୫-ଟି ସଚିବଙ୍କୁ ଇନ୍ଦିରା ଗାନ୍ଧିଙ୍କ ସଚିବ ୟଶପାଲ କାପୁରଙ୍କ ସହ ତୁଳନା କଲେ ସୌମ୍ୟ

୫-ଟି ସଚିବଙ୍କୁ ଇନ୍ଦିରା ଗାନ୍ଧିଙ୍କ ସଚିବ ୟଶପାଲ କାପୁରଙ୍କ ସହ ତୁଳନା କଲେ ସୌମ୍ୟ

ଭୁବନେଶ୍ୱର:  ସରକାରୀ ବ୍ୟବସ୍ଥା ଉପରେ ସୌମ୍ୟଙ୍କ ସିଧା ହମଲା । ଆମଘରର ହାଲଚାଲ ଶୀର୍ଷକ  ଲେଖାରେ ବଖାଣିଲେ ଶାସନକଳର ଦୁର୍ବଳତାର ହାଲ୍ । ଆତ୍ମବିଭୋର ପ୍ରଶାସକ ଓ ଅସହାୟ ରାଜନେତା ଶୀର୍ଷକ ଲେଖି ୫ଟି ସଚିବଙ୍କ କାର୍ୟ୍ୟକୁ କଲେ ଟାର୍ଗେଟ । ୫-ଟି ସଚିବ ପ୍ରତି ଜିଲ୍ଲାକୁ ଜିଲ୍ଲା ହେଲିକପ୍ଟର ଯୋଗେ ଗସ୍ତ କରୁଥିବା ବେଳେ ଏହି ଖର୍ଚ୍ଚକୁ ନେଇ ସରକାରଙ୍କୁ ବାଣ ବିନ୍ଧିଛନ୍ତି ସୌମ୍ୟ । ଚନ୍ଦ୍ରଯାନ ୩ ପାଇଁ ଇସ୍ରୋ ପକ୍ଷରୁ ମୋଟ ୬୦୦ କୋଟି ଖର୍ଚ୍ଚ କରାଯାଇଥିବା ବେଳେ କେବଳ ୩୦ ଜିଲ୍ଲା ଗସ୍ତ ପାଇଁ ୫-ଟି ସଚିବ ସମାନ ପରିମାଣର ଅର୍ଥ ଖର୍ଚ୍ଚ କରୁଥିବା ଲେଖିଛନ୍ତି ସୌମ୍ୟରଂଜନ ପଟ୍ଟନାୟକ ।

ସରକାରୀ ସଭାରେ ହଜାର ହଜାର ମହିଳା ଓ ଛାତ୍ରଛାତ୍ରୀଙ୍କୁ ସମ୍ବୋଧିତ କରି ନବୀନ ପଟ୍ଟନାୟକଙ୍କୁ ଷଷ୍ଠ ଥର ପାଇଁ ମୁଖ୍ୟମନ୍ତ୍ରୀ କରିବା ନେଇ ପାଣ୍ଡିଆନ ଯେଉଁ ଆହ୍ବାନ କରିଥିଲେ ତାକୁ ମଧ୍ୟ ସମାଲୋଚନା କରିଛନ୍ତି । ୫-ଟି ସଚିବ ପାଣ୍ଡିଆନଙ୍କୁ ପୂର୍ବତନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧିଙ୍କ ସଚିବ ୟଶପାଲ କାପୁରଙ୍କ ସହ ତୁଳନା କରିଛନ୍ତି ସୌମ୍ୟ । ୟଶପାଲ ମଧ୍ୟ ଏହିପରି ସରକାରୀ କାର୍ୟ୍ୟକ୍ରମରେ ଇନ୍ଦିରାଙ୍କ ପ୍ରଚାର କରିଥିବାରୁ ଇନ୍ଦିରାଙ୍କ ନିର୍ବାଚନକୁ ଅସିଦ୍ଧ ଘୋଷଣା କରିଥିଲେ ଆହ୍ଲାବାଦ ହାଇକୋର୍ଟ । ଏବଂ ଏହା ପରେ ବି ଦେଶରେ ଲାଗୁ ହୋଇଥିଲା ଜରୁରୀକାଳୀନ ପରିସ୍ଥିତି । ସେପଟେ ସଚିବଙ୍କ ଗଞ୍ଜାମ ଗସ୍ତ ବେଳେ ବିଧାୟକ ପ୍ରଦୀପଙ୍କ ବିରୋଧକୁ କହିଲେ ଗଣତନ୍ତ୍ର ପାଇଁ ନୁହେଁ ଶୁଭଙ୍କର। ପ୍ରଦୀପ ପାଣିଗ୍ରାହୀ ବିଜୁ ପଟ୍ଟନାୟକଙ୍କ ସମାଧିକୁ ନେଇ ଦେଇଥିବା ବୟାନ ସତ କି ନୁହେଁ ସ୍ପଷ୍ଟୀକରଣ ରଖିବାକୁ ୫-ଟି ସଚିବଙ୍କୁ କଲେ ଆହ୍ବାନ ।