ବିରାଟ ଓ ଜାଡେଜାଙ୍କୁ ପ୍ରଶଂସା କଲେ ରୋହିତ

ବିରାଟ ଓ ଜାଡେଜାଙ୍କୁ ପ୍ରଶଂସା କଲେ ରୋହିତ

କୋଲକାତା: ବିଶ୍ବକପର ୩୭ତମ ମ୍ୟାଚ୍‌ରେ ଦକ୍ଷିଣ ଆଫ୍ରିକାକୁ ହରାଇ ଭାରତ ବିଜୟୀ ହୋଇଛି । କ୍ରମାଗତ ୮ମ ମ୍ୟାଚ୍‌ ଜିତି ଭାରତ ବିଶ୍ବକପ୍‌ରେ ଅପରାଜୟ ରହିଛି । ରବିବାର ଖେଳାଯାଇଥିବା ମ୍ୟାଚ୍‌ରେ ବିରାଟ କୋହଲିଙ୍କ ଦମଦାର ଶତକ ଓ ଜାଡେଜାଙ୍କ ଘାତକ ବୋଲିଂ ଯୋଗୁଁ ୨୪୩ ରନରେ ଭାରତ ବିଜୟୀ ହୋଇଥିଲା । ମ୍ୟାଚ ଶେଷ ହେବାପରେ ବିରାଟ କୋହଲି ଓ ଜାଡେଜାଙ୍କ ପ୍ରଦର୍ଶନକୁ ନେଇ ବେଶ ପ୍ରଶଂସା କରିଛନ୍ତି ଅଧିନାୟକ ରୋହିତ ଶର୍ମା ।

ମ୍ୟାଚ୍‌ ଶେଷ ହେବା ପରେ ରୋହିତ ଶର୍ମା କହିଛନ୍ତି, "ବିଶ୍ବକପ୍‌ରେ ଏହା ଆମର ଅଷ୍ଟମ ବିଜୟ । ଯଦି ଦେଖାଯାଏ ଗତ ତିନୋଟି ମ୍ୟାଚ୍‌ରେ ଆମର ପ୍ରଦର୍ଶନ ଭଲ ରହିଛି । ପରିସ୍ଥିତିକୁ ଦେଖି ଆମେ ଖେଳିଥିଲୁ । ଇଂଲଣ୍ଡ ବିପକ୍ଷରେ ଖେଳିବା ସମୟରେ ଆମେ ସାମାନ୍ୟ ଚାପରେ ଥିଲୁ । ଶ୍ରୀଲଙ୍କା ବିପକ୍ଷରେ ଖେଳାଯାଇଥିବା ମ୍ୟାଚ୍‌ରେ ପ୍ରଥମ ଓଭରରେ ଆମର ଓ୍ବିକେଟ୍‌ ପଡ଼ିଥିଲା । କିନ୍ତୁ ଆମେ ଭଲ ସ୍କୋର୍‌ କରିପାରିଥିଲୁ । ଦକ୍ଷିଣ ଆଫ୍ରିକା ବିପକ୍ଷରେ ଖେଳିବା ଆମ ପାଇଁ ସହଜ ମଧ୍ୟ ନଥିଲା । କୋହିଲଙ୍କ ପରି ଜଣେ ବ୍ୟାଟର ଆମେ ଆବଶ୍ୟକ କରୁଥିଲୁ । ଯିଏକି ପରିସ୍ଥିତିକୁ ଦେଖି ଖେଳି ପାରିବେ । ବାମହାତୀ ସ୍ପିନର ରବୀନ୍ଦ୍ର ଜାଡେଜାଙ୍କ ବୋଲିଂ ମଧ୍ୟ ବେଶ ପ୍ରଭାବଶାଳୀ ଥିଲା । ସେ ଦକ୍ଷିଣ ଆଫ୍ରିକାର ୫ଟି ଓ୍ବିକେଟ ନେଇଥିଲେ । ତାଙ୍କର ପ୍ରଦର୍ଶନ ଭଲ ରହିଛି । ସେ ବଡ଼ ବଡ଼ ମ୍ୟାଚରେ ଦଳକୁ ବିଜୟୀ କରାଇଛନ୍ତି ।
ସେ ଆହୁରି ମଧ୍ୟ କହିଥିଲେ ଯେ, ଶ୍ରେୟାସ ଆୟରଙ୍କ ପ୍ରଦର୍ଶନ ମଧ୍ୟ ବେଶ ଭଲ ରହିଥିଲା। ଯୁବ ଖେଳାଳିଙ୍କୁ ସୁଯୋଗ ଦିଆଯିବ ଭଲ, ଦଳ ତାଙ୍କ ଠାରୁ ଭଲ ପ୍ରଦର୍ଶନ ଆଶା ରଖିଥିଲା । ମହମ୍ମଦ ସାମିଙ୍କ ପ୍ରଦର୍ଶନ ମଧ୍ୟ ବେଶ ଭଲ ରହିଛି । ଗିଲ୍‌ଙ୍କ ପ୍ରଦର୍ଶନ ମଧ୍ୟ ଭଲ ରହିଛି । ଗତ ଦୁଇଟି ମ୍ୟାଚରେ ଭଲ ରନ୍‌ କରିଛନ୍ତି ।
କୋଲକାତାର ଇଡେନ୍‌ଗାର୍ଡେନ୍‌ରେ ରବିବାର ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ମ୍ୟାଚ୍‌ ଖେଳାଯାଇଥିଲା । ପ୍ରଥମେ ବ୍ୟାଟିଂ କରି ବିରାଟ କୋହଲିଙ୍କ ଧୈର୍ୟ୍ୟପୂର୍ଣ୍ଣ ଶତକ ବଳରେ ଭାରତ ୩୨୬ ରନ୍‌ କରିଥିଲା । ଜବାବରେ ଭାରତୀୟ ବୋଲିଂ ବିଭାଗର ଶାଣିତ ଆକ୍ରମଣରେ ଆତ୍ମସମର୍ପଣ କରିଥିଲା ଦକ୍ଷିଣ ଆଫ୍ରିକା । ରବୀନ୍ଦ୍ର ଜାଡେଜାଙ୍କ ୫ ୱିକେଟ୍‌ ସଫଳତା ସହ ଦକ୍ଷିଣ ଆଫ୍ରିକାକୁ ୮୩ ରନ୍‌ରେ ଅଲ୍‌ଆଉଟ୍‌ କରିବାରେ ସଫଳ ହୋଇଛି ଭାରତ । ଫଳରେ ୨୪୩ ରନ୍‌ରେ ବୃହତ ବିଜୟ ସହ ୮ ମ୍ୟାଚ୍‌ରୁ ରେକର୍ଡ ୮ ବିଜୟ ହାସଲ କରିଛି ଭାରତ ।