ ଏବଂ ରାଜ୍ୟରେ ପରବର୍ତ୍ତୀ ସରକାର ବିଜେପି ନେତୃତ୍ୱରେ ହିଁ ଗଠନ ହେବ ବୋଲି ଫଡନାବିସ କହିଛନ୍ତି । ମତେ ୫ ବର୍ଷ ପୁଣି ମୁଖ୍ୟମନ୍ତ୍ରୀ ରହିବା ପାଇଁ ଜନାଦେଶ ମିଳିଛି ବୋଲି ସେ ଦୃଢେ଼ାକ୍ତି ପ୍ରକାଶ କରିଛନ୍ତି । ଫଡନାବିସ୍ଙ୍କ ଏଭଳି ବୟାନ ପରେ ଶିବସେନା ତୀବ୍ର ପ୍ରତିକି୍ରୟା ପ୍ରକାଶ କରିଛି । ଶିବସେନା ପାଖରେ ସରକାର ଗଠନ କରିବା ପାଇଁ ବିଳକ୍ପ ରାସ୍ତା ରହିଛି ବୋଲି ଦଳର ବରିଷ୍ଠ ନେତା ସଂଜୟ ରାଉତ କହିଛନ୍ତି । କ୍ଷୁବ୍ଧ ଶିବସେନା ଆଜି ବିଜେପି ସହିତ ସରକାର ଗଠନ କରିବା ପାଇଁ ଆଲୋଚନା ନିମନ୍ତେ ହେବାକୁ ଥିବା ଏକ ଗୁରୁତ୍ୱପୂର୍ଣ୍ଣ ବୈଠକକୁ ମଧ୍ୟ ବାତିଲ କରିଦେଇଛି । ଏହାକୁ ନେଇ ବିଜେପି ମଧ୍ୟ ଆଜି ତାର ଆଭିମୁଖ୍ୟ ଆହୁରି କଠୋର କରିଛି । ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହଙ୍କ ୩୦ ତାରିଖ ମୁମ୍ବାଇ ଗସ୍ତ କାର୍ଯ୍ୟକ୍ରମ ମଧ୍ୟ ବାତିଲ ହୋଇଥିବା ଜଣାପଡ଼ିଛି । ଶିବସେନା ଦ୍ୱାରା ବୈଠକ ରଦ୍ଧ ହେବା ସମ୍ପର୍କରେ ସୂଚନା ଦେଇ ସଂଜୟ ରାଉତ କହିଛନ୍ତି ଯେ ବିଜେପି ହିଁ କଥାବାର୍ତ୍ତାର ରାସ୍ତା ବନ୍ଦ କରୁଛି ଏବଂ ଏକତରଫା ଭାବେ ନିଷ୍ପତ୍ତି ନେବାକୁ ଯାଉଛି । ମହାରାଷ୍ଟ୍ରରେ ଏନସିପି ବିଜେପି ବିରୋଧରେ ଜନମତ ସୃଷ୍ଟି କରିବାକୁ ସକ୍ଷମ ହୋଇଥିବା ବେଳେ କଂଗ୍ରେସ ବିଜେପିର ଘୋର ବିରୋଧୀ । ଏଭଳି ସ୍ଥିତିରେ ସରକାର ଗଠନ ପାଇଁ ଆମ ପାଖରେ ଅନେକ ବିକଳ୍ପ ଅଛି ବୋଲି ରାଉତ କହିଛନ୍ତି । ମହାରାଷ୍ଟ୍ରରେ ହରିୟାଣା ଭଳି ‘କୌଣସି ଦୁଶ୍ୟନ୍ତ ଚୌତାଲାଙ୍କ ପିତା ଜେଲରେ ନାହାନ୍ତି’ ବୋଲି ସେ କହିଛନ୍ତି । ରାଉତଙ୍କ ଏଭଳି ବୟାନରେ ହରିୟାଣା ଉପମୁଖ୍ୟମନ୍ତ୍ରୀ ଦୃଶ୍ୟନ୍ତ ଚୌତାଲା ତୀବ୍ର ପ୍ରତିକ୍ରିୟା ପ୍ରକାଶ କରିଛନ୍ତି । ସେ କହିଛନ୍ତି ଯେ ଶିବସେନା ନେତାଙ୍କ ଏଭଳି ବେପରୁଆ ବୟାନ ଆଦୌ ଶୋଭନୀୟ ନୁହେଁ । ଜେଲରେ ଥିବା ମୋ ପିତା ଅଜୟ ଚୌତାଲାଙ୍କ ଭଲ ମନ୍ଦ କେବେ ବୁଝିନଥିବା ରାଉତ ହଠାତ୍ ତାଙ୍କୁ ନେଇ ଏଭଳି ବୟାନ ଦେବା ନିନ୍ଦନୀୟ ବୋଲି ସେ କହିଛନ୍ତି ।