ଆଇପିଏଲ ଫାଇନାଲ ମ୍ୟାଚ : ବିଜେତା ଦଳକୁ ୨୦ କୋଟି, ରନର୍ସଅପ୍କୁ ୧୩ କୋଟି
ଅହମ୍ମଦାବାଦ୍: ଇଣ୍ଡିଆନ ପ୍ରିମିୟର ଲିଗ୍ (ଆଇପିଏଲ)-୧୬ର ରବିବାର ନରେନ୍ଦ୍ର ମୋଦୀ ଷ୍ଟାଡ଼ିୟମରେ ଗୁଜରାଟ ଟାଇଟାନ୍ସ ଓ ଚେନ୍ନଇ ସୁପରକିଙ୍ଗ୍ସ ମଧ୍ୟରେ ଫାଇନାଲ ମ୍ୟାଚ ଖେଳାଯିବ। ଏଥି ସହିତ ଏହି ଫଟାଫଟ କ୍ରିକେଟର ଯବନିକା ପଡିବ। ଚଳିତ ଆଇପିଏଲରେ ମୋଟ ୪୬.୫ କୋଟି ଟଙ୍କା ଆର୍ଥିକ ପୁରସ୍କାର ପ୍ରଦାନ କରାଯିବ। ବିଜେତା ଦଳକୁ ୨୦ କୋଟି ଓ ରନର୍ସଅପ ଦଳକୁ ୧୩ କୋଟି ଟଙ୍କା ପୁରସ୍କାର ପ୍ରଦାନ କରାଯିବ ବୋଲି ଶନିବାର ବିସିସିଆଇ ପକ୍ଷରୁ ଘୋଷଣା କରାଯାଇଛି। ସେହିପରି ୩ୟ ସ୍ଥାନ ଦଳକୁ ୭ କୋଟି ଓ ୪ର୍ଥ ସ୍ଥାନ ଦଳକୁ ୬.୫ କୋଟି ଟଙ୍କା ପୁରସ୍କାର ପ୍ରଦାନ କରାଯିବ।
ଏହାଛଡ଼ା ସର୍ବାଧିକ ରନ କରିଥିବା ବ୍ୟାଟ୍ସମ୍ୟାନ କମଳା ଟୋପି ବିଜେତା ଓ ସର୍ବାଧିକ ୱିକେଟ ହାସଲକାରୀ ବାଇଗିଣୀ ଟୋପି ବିଜେତାଙ୍କୁ ୧ କୋଟି ୫୦ ଲକ୍ଷ ଟଙ୍କାଏ ଆର୍ଥିକ ପୁରସ୍କାର ପ୍ରଦାନ କରାଯିବ। ଟୁର୍ଣ୍ଣାମେଣ୍ଟର ଇମର୍ଜିଂ ଖେଳାଳିଙ୍କୁ ୨୦ ଲକ୍ଷ,ଶ୍ରେଷ୍ଠ ଉଦୀୟମାନ ଖେଳାଳି ବିଜେତାଙ୍କୁ ୧୨ ଲକ୍ଷ, ପାୱାର ପ୍ଳେ ଅଫ ସିଜିନ, ସୁପର ଷ୍ଟ୍ରାଇକର ଅଫ ଦି ସିଜିନ, ଗେମ୍ ଚେଞ୍ଜର ଅଫ ଦି ସିଜିନ ଖେଳାଳିଙ୍କୁ ୧୫ ଲକ୍ଷ ଓ ୧୨ ଲକ୍ଷ ଟଙ୍କା ପୁରସ୍କାର ପ୍ରଦାନ କରାଯିବ। ଏହାଛଡ଼ା ପ୍ରତି ମ୍ୟାଚର ଶ୍ରେଷ୍ଠ ଖେଳାଳିଙ୍କୁ ମଧ୍ୟ ୧ ଲକ୍ଷ ଟଙ୍କା ଲେଖାଏଁ ପୁରସ୍କାର ପ୍ରଦାନ କରାଯାଇଛି। ୨୦୦୮ ଆଇପିଏଲ ପ୍ରଥମ ସଂସ୍କରଣ ବିଜେତା ଦଳକୁ ୪.୮ କୋଟି ଓ ରନର୍ସଅପ ଦଳକୁ ୨.୪ କୋଟି ଟଙ୍କା ପୁରସ୍କାର ପ୍ରଦାନ କରାଯାଇଥିଲା। ୨୦୦୯ରେ ମଧ୍ୟ ସମାନ ସଂଖ୍ୟକ ଅର୍ଥରାଶି ପ୍ରଦାନ କରାଯାଇଥିଲା। ୨୦୧୦ରେ ଡିଏଲ୍ଏଫ ଟାଇଟଲ ପ୍ରାୟୋଜକ ହେବା ପରେ ପୁରସ୍କାର ରାଶି ବଢି ଯାଇଥିଲା।
୨୦୧୦ରୁ ୨୦୧୩ ପର୍ୟ୍ୟନ୍ତ ବିଜେତା ଦଳକୁ ୧୦ କୋଟି ଓ ରନର୍ସଅପ ଦଳକୁ ୫ କୋଟି ଟଙ୍କା ପୁରସ୍କାର ମିଳିଥିଲା। ୨୦୧୪ ଓ ୨୦୧୫ରେ ବିଜେତା ଦଳକୁ ୧୫ କୋଟି ଓ ରନର୍ସଅପ ଦଳକୁ ୧୦ କୋଟି ଟଙ୍କା ମିଳିଥିଲା। ୨୦୧୬ରୁ ୨୦୧୯ ପର୍ୟ୍ୟନ୍ତ ବିଜେତା ଦଳକୁ ୨୦ କୋଟି ଓ ରନର୍ସଅପ ଦଳକୁ ୧୧ କୋଟି ଟଙ୍କା ପୁରସ୍କାର ମିଳିଥିଲା। ୨୦୨୧ ଓ ୨୦୨୨ରେ ବିଜେତା ଦଳର ପୁରସ୍କାର ରାଶି ପୂର୍ବଭଳି ୨୦ କୋଟିରେ ରହିଥିଲା। ୨୦୨୩ରେ ବିଜେତା ରାଶି ସମାନ ରହିଥିଲେ ମଧ୍ୟ ରନର୍ସଅପ ପୁରସ୍କାର ରାଶିକୁ ୧୧ କୋଟିରୁ ୧୩ କୋଟିକୁ ବୃଦ୍ଧି କରାଯାଇଛି।