ଡିଜିଟାଲ୍ ବ୍ୟାଙ୍କିଙ୍ଗ୍କୁ ଉନ୍ନତ କରୁଛି ଏଆଇ

ଭୁବନେଶ୍ବର: ସାରା ବିଶ୍ବରେ ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ (ଏଆଇ)ର ପ୍ରଭାବକୁ ନେଇ ଚର୍ଚ୍ଚା ଜାରି ରହିଥିବା ବେଳେ ବିଭିନ୍ନ କ୍ଷେତ୍ରରେ ତାହାର ବ୍ୟବହାର ଆରମ୍ଭ ହୋଇଛି। ଭାରତର ବ୍ୟାଙ୍କ ଶିଳ୍ପ ଏଥିରେ ପଛରେ ନାହିଁ। ଏଆଇର ପ୍ରୟୋଗ ଭାରତରେ ଡିଜିଟାଲ୍ ବ୍ୟାଙ୍କିଙ୍ଗ୍ର ଚେହେରା ବଦଳାଇ ଦେଇଛି। ବ୍ୟାଙ୍କ ଶିଳ୍ପରେ ଏଆଇର ବ୍ୟବହାର ଆରମ୍ଭ ହୋଇଥିବାରୁ ଆଗାମୀ ଦିନରେ ଗ୍ରାହକମାନଙ୍କୁ ମିଳୁଥିବା ସେବାରେ ଆହୁରି ପରିବର୍ତ୍ତନ ଘଟିବ।
ପାରମ୍ପରିକ ସେବାର ସ୍ଥାନ ନେବ ଉନ୍ନତ ସେବା। ପ୍ରତି ଗ୍ରାହକଙ୍କ ପସନ୍ଦ ଓ ଆବଶ୍ୟକତା ଅନୁସାରେ ବ୍ୟାଙ୍କଗୁଡ଼ିକ ଭିନ୍ନ ଭିନ୍ନ ସେବା ଓ ଉତ୍ପାଦ ପ୍ରଦାନ କରିପାରିବେ। ଲୋକମାନଙ୍କ ନିର୍ଦ୍ଦିଷ୍ଟ ଖର୍ଚ୍ଚ କରିବା ଶୈଳୀ, ନିବେଶ ପୋର୍ଟଫୋଲିଓ ଆଦି ବିଚାରକୁ ନେଇ ସେମାନଙ୍କୁ ସୁହାଇବା ଭଳି ସେବା ବିକାଶ କରାଯାଇପାରିବ। ବହୁ ପ୍ରକାର ଡାଟାର ଅନୁଶୀଳନ କରି ଏଆଇ ଗ୍ରାହକଙ୍କୁ ଭିନ୍ନ ଅନୁଭୂତି ପ୍ରଦାନ କରିବାର କ୍ଷମତା ରଖିଛି।