ଫେଲ୍ୟୁୟର ଅଭଡ଼ା ଯୋଜନା

ଫେଲ୍ୟୁୟର ଅଭଡ଼ା ଯୋଜନା

ଫେଲ୍ୟୁୟର ଅଭଡ଼ା ଯୋଜନା

ଶ୍ରୀକ୍ଷେତ୍ରରେ ମାଳମାଳ ଅଧାପନ୍ତରିଆ ପ୍ରକଳ୍ପ, ଏବେ ସରକାର ପରିବର୍ତ୍ତନ ପରେ କଣ ହେବ ସେ ସବୁ ପ୍ରକଳ୍ପର ଭବିଷ୍ୟତ?

 ଏବେ ସୁଦ୍ଧା ନିର୍ମାଣ ଆରମ୍ଭ ହୋଇନି ସମଙ୍ଗ ପାର୍କିଂ ସ୍ଥଳ, ଅନିଶ୍ଚିତତାରେ ରଘୁନନ୍ଦନ ପାଠାଗାର,ଅଧାପନ୍ତରିଆ ଶ୍ରୀଦାଣ୍ଡ ଓ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ କାର୍ଯ୍ୟ

 ୪୨ ଶହ କୋଟି ଟଙ୍କା ରାଜସ୍ବ ଖର୍ଚ୍ଚର କିଏ ଦେବ ହିସାବ ?ତଦନ୍ତ ଦାବି କଲେ ବୁଦ୍ଧିଜୀବୀ ସେବାୟତ

ଅଧାପନ୍ତରିଆ ଶ୍ରୀକ୍ଷେତ୍ରର ବିକାଶ କାର୍ଯ୍ୟ । ୪୨ ଶହ କୋଟି ଖର୍ଚ୍ଚ । ୨୨ ପ୍ରକଳ୍ପ ରୁ ଏ ପର୍ଯ୍ୟନ୍ତ ଆରମ୍ଭ ହୋଇନି ଅଧାରୁ ଅଧିକ ପ୍ରକଳ୍ପର  ନିର୍ମାଣ କାର୍ଯ୍ୟ । ଅଧାପନ୍ତରିଆ ପ୍ରକଳ୍ପର ଭିଜନ ଏବେ ବି ଅସ୍ପଷ୍ଟ । କଣ ହେବ ପ୍ରକଳ୍ପର ଭାଗ୍ୟ ଓ ଭବିଷ୍ୟତ ,ତାକୁ ନେଇ ଚର୍ଚ୍ଚା । ସେପଟେ ଏ ସବୁ ପ୍ରକଳ୍ପରେ ବ୍ୟାପକ ହରିଲୁଟ ହୋଇଥିବା ଅଭିଯୋଗ ଆଣିଲେ ବୁଦ୍ଧିଜୀବୀ ଓ ସେବାୟତ । ଐତିହ୍ୟ ସହରରେ ଐତିହ୍ୟ ଭାଙ୍ଗି ପ୍ରକଳ୍ପ ପରେ ପ୍ରକଳ୍ପର ରୂପରେଖ କରିଥିଲେ ତତ୍କାଳୀନ ବିଜେଡି ସରକାର । ପାଣି ଭଳି ଟଙ୍କା ଖର୍ଚ୍ଚ ପରେ ବି ସୁଧୁରିନି ଶ୍ରୀକ୍ଷେତ୍ରର ହାଲଚାଲ । ଶ୍ରୀକ୍ଷେତ୍ରକୁ ବିଶ୍ଵ ଐତିହ୍ୟ ସହର କରିବା ପାଇଁ ଡିଣ୍ଡିମ ପିଟିଥିଲେ ବିଜେଡି ସରକାର ।  ୩୨ ଶହ କୋଟିର ବ୍ୟୟବରାଦକୁ ୨୦୧୯ ରେ ମିଳିଥିଲା କ୍ୟାବିନେଟ୍ ମଞ୍ଜୁରୀ । ଅନୁଦାନ ରାଶିକୁ ପରେ ୪୨ ଶହ କୋଟିକୁ ବୃଦ୍ଧି କରାଯାଇଥିଲା। ତେବେ ବିକାଶ ନାଁ ରେ ୧୯ ଟି ମଠ ଓ ଐତିହ୍ୟ ରଘୁନନ୍ଦନ ଲାଇବ୍ରେରୀ ଭାଙ୍ଗି ଯେଉଁ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ହୋଇଥିଲା ତାହା ଏବେ ଅଧାପନ୍ତରିଆ ହୋଇ ପଡ଼ି ରହିଛି।ଖାଲି ସେତିକି ନୁହେଁ ଅନିଶ୍ଚିତତା ଭିତରେ ରହିଛି ଐତିହ୍ୟ ରଘୁନନ୍ଦନ ଲାଇବ୍ରେରୀ ଓ ଆହୁରି ଅନେକ ପ୍ରକଳ୍ପ |

ଅବଢ଼ା ଯୋଜନା ଅନ୍ତର୍ଭୁକ୍ତ ୪ ହଜାର ୨୨୪ କୋଟି ର ପ୍ରକଳ୍ପ ମଧ୍ୟରେ ରହିଛି ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ, ଶ୍ରୀମନ୍ଦିର ପ୍ରଶାସନିକ କୋଠା ଉନ୍ନତୀକରଣ, ରଘୁନନ୍ଦନ ପାଠାଗାର, ମୂଷା ନଈର ଉନ୍ନତୀକରଣ, ଜଗନ୍ନାଥବଲ୍ଲଭ ତୀର୍ଥଯାତ୍ରୀ କେନ୍ଦ୍ର, ଶ୍ରୀସେତୁ, ଶ୍ରୀଦାଣ୍ଡ, ଅଠରନଳା ଉନ୍ନତୀକରଣ, ଶ୍ରୀମନ୍ଦିର ଚର୍ତୁପାର୍ଶ୍ବରୁ ଉଚ୍ଛେଦ ମଠ ଓ ମନ୍ଦିରର ଉନ୍ନତୀକରଣ, ମାର୍କେଟ୍‌ କଂପ୍ଲେକ୍ସ ଉନ୍ନତୀକରଣ, ସମଙ୍ଗ ପାର୍କିଂ ସ୍ଥଳ, ବହୁତଳ ପାର୍କିଂ ଓ ବେଳାଭୂମି ସୌନ୍ଦର୍ଯ୍ୟୀକରଣ।ସେତେବେଳେ ଏହି ପ୍ରକଳ୍ପ ସବୁକୁ ନେଇ ବଡ ପ୍ରଚାର ହୋଇଥିବା ବେଳେ ସପ୍ତାହରେ ଦୁଇଥର ପୁରୀ ଆସି ଏହାର ସମୀକ୍ଷା କରୁଥିଲେ ବିଜେଡିର ନମ୍ବର୍ ଦୁଇ ପାୱାରଫୁଲ ନେତା ଭି କେ ପଣ୍ଡିଆନ। ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପର ଉଦଘାଟନ କରିଥିଲେ ନିଜେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ତେବେ ଏସବୁ ପ୍ରକଳ୍ପ ଏବେ ଅଧାପନ୍ତରିଆ ରହିଥିବା ବେଳେ ମୁଶାନଈ,ରଘୁନନ୍ଦନ୍ ଲାଇବ୍ରେରୀ, ସମଙ୍ଗ ପାର୍କିଂ ଆଦି ନିର୍ମାଣ କାର୍ଯ୍ୟ ଅଦ୍ୟାବଧି ଆରମ୍ଭ ହୋଇନାହିଁ । ସେପଟେ ବେଳାଭୂମି  ଡେଭଲପମେଣ୍ଟ ରେ ୧୦୨ କୋଟି ମଞ୍ଜୁର ହୋଇଥିଲେ ମଧ୍ୟ ଏହା ଅନ୍ତର୍ଗତ କ୍ୟାବିନ୍ ସବୁ ଖତ ଖାଇଲାଣି। ସେପଟେ ଲୋକଙ୍କ ଉପଯୋଗିତା ପାଇଁ ଯାହା ଯାହା ଆବଶ୍ୟକ ତାହା ସବୁ ସମାପ୍ତ ହୋଇଥିବା ବେଳେ ଅନ୍ୟ କାର୍ଯ୍ୟ ଗୁଡ଼ିକ ଖୁବ୍ ଶୀଘ୍ର ତ୍ୱରାନ୍ୱିତ କରାଯିବ ବୋଲି କହିଛନ୍ତି ଶ୍ରୀମନ୍ଦିର ଉପ ମୁଖ୍ୟ ପ୍ରଶାସକ ତଥା ପୁରୀ ଜିଲ୍ଲାପାଳ

ନିର୍ବାଚନ ମାଇଲେଜ ପାଇଁ ତତ୍କାଳୀନ ବିଜେଡି ସରକାର ଶ୍ରୀକ୍ଷେତ୍ରର ବିକାଶ ନାଁରେ ତରବରିଆ ଭାବରେ ପାଣି ଭଳି ଟଙ୍କା ଖର୍ଚ୍ଚ କରିଥିଲେ । ଯାହାର ଫଳ ସ୍ୱରୂପ ଆଜି ଅନିଶ୍ଚିତତା ଭିତରେ ରାହା ଖୋଜୁଛି ଅଧାପନ୍ତାରିଆ ୨୨ ଟି ପ୍ରକଳ୍ପ |