ଆଇପିଏଲ ପ୍ଲେ ଅଫ୍ ବର୍ଥ : ଜାଣନ୍ତୁ କେଉଁ ଦଳର କଣ ରହିଛି ସ୍ଥିତି
ଆଇପିଏଲ ପ୍ଲେ ଅଫ୍ ବର୍ଥ : ଜାଣନ୍ତୁ କେଉଁ ଦଳର କଣ ରହିଛି ସ୍ଥିତି
admin
Nov 2, 2020 - 12:25
Updated: Nov 2, 2020 - 12:25
ନୂଆଦିଲ୍ଲୀ : ଆଇପିଏଲର ୧୩ ତମ ସଂସ୍କରଣ ଏହାର ଅନ୍ତିମ ଚରଣରେ ପହଞ୍ଚିଥିବା ବେଳେ ପ୍ଲେଅଫକୁ ବର୍ଥକୁ ନେଇ ଆଶାବାଦୀ ରହିଛନ୍ତି ୪ ଦଳ । ପୂର୍ବରୁ ମୁମ୍ବାଇ ଇଣ୍ଡିଆନ୍ସ ଏକମାତ୍ର ଦଳ ଭାବରେ ପ୍ଲେ ଅଫରେ ପହଞ୍ଚି ସାରିଥିବା ବେଳେ ପଞ୍ଜାବ, ରାଜସ୍ଥାନ ଏବଂ ଚେନ୍ନାଇ ଟୁର୍ଣ୍ଣାମେଣ୍ଟରୁ ବିଦାୟ ନେଇ ସାରିଛନ୍ତି । ଏହା ମଧ୍ୟରେ ୩ଟି ପ୍ଲେ ଅଫ ବର୍ଥ ଖାଲି ରହିଥିବା ବେଳେ ପ୍ରତିଦ୍ୱନ୍ଦିତା କରୁଛନ୍ତି ୪ଟି ଦଳ । ସମସ୍ତ ୪ ଦଳ ନିକଟରେ ପ୍ଲେ ଅଫର ସମାନ ସୁଯୋଗ ରହିଥିବା ବେଳେ ରନରେଟ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିବ । ଆସନ୍ତୁ ଜାଣିବା ପ୍ଲେ ଅଫ୍ ପାଇଁ କେଉଁ ଦଳକୁ କଣ ଆବଶ୍ୟକତା ରହିଛି ।
ଋୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର : ପଏଣ୍ଟ ଟେବୁଲର ଦ୍ୱିତୀୟ ସ୍ଥାନରେ ରହିଥିବା ବିରାଟ କୋହଲିଙ୍କ ନେତୃତ୍ୱାଧୀନ ଆରସିବି ନିଜର ଅନ୍ତିମ ମ୍ୟାଚରେ ଦିଲ୍ଲୀ କ୍ୟାପିଟାଲ୍ସକୁ ଭେଟିବ । ଏହି ମ୍ୟାଚର ବିଜୟୀ ହେଲେ ଆରସିବି ପ୍ଲେଅଫକୁ ଯୋଗ୍ୟତା ଅର୍ଜନ କରିବ । ତେବେ ପରାଜିତ ହେଲେ ଦଳକୁ ମୁମ୍ବାଇ-ହାଇଦ୍ରାବାଦ ମ୍ୟାଚ ପର୍ଯ୍ୟନ୍ତ ଅପେକ୍ଷା କରିବାକୁ ପଡି । ଦଳର ରନରେଟ ଋଣାତ୍ମକ ରହିଥିବା ବେଳେ ମୁମ୍ବାଇ ବିଜୟୀ ହେଲେ ଆରସିବି ଯୋଗ୍ୟତା ଅର୍ଜନ କରିବ ।
ଦିଲ୍ଲୀ କ୍ୟାପିଟାଲ୍ସ : ପଏଣ୍ଟ ଟେବୁଲର ତୃତୀୟ ସ୍ଥାନରେ ରହିଥିବା ଦିଲ୍ଲୀ ଆଜିର ମ୍ୟାଚରେ ବିଜୟ ହାସଲ କରି ପ୍ଲେ ଅଫକୁ ଯିବାକୁ ଚାହିଁବ ତେବେ ଯଦି ପରାଜିତ ହୁଏ ତାହେଲେ ଆସନ୍ତା କାଲିର ମୁକାବିଲାକୁ ଅପେକ୍ଷା କରିବ । କେକେଆର ଅପେକ୍ଷା ଦଳର ରନରେଟ ଭଲ ଥିବାରୁ ହାଇଦ୍ରାବାଦର ପରାଜୟ ଚାହିଁବ ଦିଲ୍ଲୀ ।
କୋଲକାତା ନାଇଟ ରାଇଡର୍ସ : ଇଓନ ମୋର୍ଗାନଙ୍କ ଦଳ କେକେଆର ଅଦ୍ୟାବଧି ନିଜର ସମସ୍ତ ମ୍ୟାଚ ଖେଳି ସାରିଥିବା ବେଳେ ପଏଣ୍ଟ ଟେବୁଲର ଚତୁର୍ଥ ସ୍ଥାନରେ ରହିଛି । ଦଳ ବର୍ତ୍ତମାନ କେବଳ ଗୋଟିଏ ସ୍ଥିତିରେ ପ୍ଲେ ଅଫ ଖେଳିପାରିବ । ଯଦି ମୁମ୍ବାଇ ବିଜୟୀ ହୁଏ ତେବେ କେକେଆର ପ୍ଲେଅଫ୍ ଖେଳିବ ଅନ୍ୟଥା ହାଇଦ୍ରାବାଦ (+୦.୫୫) ଉନ୍ନତ ରନ ରେଟରେ ପ୍ଲେଅଫକୁ ଉନ୍ନୀତ ହେବ ।
ସନରାଇଜର୍ସ ହାଇଦ୍ରାବାଦ : ଡେଭିଡ ୱାର୍ଣ୍ଣରଙ୍କ ଦଳ ୧୩ଟି ମ୍ୟାଚରୁ ୧୨ ପଏଣ୍ଟ ପାଇଥିବା ବେଳେ ଅନ୍ତିମ ମ୍ୟାଚଟି ଦଳ ପାଇଁ ଗୁରୁତ୍ୱପୂର୍ଣ୍ଣ ହୋଇପଡିଛି । ଏହି ମ୍ୟାଚରେ ବିଜୟୀ ହେଲେ ଉନ୍ନତ ରନରେଟ ଭିତ୍ତିରେ ଦଳ ପ୍ଲେ ଅଫ୍ ଖେଳିବ । ମାତ୍ର ଏହି ମ୍ୟାଚରେ ଦଳ ପରାଜିତ ହେଲେ ଅନ୍ୟ ତିନି ଦଳ ପ୍ଲେ ଅଫ ଯୋଗ୍ୟତା ଅର୍ଜନ କରିବେ ।