ଆଜି ସ୍ବାମୀଙ୍କ ମଙ୍ଗଳ ମନାସୀ ସାବିତ୍ରୀବ୍ରତ ପାଳୁଛନ୍ତି ସଧବା

ଆଜି ସ୍ବାମୀଙ୍କ ମଙ୍ଗଳ ମନାସୀ ସାବିତ୍ରୀବ୍ରତ ପାଳୁଛନ୍ତି ସଧବା

ଭୁବନେଶ୍ୱର: ଆଜି ସାବିତ୍ରୀ ଅମାବାସ୍ୟା। ସ୍ବାମୀଙ୍କ ମଙ୍ଗଳ ମନାସୀ ବ୍ରତ ପାଳୁଛନ୍ତି ସଧବା। ସ୍ୱାମୀଙ୍କ ଦୀର୍ଘାୟୁ ଓ ଉତ୍ତମ ସ୍ୱାସ୍ଥ୍ୟ କାମନା କରି ମହିଳା ମାନେ ଏହି ବ୍ରତ ପାଳନ କରିଥାନ୍ତି । ସାବିତ୍ରୀ ପୂଜା ପାଇଁ ସକାଳୁ ସକାଳୁ ରାଜ୍ୟର ବିଭିନ୍ନ ପୀଠରେ ଲାଗିଛି ଶ୍ରଦ୍ଧାଳୁଙ୍କ ଭିଡ଼। ମନ୍ଦିରରେ ଚାଲିଛି ପୂଜାର୍ଚ୍ଚନା ।ଜ୍ୟେଷ୍ଠ ଅମାବାସ୍ୟା ‘ସାବିତ୍ରୀ ଅମାବାସ୍ୟା’ ଭାବରେ ଖ୍ୟାତ ଏବଂ ପ୍ରତି ଓଡ଼ିଆ ଘରେ ଏହା ସଧବା ସ୍ତ୍ରୀମାନଙ୍କର ଏକ ପବିତ୍ର ବ୍ରତ ରୂପେ ପାଳିତ ହୁଏ।ଯମରାଜଙ୍କ ପଛରେ ଯାଇ ସ୍ବାମୀ ସତ୍ୟବାନଙ୍କ ଜୀବନ ଫେରାଇ ଆଣିଥିଲେ ସାବିତ୍ରୀ । ହିନ୍ଦୁ ଶାସ୍ତ୍ରର ସେହି ପୌରାଣିକ କଥାକୁ ମନେ ପକାଇ ସ୍ବାମୀଙ୍କ ଦୀର୍ଘ ଜୀବନ କାମନା କରି ପୂଜା କରୁଛନ୍ତି ବିବାହିତା ମହିଳାମାନେ। ହାତରେ ଭୋଗ, ମନରେ ଉତ୍ସାହ ନେଇ ଦେବାଳୟକୁ ଯାଇଛନ୍ତି ସଧବା। ନୂଆ ଶାଢୀ, ସଙ୍ଖା, ସିନ୍ଦୂର ଓ ଅଳତା ନେଇ ପୂଜାର୍ଚ୍ଚନା କରୁଛନ୍ତି । ଘରେ ଘରେ ବି ସାବିତ୍ରୀଙ୍କ ପ୍ରତିମା ଗଢି ବ୍ରତ କଥା ଗାଇ ପୂଜା କରୁଛନ୍ତି ସଧବା ନାରୀ । ବିଶେଷ କରି ଆମ୍ବ, ପଣସ, ନଡିଆ, ଫୁଟି କାକୁଡି, ତାଳ, ଖଜୁରୀ ଆଦି ଦେଶୀ ଫଳରେ ପୂଜା କରୁଛନ୍ତି।

ଏ ବ୍ରତକଥାର ବାର୍ତ୍ତା ହେଉଛି, ଜ୍ୟେଷ୍ଠ ଅମାବାସ୍ୟା ଦିନ ଯିଏ ସାବିତ୍ରୀଙ୍କ ନାମ ସ୍ମରଣ କରି ବ୍ରତ କରିବ, ସେ ଜନ୍ମେ ଜନ୍ମେ ସଧବା ରହିବ। ପତିପରାୟଣା ଓ ପୁତ୍ରବତୀ ହୋଇ ଅନ୍ତିମକାଳରେ ବୈକୁଣ୍ଠ ପୁରକୁ ଯିବ।