‘ବାୟୁ’ ସ୍ଥଳଭାଗ ଛୁଇଁବା ପୂର୍ବରୁ ଦିଗ ପରିବର୍ତ୍ତନ
‘ବାୟୁ’ ସ୍ଥଳଭାଗ ଛୁଇଁବା ପୂର୍ବରୁ ଦିଗ ପରିବର୍ତ୍ତନ
admin
Jun 13, 2019 - 10:57
Updated: Jun 13, 2019 - 10:57
ନୂଆଦିଲ୍ଲୀ: ଆରବ ସାଗରରେ ସୃଷ୍ଟି ହୋଇଥିବା ସାମୁଦ୍ରିକ ଝଡ଼ ‘ବାୟୁ’ ସ୍ଥଳଭାଗ ଛୁଇଁବା ପୂର୍ବରୁ ଦିଗ ପରିବର୍ତ୍ତନ କରିଛି । ଉତ୍ତର-ଉତ୍ତର ପଶ୍ଚିମ ଦିଗ ଦେଇ ଗତି କରୁଥିବା ବାତ୍ୟା ବାୟୁ ପୁଣି ଥରେ ସମୁଦ୍ର ଆଡ଼କୁ ମୁହାଁଇଛି । ବେରାବଲ ଠାରୁ ୧୫୦ କିଲୋମିଟର ଦୂରରେ ଦିଗ ପରିବର୍ତ୍ତନ କରିଛି ଏବଂ ଏହା ସୌରାଷ୍ଟ୍ର ଉପକୂଳ ଦେଇ ପାକିସ୍ତାନ ଓ ଓମାନ ଦିଗକୁ ଯିବାର ସମ୍ଭାବନା ରହିଛି । ମାତ୍ର ଏହାର ପ୍ରଭାବରେ ଗୁଜୁରାଟରେ ଅତି ପ୍ରବଳ ବର୍ଷା ସହିତ ବହୁତ ଜୋର୍ରେ ପବନ ବହିବ ବୋଲି ଭାରତୀୟ ପାଣିପାଗ ବିଭାଗ କହିଛି ।
ଗୁଜୁରାଟ ବାସିନ୍ଦାଙ୍କ ପାଇଁ ଆଶ୍ୱସ୍ତି ଆଣି ଦେଇଛି ବାୟୁ । ଘଣ୍ଟା ପ୍ରତି ୧୩୫ ରୁ ୧୪୫ କିଲୋମିଟର୍ ବେଗରେ ଗୁଜୁରାଟ ଆଡ଼କୁ ବଢ଼ୁଥିବା ଘୂର୍ଣ୍ଣି ବାତ୍ୟା ବାୟୁ ବେରାବଲ ନିକଟରେ ଦିଗ ପରିବର୍ତ୍ତନ କରିଛି । ଏହା ଗୁଜୁରାଟ ସ୍ଥଳ ଭାଗ ଛୁଇଁବ ନାହିଁ । ‘ବାୟୁ’ର କେନ୍ଦସ୍ଥଳ ଏବେ ଗୁଜରାଟର ଦକ୍ଷିଣ ପଶ୍ଚିମ ସ୍ଥିତ ବେରବେଲାରୁ ୧୩୦ କିଲୋମିଟର ଏବଂ ପୋରବନ୍ଦରରୁ ୧୮୦ କିଲୋମିଟର ଦୂରରେ ରହିଛି । ଅପରାହ୍ନରେ ସୌରାଷ୍ଟ୍ର ଉପକୂଳ ଦେଇ ଏହା ପୁଣି ଥରେ ସମୁଦ୍ରକୁ ଫେରିବ ଏବଂ ପାକିସ୍ତାନ ଓ ଓମାନକୁ ମୁହାଁଇବ । ଏହି ସମୟରେ ପବନର ବେଗ ଘଣ୍ଟା ପ୍ରତି ୧୩୫ ରୁ ୧୪୫ କିଲୋମିଟର ରହିପାରେ ।
ପୂର୍ବରୁ ‘ବାୟୁ’ ଗୁଜୁରାଟ ଉପକୂଳ ପୋରବନ୍ଦର ଓ କଚ୍ଛ ମଧ୍ୟରେ ସ୍ଥଳ ଭାଗକୁ ଛୁଇଁବ ବୋଲି ଆକଳନ କରାଯାଇଥିଲା । କିନ୍ତୁ ଏହା ରାତିରେ ନିଜର ଦିଗ ପରିବର୍ତ୍ତନ କରି ଦେଇଛି । ରାଜ୍ୟ ସରକାର ହାଇହାଲର୍ଟ ଜାରି କରିଛନ୍ତି । ପ୍ରାୟ ୩ ଲକ୍ଷ ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତରିତ କରାଯାଇଛି । ବାତ୍ୟା ଆସିବା ପୂର୍ବରୁ ୮୨ଟି ଟ୍ରେନ ବାତିଲ କରି ଦିଆଯାଇଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ବାତ୍ୟା ଉପରେ ନଜର ରଖିବାକୁ କେନ୍ଦ୍ରମନ୍ତ୍ରୀ ରାଜନାଥ ସିଂହଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ।