ଡିଜିପିଙ୍କୁ ଭେଟିଲା କଂଗ୍ରେସ

ଡିଜିପିଙ୍କୁ ଭେଟିଲା କଂଗ୍ରେସ

 ଡିଜିପିଙ୍କୁ ଭେଟିଲା କଂଗ୍ରେସ
ଭୁବନେଶ୍ୱର:ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକଙ୍କ ଗାଡ଼ି ଉପରକୁ ଆକ୍ରମଣ ନେଇ କଂଗ୍ରେସ ପକ୍ଷରୁ କାର୍ଯ୍ୟାନୁଷ୍ଠାନ ଦାବି କରାଯାଇଛି । ଏନେଇ ଆଜି ଦଳ ପକ୍ଷରୁ ଜୟଦେବ ଜେନାଙ୍କ ନେତୃତ୍ୱରେ ଡିଜିପିଙ୍କୁ ଭେଟିଛନ୍ତି । ବହୁ ଶୀଘ୍ର ଆକ୍ରମଣ ଘଟଣା ଉପରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବି କରିଛନ୍ତି । ତାରା ବାହିନୀପତି, ମାନସ ଚୌଧୁରୀ ଓ ଅନ୍ୟ ନେତା ମଧ୍ୟ ଭେଟିଥିଲେ । ଅନ୍ୟପକ୍ଷରେ ତାଙ୍କ ଗାଡ଼ି ଉପରକୁ ଆକ୍ରମଣ ଓ ସୁରକ୍ଷା କର୍ମୀଙ୍କୁ ମାଡ଼ ନେଇ ନିରଞ୍ଜନ ଟୁଇଟ ଜରିଆରେ ନିଜର ପ୍ରତିକ୍ରିୟା ପ୍ରକାଶ କରିଛନ୍ତି । ସେଥିରେ ସେ ଉଲ୍ଲେଖ କରିଛନ୍ତି ଯେ, ଗତକାଲି ରାତିରେ କିଛି ଦୁର୍ବୃତ୍ତ ମୋ ଗାଡ଼ିକୁ ଆକ୍ରମଣ କରିଥିଲେ । ସୁରକ୍ଷା କର୍ମୀ ଓ ଡ୍ରାଇଭରଙ୍କୁ ପିଟିଥିଲେ । ଏନେଇ ଥାନାରେ ଏତଲା ହୋଇଛି । ତେବେ ଆକ୍ରମଣକାରୀ ବିଜେପି ଯୁବମୋର୍ଚ୍ଚା କର୍ମୀ ବୋଲି ଜାଣି ମୁଁ ଚକିତ । ଏହା ବିଜେପିର ରାଜନୈତିକ ଅଭିସନ୍ଧି ଓ ନୈରାଶ୍ୟର ପ୍ରତିଫଳନ । ବିଜେପି ପାଇଁ କଂଗ୍ରେସ ସବୁଠୁ ବଡ଼ ପ୍ରତିବନ୍ଧକ ହୋଇଥିବାରୁ ଏମିତି କାଣ୍ଡ ଘଟିଛି । କାହିଁକି ବିଜେପି ଏମିତି କାପୁରୁଷୋଚିତ ଆଚରଣ କରୁଛି ବୋଲି ନିରଞ୍ଜନ ପ୍ରଶ୍ନ କରିଛନ୍ତି । ଏହାଛଡ଼ା ଯଦି ମୋ ସହ ଏଭଳି ହେଲା ତେବେ ଆମ ମା’ ଓ ଝିଅମାନେ କେତେ ସୁରକ୍ଷିତ ବୋଲି ନିରଞ୍ଜନ ପ୍ରଶ୍ନ କରିଛନ୍ତି । ପ୍ରକାଶ ଯେ, ଗତକାଲି ପିସିସି ସଭାପତି ଶ୍ରୀ ପଟ୍ଟନାୟକ ଓ ତାଙ୍କ ପିଏସଓ ରାଜେଶ ସିଂହ ଗାଡ଼ିରେ ଯାଉଥିଲେ । କାଶୀପୁରଠାରେ ସଂଜୟ ମହାନ୍ତିଙ୍କ ସମେତ କିଛି ଅସାମାଜିକ ଯୁବ ଏକ ବୋଲେରୋରେ ଆସି ଗାଡ଼ି ଅଟକାଇଥିଲେ । ସେମାନେ ଗାଳିଗୁଲଜ ଆରମ୍ଭ କରି ଦେଇଥିଲେ । ଫଳରେ ପିଏସଓ ରାଜେଶ ପ୍ରତିବାଦ କରିବାରୁ ତାଙ୍କୁ ତଂଟିଚିପିବା ସହ ମାଡ଼ ମାରିଥିଲେ । ଯୁବକମାନେ ଗାଡ଼ି ଉପରେ ଚଢ଼ି ହଙ୍ଗାମା ବି କରିଥିଲେ । ଖବର ପାଇଁ କଂଗ୍ରେସ କର୍ମୀମାନେ ଘଟଣାସ୍ଥଳରେ ପହଁଚିଥିଲେ । ଫଳରେ ଯୁବକମାନେ ସେଠାରୁ ଛତ୍ରଭଙ୍ଗ ଦେଇଥିଲେ ।