ମେ ଶେଷ ସପ୍ତାହରେ +୨ ବିଜ୍ଞାନ ଫଳ

ମେ ଶେଷ ସପ୍ତାହରେ +୨ ବିଜ୍ଞାନ ଫଳ

 ମେ ଶେଷ ସପ୍ତାହରେ +୨ ବିଜ୍ଞାନ ଫଳ
ଭୁବନେଶ୍ୱର : ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ (ସିଏଚଏସ)ଦ୍ୱାରା ପରିଚାଳିତ +୨ ବିଜ୍ଞାନ ପରୀକ୍ଷା ଫଳ ମେ ଶେଷ ସପ୍ତାହରେ ପ୍ରକାଶ ପାଇବ । ସେହିପରି ବାଣିଜ୍ୟ, କଳା ଓ ଧନ୍ଦାମୂଳକ ଛାତ୍ରଛାତ୍ରୀଙ୍କ ପରୀକ୍ଷା ଫଳ ଜୁନ୍ ପ୍ରଥମ ସପ୍ତାହରେ ବାହାରିବ । ହେଲେ ଏନେଇ ପରିଷଦ ପକ୍ଷରୁ କୌଣସି ବିଧିବଦ୍ଧ ବିଜ୍ଞପ୍ତି ଜାରି କରାଯାଇନାହିଁ । ବିଶ୍ୱସ୍ତ ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ, ଯୁକ୍ତ ଦୁଇ ଦ୍ୱିତୀୟ ପର୍ଯ୍ୟାୟ ମୂଲ୍ୟାୟନ ୧୦ରୁ ୧୨ ତାରିଖ ଭିତରେ ଶେଷ ହୋଇଯିବ । ପରେ ଛାତ୍ରଛାତ୍ରୀଙ୍କ ନମ୍ବରକୁ ୱେବସାଇଟରେ ଅପଲୋଡ୍ କରାଯିବ । ଏଥିପାଇଁ ୩ରୁ ୪ ଦିନ ସମୟ ଲାଗିବ । ମେ ଶେଷ ସପ୍ତାହ ସୁଦ୍ଧା ବିଜ୍ଞାନ ଛାତ୍ରଛାତ୍ରୀଙ୍କ ଫଳ ବାହାରିବ । ପରେ ପରେ ବାଣିଜ୍ୟ , କଳା ଓ ଧନ୍ଦାମୂଳକ ଛାତ୍ରଛାତ୍ରୀଙ୍କ ପରୀକ୍ଷା ଫଳ ବାହାରିବ । ପରୀକ୍ଷାଫଳ ପ୍ରକାଶ ସମ୍ପର୍କରେ ପରିଷଦର ଡେପୁଟି କଂଟ୍ରୋଲର ପ୍ରଶାନ୍ତ ମହାନ୍ତି କହିଛନ୍ତି , ପରୀକ୍ଷା ଫଳ ବାହାରିବା ନେଇ ଏଯାଏ କୌଣସି ସମୟ ଧାର୍ଯ୍ୟ ହୋଇନାହିଁ । କିନ୍ତୁ ମେ ଶେଷ ସୁଦ୍ଧା ଫଳ ପ୍ରକାଶ କରିବାକୁ ଚେଷ୍ଟା ଚାଲିଛି । ଖାତା ଦେଖା ମଧ୍ୟ ଠିକ୍ ଭାବେ ପରିଚାଳିତ ହେଉଛି । ଦ୍ୱିତୀୟ ପର୍ଯ୍ୟାୟ ଖାତା ଦେଖା ସରିବା ପରେ ଫଳ ପ୍ରକାଶର ତାରିଖ ଘୋଷଣା କରାଯିବ । ପ୍ରଥମ ପର୍ଯ୍ୟାୟ ଇ-ମୂଲ୍ୟାୟନ ବର୍ତମାନ ପର୍ଯ୍ୟନ୍ତ ବହୁ କେନ୍ଦ୍ରରେ ଚାଲିଛି । ପାଖାପାଖି ୮୦ ପ୍ରତିଶତ ଖାତା ଦେଖା ସରିଲାଣି । ଆଉ ଦୁଇ-ତିନି ଦିନ ଭିତରେ ପ୍ରଥମ ପର୍ଯ୍ୟାୟ ଇ-ମୂଲ୍ୟାୟନ ସରିଯିବ । ଆସନ୍ତାକାଲିଠୁ ଦ୍ୱିତୀୟ ପର୍ଯ୍ୟାୟ ଇ-ମୂଲ୍ୟାୟନ ଆରମ୍ଭ ହେବ । ଯେଉଁ କେନ୍ଦ୍ରରେ ଦୁଇଟି ସିଫ୍ଟରେ ପରୀକ୍ଷା ଚାଲିଛି ସେଠାରେ ଦ୍ୱିତୀୟ ପର୍ଯ୍ୟାୟ ମୂଲ୍ୟାୟନ ପାଇଁ ଅଧିକ କମ୍ପୁଟର ଯୋଗାଇ ଦିଆଯିବ । ମେ ୧୦ ତାରିଖ ସୁଦ୍ଧା ଇ-ମୂଲ୍ୟାୟନ ଶେଷ କରିବାକୁ ବିଭାଗ ପକ୍ଷରୁ ସମୟ ରଖାଯାଇଛି । ଅନ୍ୟ ପକ୍ଷରେ ଦ୍ୱିତୀୟ ପର୍ଯ୍ୟାୟ ଅଫଲାଇନ ଖାତା ଦେଖା ୫୮ଟି କେନ୍ଦ୍ର କେନ୍ଦ୍ରରେ ଚାଲିଛି । ନିର୍ବାଚନ ପାଇଁ ଜଗତସିଂହପୁର, ଭଦ୍ରକ , ମୟୂରଭଞ୍ଜ, ଯାଜପୁ. ଇାଲେଶ୍ୱର ଓ କେନ୍ଦ୍ରାପଡାରେ ହୋଇଥିବା କେନ୍ଦ୍ରଗୁଡିକରେ ୩ ଦିନ ହେବ ଖାତା ବନ୍ଦ ରହିଛି । ୧ ତାରିଖରୁ ଏହି ସବୁ ଜିଲ୍ଲାରେ ଖାତା ଦେଖା ଆରମ୍ଭ ହେବ । ୬ ତାରିଖ ଭିତରେ ସବୁ କେନ୍ଦ୍ରରେ ଅଫଲାଇନ ଖାତା ଦେଖା ଶେଷ ହେବ ।