ପଶ୍ଚିମ ଓଡିଶାରେ ବିଜେପିକୁ ଝଟ୍‌କା

ପଶ୍ଚିମ ଓଡିଶାରେ ବିଜେପିକୁ ଝଟ୍‌କା

ଭୁବନେଶ୍ୱର ; ପଶ୍ଚିମ ଓଡିଶାର ବରିଷ୍ଠ ନେତା ତଥା ଶ୍ରମିକ ସଂଗଠକ ଜଗଦୀଶ ବିଶ୍ୱାଳ ବିଜେପି ଛାଡି ବିଜେଡିରେ ଯୋଗ ଦେଇଛନ୍ତି । ସମ୍ବଲପୁର ବାସିନ୍ଦା ଶ୍ରୀ ଜଗଦୀଶ ବିଶ୍ୱାଳ ପଶ୍ଚିମ ଓଡିଶାର ବିଭିନ୍ନ ସଂଗଠନ ସହ ଜଡିତ ଅଛନ୍ତି । ଶଙ୍ଖ ଭବନରେ ରାଜ୍ୟସଭା ସାଂସଦ ତଥା ବିଜେଡି ରାଜ୍ୟ ସାଧାରଣ ସମ୍ପାଦକ ମାନସ ରଂଜନ ମଙ୍ଗରାଜ ଉପସ୍ଥିତ ଥିଲେ । ବିଜେଡି ପକ୍ଷରୁ ଉତ୍ତରୀୟ ଓ ଦଳୀୟ ପତାକା ପ୍ରଦାନ କରାଯାଇ ତାଙ୍କୁ ଦଳରେ ସାମିଲ କରାଯାଉଛି । ମିଶ୍ରଣ ପର୍ବ କାର୍ଯ୍ୟକ୍ରମରେ ସାଂସଦ ଶ୍ରୀ ମଙ୍ଗରାଜ କହିଛନ୍ତି, ଶ୍ରୀ ବିଶ୍ୱାଳଙ୍କ ଯୋଗଦାନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ବିକାଶମୂଳକ କାର୍ଯ୍ୟ ଆଗେଇ ନେବା ସହ ପଶ୍ଚିମ ଓଡିଶାର ଦଳକୁ ଆହୁରି ମଜବୁତ କରିବ । ନିଜ ପ୍ରତିକ୍ରି୍ରୟାରେ ଶ୍ରୀ ବିଶ୍ୱାଳ କହିଛନ୍ତି, ମୁଖ୍ୟମନ୍ତ୍ରୀଙ୍କ ନେତୃତ୍ୱ ଓ ଜନକଲ୍ୟାଣ କାର୍ଯ୍ୟରେ ଅନୁପ୍ରାଣିତ ହୋଇ ସେ ବିଜେଡିରେ ଯୋଗ ଦେଇଛନ୍ତି । ରାଜ୍ୟ ସରକାରଙ୍କ ବିଏସ୍‌କେୱାଇ ଯୋଜନା, ମହିଳା ସଶକ୍ତିକରଣ କାର୍ଯ୍ୟକ୍ରମ, କ୍ରୀଡା ଭିତ୍ତିଭୂମି ବିକାଶ ଏବଂ ୫-ଟିରେ ସ୍କୁଲର ରୂପାନ୍ତରଣ କାର୍ଯ୍ୟ ପ୍ରଶଂସନୀୟ । ବିପର୍ଯ୍ୟୟ ପରିଚାଳନାରେ ଓଡିଶା ବିଶ୍ୱରେ ରୋଲ୍‌ ମଡେଲ ହୋଇଛି । ବିଭିନ୍ତ କ୍ଷେତ୍ରରେ ବିକାଶକୁ ନେଇ ମୁଖ୍ୟମନ୍ତ୍ରୀଙ୍କ ପଦକ୍ଷେପ ଓ ଯୋଜନା ଓଡିଶାକୁ ଏକ ନୂଆ ପରିଚୟ ଦେଇଛି । ଶ୍ରୀ ବିଶ୍ୱାଳ ରାଷ୍ଟ୍ରୀୟ କୁଲ୍‌ଟା ସମାଜର ଜାତୀୟ ସାଧାରଣ ସମ୍ପାଦକ,ଭାରତୀୟ ମଜଦୁର ସଂଘର ପଶ୍ଚିମ ଓଡିଶା ଆବାହକ, ଇଷ୍ଟକୋଟ ରେଲୱେର ଠିକା ମଜଦୂର ସଂଘର କ୍ଷେତ୍ରୀୟ ସଭାପତି ଭଳି ଅନେକ ସଂଗଠନ ସହ ସଂପୃକ୍ତ ଅଛନ୍ତି । ମିଶ୍ରଣ ପର୍ବରେ ଦଳର ମୁଖପାତ୍ର ଡ.ପ୍ରିୟବ୍ରତ ମାଝୀ ,ପଶ୍ଚିମ ଓଡିଶାର ବରିଷ୍ଠ ନେତା ମୌସିମ ଉପସ୍ଥିତ ଥିଲେ ।