ପୋଲିସ ଆଗରେ ବି ସୁରକ୍ଷିତ ନୁହଁ ଟଙ୍କା

ପୋଲିସ ଆଗରେ ବି ସୁରକ୍ଷିତ ନୁହଁ ଟଙ୍କା

ପିପିଲି ଥାନା ସମ୍ମୁଖରୁ ଲୁଟ । ସ୍ୱୟଂ ସହାୟକ ଗୋଷ୍ଠୀ ମହିଳାଙ୍କ ହାତରୁ ଲକ୍ଷାଧିକ ଟଙ୍କା ଝାମ୍ପି ନେଲେ ଦୁଇ ବାଇକ୍ ଲୁଟେରା । ଏହି ଲୁଟ  ଘଟଣାକୁ ନେଇ ସାରା ପିପିଲି  ଅଂଚଳରେ ଚଞ୍ଚକତା । ଅପରାହ୍ଣ 3.40 ମିନିଟ ସମୟରେ  ଥାନା ସମ୍ମୁଖରେ ଥିବା ପିପିଲି ଷ୍ଟେଟ ବ୍ୟାଙ୍କରୁ ଟଙ୍କା ଉଠାଇ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ ସଦସ୍ୟା ଚିନୁ ସାହୁ , ସି.ଆର.ପି. ସଦସ୍ୟା ସୁଜାତା ମହାପାତ୍ରଙ୍କ ସ୍କୁଟିରେ ଯିବା ପାଇଁ ଅପେକ୍ଷାରେ ଥିବା ବେଳେ ହଠାତ୍ ଏକ କଳା  ପଲସରେ ଦୁଇଜଣ  ଯୁବକ ଆସି ଚିନୁଙ୍କ ଠାରୁ ୫ଲକ୍ଷ୍ ୫୮ ହଜାର ଟଙ୍କା ଝାମ୍ପି ନେଇ ଭୁବନେଶ୍ୱର ଅଭିମୁଖେ ପଳାଇଥିଲେ । ସୂଚନା ଅନୁଯାୟୀ ପିପିଲି ଷ୍ଟେଟ ବ୍ୟାଙ୍କ ଶାଖାରେ ପିପିଲି ସଂପୁର ବାଲିପଡିଆ ଗ୍ରାମର କୃଷ୍ଣ କୃପା ସ୍ୱୟଂ ସହାୟକ ଗୋଷ୍ଠୀର 10 ଲକ୍ଷ ଟଙ୍କା ଋଣ ମଂଜୁର ହୋଇଥିଲା । ତାର ଉଠାଣ କରିବା ପାଇଁ  ମହିଳା ସ୍ୱୟଂ ସହାୟକ ଗୋଷ୍ଟିର ସମସ୍ତ ସଦସ୍ୟାମାନେ ପିପିଲି ବ୍ୟାଙ୍କ ଶାଖାକୁ ଆସିଥିଲେ। କିନ୍ତୁ ବ୍ୟାଙ୍କରେ ଟଙ୍କା ଷ୍ଟକ ନ ଥିବାରୁ ଦେବାରେ ବିଳମ୍ବ ହେବ କହି ବ୍ୟାଙ୍କ କର୍ତ୍ତୃପକ୍ଷ ଜଣେ ରହି, ଅନ୍ୟମାନେ ଘରକୁ ଫେରିଯିବା ପାଇଁ   ପରାମର୍ଶ ଦେଇଥିଲେ l ଠିକ ବ୍ୟାଙ୍କ କ୍ୟାସିଅର  3.30 ମିନିଟ ସମୟରେ ଟଙ୍କା ଉଠାଣ କରି  ସିଆରପି ସୁଜାତା ମହାପାତ୍ର ଓ ସଦସ୍ୟା ଚିନୁ ସାହୁଙ୍କୁ ପ୍ରତ୍ୟକ୍ଷ ଭାବେ 5 ଲକ୍ଷ 58 ହଜାର ଟଙ୍କା ପ୍ରଦାନ କରିଥିଲେ l ବ୍ୟାଙ୍କ ବାହାରକୁ ଚିନୁ ଓ ସୁଜାତା ଆସି ଯିବା ପାଇଁ ଉଦ୍ୟତ ହେଉଥିଲା ବେଳେ ଏପରି ଅଭାବନୀୟ ଘଟଣା ଘଟିଛି l

ସେପଟେ ବ୍ୟାଙ୍କ କର୍ତ୍ତୃପକ୍ଷ  ସଭାପତି ମିନତୀ ରାଉତ ଓ ସମ୍ପାଦିକା ରେଣୁବାଳା ମହାରଣାଙ୍କ ଅନୁପସ୍ଥିତିରେ ଉକ୍ତ ଟଙ୍କା  ପ୍ରଦାନ ସାଧାରଣରେ ସନ୍ଦେହ ସୃଷ୍ଟି କରିଛି । ତେବେ ସଭାନେତ୍ରୀ ଓ ସମ୍ପାଦିକା  ଉକ୍ତିକୁ ଆଧାର କରି ଷ୍ଟେଟ ବ୍ୟାଙ୍କ ପରିଚାଳକଙ୍କୁ ପ୍ରଶ୍ନ ପଚାରିବାରେ ସେ କହିଛନ୍ତି ଯେ ଗୋଷ୍ଠୀ ପଦାଧିକାରୀଙ୍କ ବ୍ୟତୀତ ସାଧାରଣ ସଦସ୍ୟାଙ୍କୁ ଟଙ୍କା ହସ୍ତାନ୍ତର କରାଯିବା ନିୟମ ନାହିଁ ଏବଂ ଏହି କଥା ସେ ଜାଣିନାହାନ୍ତି କିନ୍ତୁ ଅନୁସନ୍ଧାନ କରିବେ ବୋଲି ସେ କହିଛନ୍ତି l ଏଥିରୁ ଘଟଣା ପ୍ରତି ସାଧାରଣରେ ଅନେକ ପ୍ରଶ୍ନବାଚୀ ଓ ସନ୍ଦେହ ସୃଷ୍ଟି ହେଉଛି l ସେପଟେ ପିପିଲି ପୋଲିସ ଚିନୁ ସାହୁଙ୍କ ଲିଖିତ ଅଭିଯୋଗ ଗ୍ରହଣ କରି ତନାଘନା ତଦନ୍ତ  ଆରମ୍ଭ କରିଛି । ସିସିଟିଭି ଫୁଟେଜ ଆଧାରରେ ଲୁଟେରାଙ୍କ ଗତିବିଧି ଉପରେ ତଦନ୍ତ ଚାଲିଥିବା ଥାନା ଅଧିକାରୀ ସୋମ୍ୟନ୍ଦୁ ଶେଖର ତ୍ରିପାଠୀ କହିଛନ୍ତି। ଏହି ଘଟଣା ନେଇ ପୋଲିସ ତନାଘନା ଆରମ୍ଭ କରିଥିବା ବେଳେ ସିସିଟିଭି ଫୁଟେଜକୁ ଆଧାର କରି ଲୁଟେରାଙ୍କ ଗତିବିଧି କୁ କଡ଼ା ନଜର ରଖିଛି।