ଗ୍ରାମୀଣ ଅର୍ଥନୀତିକୁ ବଦଳାଇଦେଇଥିବା ପୁଷ୍କରିଣୀ

ଗ୍ରାମୀଣ ଅର୍ଥନୀତିକୁ ବଦଳାଇଦେଇଥିବା ପୁଷ୍କରିଣୀ

ଗ୍ରାମୀଣ ଅର୍ଥନୀତିକୁ ବଦଳାଇଦେଇଥିବା ପୁଷ୍କରିଣୀ
ଇଣ୍ଡୋନେସିଆ ଅନ୍ତର୍ଗତ କେନ୍ଦ୍ରୀୟ ଜାଭା ଅଞ୍ଚଳରେ ଫଗୋକ ନାମକ ଏକ ଗ୍ରାମ ଅବସ୍ଥିତ । ଗ୍ରାମ ମଝିରେ ଥିବା ଏକ ଛୋଟିଆ ପୁଷ୍କରିଣୀର ନାମ ଉମବୁଲ ଫଗୋକ । ଏହାର ଦୈର୍ଘ୍ୟ ଓ ପ୍ରସ୍ଥ ଯଥାକ୍ରମେ ପଚାଶ ଏବଂ କୋଡ଼ିଏ ମିଟର । ଏକଦା ଏହା ଥିଲା ବିଶେଷତ୍ୱହୀନ ଅସନା ପୋଖରୀଟିଏ ମାତ୍ର । ତେବେ ଏବେ ଏହା ମାଧ୍ୟମରେ ଗ୍ରାମର ଅର୍ଥନୀତି ବେଶ୍ ସମୃଦ୍ଧ । ଏହି ପୁଷ୍କରିଣୀଟି ଦୈନିକ ଶତାଧିକ ପର୍ଯ୍ୟଟକଙ୍କୁ ଆକର୍ଷିତ କରୁଛି ଏବଂ ଏହା ଦ୍ୱାରା ଗ୍ରାମବାସୀ ଉପକୃତ ହେଉଛନ୍ତି । ପୋଖରୀଟିର ରୂପ ବଦଳାଇ, ଏକ ପର୍ଯ୍ୟଟକ ଆକର୍ଷଣରେ ପରିଣତ କରିବାର ସମସ୍ତ ଶ୍ରେୟ ପାଇବେ ଗ୍ରାମର ମୁଖିଆ ଜୁନୈଦି ମୂଲ୍ୟୋନୋ । ୨୦୦୬ ରେ ସେ ଗ୍ରାମର ମୁଖିଆ ଭାବେ ନିର୍ବାଚିତ ହୋଇଥିଲେ । ସେତେବେଳେ ଗ୍ରାମ ସହ ପୋଖରୀର ଅବସ୍ଥା ବହୁତ ଖରାପ ଥିଲା । ବେକାରି ଚରମ ସୀମାରେ ଥିଲା । ଗ୍ରାମବାସୀଙ୍କର ଆୟ ବୋଲି କିଛି ନଥିଲା । ଶିକ୍ଷିତ ଜୁନୈଦିଳ ପୋଖରୀ ମାଧ୍ୟମରେ ଗ୍ରାମର ଅର୍ଥନୀତିକ ବିକାଶ ପାଇଁ ଯୋଜନା କଲେ । ପ୍ରଥମେ ପୋଖରୀର ପୁନରୁଦ୍ଧାର ପାଇଁ ଗ୍ରାମବାସୀଙ୍କ ସହାୟତା ଲୋଡ଼ିଲେ । କିଛି ସହାୟତାର ହାତ ବଢ଼ାଇଲେ, କିଛି ହସିଲେ । ଯାହା ହେଉ ସାମୂହିକ ଉଦ୍ୟମରେ ପୋଖରୀ ସଫା ହୋଇଗଲା । ତା’ମଧ୍ୟକୁ ଆଖପାଖରେ ପ୍ରବାହିତ ଚାଳିଶଟି ଝରଣାର ଜଳ ଭର୍ତ୍ତି କରିବାର ବ୍ୟବସ୍ଥା ହେଲା । ପୁଷ୍କରିଣୀ ଜଳ ଶରତ କାଳୀନ ଜହ୍ନ ପରି ଅତି ସ୍ୱଚ୍ଛ ଓ ନିର୍ମଳ ପାଲଟିଗଲା । ତାହା ପରେ ଜୁନୈଦି ବିଭିନ୍ନ ସାମାଜିକ ଗଣମାଧ୍ୟମ ମାଧ୍ୟମରେ କାଚକେନ୍ଦୁ ପୁଷ୍ପରିଣୀ ବାବଦରେ ପ୍ରଚାର ଆରମ୍ଭ କଲେ । କ୍ରମେ ପର୍ଯ୍ୟଟକ ଆକର୍ଷିତ ହେଲେ । ପ୍ରଚାର ବଢ଼ିଲା ଏବଂ ତାହା ସହ ଗ୍ରାମରେ ପର୍ଯ୍ୟଟନ ଶିଳ୍ପର ବିକାଶ ଘଟିଲା । ଏବେ ଇଣ୍ଡୋନେସିଆର ପ୍ରଥମ ଦଶଟି ସମୃଦ୍ଧ ଗ୍ରାମ ମଧ୍ୟ ପଂଗୋକ ଗୋଟିଏ । ଗ୍ରାମର ସାତ ଶହ ପରିବାର ପୁଷ୍କରିଣୀ ପର୍ଯ୍ୟଟନ ଉପରେ ନିର୍ଭରଶୀଳ ।ବହୁ ସଂଖ୍ୟକ ପର୍ଯ୍ୟଟକ ଆସୁଥିବାରୁ ସେମାନଙ୍କ ଆୟ କ୍ରମାଗତ ବଢ଼ୁଛି । ପର୍ଯ୍ୟଟକଙ୍କ ମନୋରଞ୍ଜନ ପାଇଁ ପୁଷ୍କରିଣୀ ମଧ୍ୟରେ ଡ୍ରାଇଭିଂର ବ୍ୟବସ୍ଥା କରାଯାଇଛି । ସେମାନେ ଗ୍ରାମୀଣ ସ୍ୱଚ୍ଛ ପରିବେଶରେ ରହିପାରୁଛନ୍ତି । ସୁଖାଦ୍ୟ ତଥା ଅନ୍ୟ ମନୋରଞ୍ଜନ ମଧ୍ୟ ମିଳୁଛି । ତେଣୁ ଗ୍ରାମବାସୀ ତଥା ପର୍ଯ୍ୟଟକ ସମସ୍ତେ ଆନନ୍ଦିତ ।