ରାଜେନ୍ଦ୍ର ଓ ବିଭୂତିଙ୍କୁ ମିଳିବ ଟିକେଟ 

ରାଜେନ୍ଦ୍ର ଓ ବିଭୂତିଙ୍କୁ ମିଳିବ ଟିକେଟ 
 

ସାଧାରଣ ନିର୍ବାଚନ ପାଖେଇ ଆସୁଥିବାରୁ ବିଜେଡ଼ିରେ ଏବେ ଟିକେଟ ଲବି ଜୋର ଧରିଛି  । ବିଧାୟକଙ୍କ ସମର୍ଥକ ଓ ବିରୋଧୀ ଗୋଷ୍ଠୀ ମଧ୍ୟରେ ଲାଗି ରହିଛି ଛକାପଞ୍ଝା  । ନବୀନ ନିବାସରୁ ବିଧାୟକ ଓ ନେତାମାନଙ୍କୁ ବି ଡାକରା ଆସୁଛି  । ଯାହାକୁ ନେଇ ବିଜେଡ଼ି ରାଜନୀତି ଚଳଚଂଚଳ ହୋଇଯାଇଛି  । ନବୀନ କେଉଁ ନେତାଙ୍କୁ ଡାକୁଛନ୍ତି ଆଉ କ’ଣ କହୁଛନ୍ତି ତାହା ଏବେ ବିଜେଡ଼ି ଅଳିନ୍ଦରେ ଚର୍ଚ୍ଚାର ବିଷୟ ପାଲଟିଛି  । ନିକଟରେ ନବୀନ ନିବାସ ଯାଇଥିଲେ ବେଗୁନିଆ ବିଧାୟକ ରାଜେନ୍ଦ୍ର ସାହୁ ଓ ଖୋର୍ଦ୍ଧା ବିଜେଡ଼ି ସଭାପତି ବିଭୂତି ବଳବନ୍ତରାୟ  । ରାଜେନ୍ଦ୍ର ଓ ବିଭୂତିଙ୍କୁ ଡକରା ଆସିଥିବାରୁ ଖୋର୍ଦ୍ଧା ରାଜନୀତି ସରଗରମ ହୋଇଯାଇଛି  ।

ମିଳିଥିବା ସୂଚନା ଅନୁଯାୟୀ, ରାଜେନ୍ଦ୍ର ଓ ବିଭୂତିଙ୍କୁ ଟିକେଟ ନେଇ ବିଜେଡ଼ି ସୁପ୍ରିମୋ ସବୁଜ ସଂକେତ ଦେଇଛନ୍ତି  । ମିଳିମିଶି ସଂଗଠନ କରିବାକୁ ପରାମର୍ଶ ବି ଦିଆଯାଇଛି  । ଯାହାକୁ ନେଇ ଉଭୟ ନେତାଙ୍କ କ୍ୟାମ୍ପ ଉତ୍ସାହିତ ହୋଇପଡ଼ିଛି  । ରାଜେନ୍ଦ୍ରଙ୍କୁ ଖୋର୍ଦ୍ଧା ଓ ବିଭୂତିଙ୍କୁ ଜଟଣୀ ଟିକେଟ ମିଳିବ ବୋଲି ସେମାନଙ୍କ ସମର୍ଥକମାନେ କହି ବୁଲୁଛନ୍ତି  । ତେବେ ଅନ୍ୟ ଏକ ସୂତ୍ର ଅନୁଯାୟୀ, ଉଭୟଙ୍କୁ ଟିକେଟ ମିଳିବ ବୋଲି କୁହାଯାଇଥିଲେବି କେଉଁଠାରୁ ଟିକେଟ ଦିଆଯିବ ସେନେଇ ସ୍ପଷ୍ଟ କରାଯାଇନାହିଁ  । ଯେଉଁଥିପାଇଁ ବିଭୂତି ଓ ରାଜ ଦ୍ୱନ୍ଦ୍ୱରେ ଥିବା ଜାଣିବାକୁ ମିଳିଛି  । ରାଜେନ୍ଦ୍ର ଏବେ ବେଗୁନିଆ ବିଧାୟକ ଥିବାବେଳେ ପୂର୍ବରୁ ଦୁଇଥର ଖୋର୍ଦ୍ଧାର ବିଧାୟକ ଥିଲେ  । ବେଗୁନିଆ ଅପେକ୍ଷା ସେ ଖୋର୍ଦ୍ଧାରୁ ଲଢ଼ିବା ପାଇଁ ଅଧିକ ଆଗ୍ରହୀ ଅଛନ୍ତି  । କିନ୍ତୁ ବେଗୁନିଆ କି ଖୋର୍ଦ୍ଧା ନେଇ ସ୍ପଷ୍ଟ କରାଯାଇନଥିବାରୁ ଉଭୟ ନିର୍ବାଚନମଣ୍ଡଳୀରେ ସେ ସଂଗଠନ କରିବେ ବୋଲି ଘୋଷଣା କରିଛନ୍ତି  । ଅପରପକ୍ଷରେ ରାଜେନ୍ଦ୍ରଙ୍କୁ ଡକରା ଆସିଥିବାରୁ ଖୋର୍ଦ୍ଧା ବିଧାୟକ ଜିତୁ ମିତ୍ରଙ୍କ କ୍ୟାମ୍ପ ନିରାଶ ହୋଇଯାଇଛି  । ସେପଟେ ବେଗୁନିଆରେ ପ୍ରଦୀପ ସାହୁଙ୍କ କ୍ୟାମ୍ପ ଉତ୍ସାହିତ ଅଛି  । ଯଦି ରାଜେନ୍ଦ୍ରଙ୍କୁ ଖୋର୍ଦ୍ଧାରୁ ଟିକେଟ ମିଳେ ତେବେ ପ୍ରଦୀପଙ୍କ ବେଗୁନିଆ ଟିକେଟ ଫାଇନାଲ ବୋଲି ତାଙ୍କର ସମର୍ଥକମାନେ ଆଶା କରୁଛନ୍ତି  । 

ରାଜେନ୍ଦ୍ରଙ୍କ କ୍ୟାମ୍ପ ଭଳି ବିଭୂତି ବଳବନ୍ତରାୟଙ୍କ କ୍ୟାମ୍ପରେ ଉତ୍ସାହ ସୃଷ୍ଟିହୋଇଛି  । ନବୀନ ନିବାସରେ ରାଜେନ୍ଦ୍ର ଓ ବିଭୂତିଙ୍କୁ ଏକାଠି କରାଯାଇଥିବା ଜଣାପଡ଼ିଛି  । ଗତ ସାଧାରଣ ନିର୍ବାଚନ ପରେପରେ ଉଭୟ ରାଜେନ୍ଦ୍ର ଓ ବିଭୂତିଙ୍କ ସମ୍ପର୍କ ତିକ୍ତ ହୋଇଯାଇଥିଲା  । ତେବେ ବିଭୂତିଙ୍କୁ ଗ୍ରୀନ ସିଗନାଲ ମିଳିଥିଲେବି କେଉଁଠାରୁ ଟିକେଟ ଦିଆଯିବ ତାହା ସ୍ପଷ୍ଟ କରାଯାଇନାହିଁ  । ବିଭୂତି ଜଟଣୀରେ ସଂଗଠନ କରୁଥିଲେବି ବେଗୁନିଆ ଉପରେ ନଜର ରଖିଥିଲେ  । ଜଟଣୀରୁ ସେ ଲଢ଼ିବାକୁ ପ୍ରସ୍ତୁତ ହେଉଥିବାବେଳେ ବିଭୂତି ବିରୋଧୀଙ୍କ ପକ୍ଷଚ୍ଛେଦନ ଆରମ୍ଭ ହୋଇଯାଇଛି  । ନବୀନ ନିବାସରୁ ଫେରିବା ପରେ ଜଟଣୀର ଟାଣୁଆ ନେତା ସନ୍ତୋଷ ଜେନାଙ୍କୁ ଦଳରୁ ବହିଷ୍କାର କରାଯାଇଛି  । ତେବେ ଟିକେଟ ଯେଉଁଠୁ ମିଳୁନା କାହିଁକି ମିଳିବା ନିଶ୍ଚିତ ଜାଣିବା ପରେ ବିଭୂତିଙ୍କ ଶିବିର ବେଶ ଉତ୍ସାହିତ ହୋଇଯାଇଛି  ।

ଏସବୁ ରାଜନୀତିକ ହଟଚମଟ ଭିତରେ ପ୍ରଶାନ୍ତ ଜଗଦ୍ଦେବଙ୍କ କ୍ୟାମ୍ପ ମଧ୍ୟ ଅଙ୍କ କଷା ଆରମ୍ଭ କରିଦେଇଛି  । ବିଜେଡ଼ିରେ ଏବେ ପ୍ରଶାନ୍ତଙ୍କ ପତ୍ନୀ ସ୍ୱାଗତିକା ଜଗଦ୍ଦେବ ବେଶ ସକ୍ରିୟ ଅଛନ୍ତି  । ଯଦି ବିଜେଡ଼ିରୁ ଟିକେଟ ନମିଳେ ତେବେ ପରବର୍ତୀ ରଣନୀତି ନେଇ ବି ପ୍ରଶାନ୍ତ ଯୋଜନା କରୁଥିବା ଜାଣିବାକୁ ମିଳିଛି  । ସେପଟେ ଜିତୁ ମିତ୍ର ମଧ୍ୟ ଗଣେଶଙ୍କ ସହ ହାତ ମିଳେଇବେ ବୋଲି ଖୋର୍ଦ୍ଧା ରାଜନୀତିରେ ଚର୍ଚ୍ଚା ହେଉଛି  ।