୧ କୋଟି ଲେଖାଏଁ ଦାନ କରିବେ ବିଜେପି ସାଂସଦ

୧ କୋଟି ଲେଖାଏଁ ଦାନ କରିବେ ବିଜେପି ସାଂସଦ

କରୋନା ପାଇଁ ଦେଶରେ ଦେଖାଯାଇଥିବା ବିପର୍ଯ୍ୟୟର ମୁକାବିଲା କରିବା ଲାଗି ବିଜେପି ସାଂସଦ ଓ ବିଧାୟକମାନେ ସହାୟତାର ହାତ ବଢ଼ାଇଛନ୍ତି । ଦଳୀୟ ସର୍ବସମ୍ମତି କ୍ରମେ ନିଆଯାଇଥିବା ନିଷ୍ପତ୍ତି ଅନୁଯାୟୀ ବିଜେପିର ପ୍ରତ୍ୟେକ ସାଂସଦ ସେମାନଙ୍କ ସାଂସଦ ପାଣ୍ଠିରୁ ୧ କୋଟି ଟଙ୍କା ଲେଖାଏଁ କେନ୍ଦ୍ର ସରକାରଙ୍କ ରିଲିଫ ପାଣ୍ଠିକୁ ଦାନ କରିବେ । ଏ ସମ୍ପର୍କରେ ଶନିବାର ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେ.ପି ନଡ୍ଡା ଟୁଇଟ କରି ସୂଚନା ଦେଇଛନ୍ତି । ସେହିପରି ବିଜେପିର ପ୍ରତ୍ୟେକ ସାଂସଦ ଓ ବିଧାୟକ ସେମାନଙ୍କର ଗୋଟିଏ ମାସର ଦରମା କେନ୍ଦ୍ର ସରକାରଙ୍କ ରିଲିଫ ପାଣ୍ଠିକୁ ଦାନ କରିବେ । ସଂସଦରେ ବିଜେପି ୩୮୬ ଜଣ ସାଂସଦ ଅଛନ୍ତି । ଏଥିରୁ ୩୦୩ ଜଣ ଲୋକସଭାର ଓ ୮୩ ଜଣ ରାଜ୍ୟ ସଭାର ସଦସ୍ୟ । ପ୍ରତ୍ୟେକ ସାଂସଦ ନିଜ ନିର୍ବାଚନ ମଣ୍ଡଳୀର ବିକାଶ ନିମନ୍ତେ ବର୍ଷକୁ ୫ କୋଟି ଟଙ୍କାର ସରକାରୀ ଅନୁଦାନ ପାଇଥାନ୍ତି । ନଡ୍ଡା କହିଛନ୍ତି ସେ ବିଜେପି ସାଂସଦ ଓ ବିଧାୟକଙ୍କ ଏହି ଆର୍ଥିକ ସହାୟତା ବ୍ୟତୀତ ଦଳ ପକ୍ଷରୁ ସାଧାରଣ ଲୋକଙ୍କୁ ସହାୟତା ଯୋଗାଇ ଦିଆଯାଉଛି । ଲକଡାଉନ ସମୟରେ ଯେପରି କେହି ଭୋକିଲା ନ ରହିବେ ସେଥିପାଇଁ ବିଜେପି ଦୈନିକ ୫ କୋଟି ଲୋକଙ୍କୁ ଖାଦ୍ୟ ଯୋଗାଇ ଦେବାର ବ୍ୟବସ୍ଥା କରିଛି । ଦଳର ଏକ କୋଟି କର୍ମୀ ଓ ନେତା ଦିନକୁ ୫ ଜଣଙ୍କୁ ଖାଇବାକୁ ଦେଉଛନ୍ତି ।