ଓଡ଼ିଶାରୁ ଏଫ୍‌ସିଆଇର ୧୩.୫୩ ଲକ୍ଷ ଟନ୍‌ ଚାଉଳ ସଂଗ୍ର

ଓଡ଼ିଶାରୁ ଏଫ୍‌ସିଆଇର ୧୩.୫୩ ଲକ୍ଷ ଟନ୍‌ ଚାଉଳ ସଂଗ୍ର

ନୂଆଦିଲ୍ଲୀ : ଭାରତୀୟ ଖାଦ୍ୟ ନିଗମ (ଏଫ୍‌ସିଆଇ) ୨୦୨୨-୨୩ ଖରିଫ ବିପଣନ ଋତୁରେ ୧୩ ଜୁଲାଇ, ୨୦୨୩ ସୁଦ୍ଧା ଓଡ଼ିଶାରୁ ୧୩ ଲକ୍ଷ ୫୩ ହଜାର ୨୩୯ ମେଟ୍ରିକ୍ ଟନ୍ ଚାଉଳ ସଂଗ୍ରହ କରିଛି। କେନ୍ଦ୍ର ଉପଭୋକ୍ତା ବ୍ୟାପାର, ଖାଦ୍ୟ ଓ ସାଧାରଣ ବଣ୍ଟନ ରାଷ୍ଟ୍ରମନ୍ତ୍ରୀ ସାଧ୍ବୀ ନିରଞ୍ଜନ ଜ୍ୟୋତି ରାଜ୍ୟସଭାରେ ଏହି ସୂଚନା ଦେଇଛନ୍ତି। ମନ୍ତ୍ରୀଙ୍କ ସୂଚନା ଅନୁଯାୟୀ, ୨୦୨୧-୨୨ ଖରିଫ ବିପଣନ ଋତୁରେ ଏଫ୍‌ସିଆଇ ୯ ଲକ୍ଷ ୧୭ ହଜାର ୬୫୧ ମେଟ୍ରିକ୍ ଟନ୍‌ରୁ ଅଧିକ ଚାଉଳ ସଂଗ୍ରହ କରିଥିଲା। ସେହିପରି ୨୦୨୦-୨୧ ଏବଂ ୨୦୧୯-୨୦ ଖରିଫ ବିପଣନ ଋତୁରେ ଯଥାକ୍ରମେ ୧୮ ଲକ୍ଷ ୯୯ ହଜାର ୪୯୦ ଟନ୍ ଏବଂ ୧୭ ଲକ୍ଷ ୧୫ ହଜାର ୧୦୮ ଟନ୍ ଚାଉଳ ସଂଗ୍ରହ କରିଥିଲା। 

ଗତ ୧୩ ତାରିଖ ସୁଦ୍ଧା ଏଫସିଆଇ ବରଗଡ଼ରୁ ୩୫୭୯୩୩.୦୫୨୮ ଟନ, ସମ୍ବଲପୁରରୁ ୧୫୩୪୫୩.୬୭୧୪ ଟନ, ଝାରସୁଗୁଡ଼ାରୁ ୧୯୮୧୨.୨୫୮ ଟନ, ଦେବଗଡ଼ରୁ ୧୪୪.୮୨୮ ଟନ, ସୁନ୍ଦରଗଡ଼ରୁ ୧୨୭୧୨.୮୬୭ ଟନ, ବଲାଙ୍ଗୀରରୁ ୧୦୬୩୧୨.୭୭୨୯ ଟନ, ସୁବର୍ଣ୍ଣପୁରରୁ ୨୦୨୨୨୨.୮୫୩୮ ଟନ, କଳାହାଣ୍ଡିରୁ ୨୫୪୬୫୬.୧୮୧୯ ଟନ, ନୂଆପଡ଼ାରୁ ୮୩୩୮୨.୮୭୪୪ ଟନ, ଗଞ୍ଜାମରୁ ୬୭୨୩୮.୬୫୫୮ ଟନ, କୋରାପୁଟରୁ ୨୪୯୪୭.୯୯୯୬ ଟନ ଏବଂ ମାଲକାନଗିରିରୁ ୧୩୦୩୦.୪ ଟନ ଚାଉଳ ଏଫସିଆଇକୁ ଦିଆଯାଇଛି। ସେହିଭଳି ନବରଙ୍ଗପୁରରୁ ୧୪୮୯୦.୧୧୦୪ ଟନ, ବାଲେଶ୍ବରରୁ ୧୬୧୮୨.୮୫୭୪ ଟନ, ଭଦ୍ରକରୁ ୧୬୨୦୮.୪୫୧ ଟନ, ନୟାଗଡ଼ରୁ ୯୪୭୩.୫୯୧୨ ଟନ ଏବଂ ଢେଙ୍କାନାଳରୁ ୬୩୬.୩୨୪୨ ଟନ ଚାଉଳ ଏଫସିଆଇ ସଂଗ୍ରହ କରିଛି।

କେନ୍ଦ୍ର ମନ୍ତ୍ରୀ କହିଛନ୍ତି ଯେ ଓଡ଼ିଶା ବିକେନ୍ଦ୍ରୀକୃତ କ୍ରୟ (ଡିସିପି) ରାଜ୍ୟ ମାନ୍ୟତା ଲାଭ କରିଛି ଯେଉଁଠାରେ ରାଜ୍ୟ ସରକାରଙ୍କ ସଂସ୍ଥାଗୁଡ଼ିକ ଧାନ କ୍ରୟ କରିଥାନ୍ତି ଏବଂ ରାଜ୍ୟର ଆବଶ୍ୟକତା ପୂରଣ ହୋଇସାରିବା ପରେ ବଳକା ଚାଉଳ ଭାରତୀୟ ଖାଦ୍ୟ ନିଗମର କେନ୍ଦ୍ରୀୟ ପୁଲ୍‌କୁ ଯାଇଥାଏ। ଧାନ କୁଟିବା ବାବଦରେ ୨୦୧୯-୨୦, ୨୦୨୦-୨୧ ଏବଂ ୨୦୨୧-୨୨ ଆର୍ଥିକ ବର୍ଷରେ ଓଡ଼ିଶା ମିଲରମାନଙ୍କୁ ଏଫସିଆଇ ପକ୍ଷରୁ ଯଥାକ୍ରମେ ୨୬୦.୦୯ କୋଟି, ୨୭୫.୭୫ କୋଟି ଏବଂ ୧୩୦.୧୮ କୋଟି ଟଙ୍କା ପଇଠ କରାଯାଇଛି।