ଆଣ୍ଟାର୍କଟିକା ଅଭିଯାନରେ ନାବାଳକଙ୍କ କ୍ଷୁଦ୍ର ଜାହାଜ
ସ୍କଟ୍ଲାଣ୍ଡ୍ : ସ୍କଟ୍ଲାଣ୍ଡ୍ ଅନ୍ତର୍ଗତ ଆବର୍ଦ୍ଦିନସାୟାରର ଦୁଇ ନାବାଳକ ଭାଇଙ୍କର ଏକ ଅଭିନବ ଉଦ୍ୟମ ଏବେ ବିଶ୍ବବ୍ୟାପୀ ଚର୍ଚ୍ଚାର ବିଷୟ ହୋଇଛି। ହ୍ୟାରି ଫର୍ଗୁସନ୍ (୧୧) ଓ ଓଲି ଫର୍ଗୁସନ୍ (୯) ନାମକ ଭ୍ରାତାଦ୍ବୟଙ୍କ ଦ୍ବାରା ନିର୍ମିତ ଦୁଇଟି କାଠ ଜାହାଜ ଆଣ୍ଟାର୍କଟିକା ଅଭିଯାନରେ ବାହାରିଥିବା ଜଣାଯାଇଛି।
ଦୀର୍ଘ ୧୨,୦୦୦ ମାଇଲ୍ ଜଳଯାତ୍ରା ଅବସରରେ ଦୀର୍ଘ ଦୁଇ ବର୍ଷ ଧରି ଜଳବାୟୁ ସଂକ୍ରାନ୍ତ ତଥ୍ୟ ସଂଗ୍ରହ କରିବାର ସରଞ୍ଜାମ ସେହି କ୍ଷୁଦ୍ର ଜାହାଜରେ ସେମାନେ ଖଞ୍ଜିଛନ୍ତି। ଏଥି ସହିତ ସେଥିରେ ସମୁଦ୍ର ପୃଷ୍ଠର ତାପମାତ୍ରା ରେକର୍ଡ କରିବାର ଓ ଫଟୋ ଉତ୍ତୋଳନ କରି ପଠାଇବାର ମଧ୍ୟ ବ୍ୟବସ୍ଥା ରହିଛି।
୧୮୩୯ ମସିହାରେ ଆଣ୍ଟାର୍କଟିକା ଅଭିଯାନରେ ଯାଇଥିବା ଜାହାଜ ‘ଏଚ୍ଏମ୍ଏସ୍ ଟେରର୍’ ଓ ‘ଏଚ୍ଏମ୍ଏସ୍ ଏରିବସ୍’ର ପ୍ରତିକୃତି ରୂପେ ନିର୍ମିତ ହ୍ୟାରି-ଓଲିଙ୍କ ଦୁଇ କ୍ଷୁଦ୍ର ଜାହାଜ ସମୁଦ୍ର ଅଭିଯାନରେ ବାହାରିବା ଏପରି ପ୍ରଥମ ଘଟଣା। ପୂର୍ବରୁ ଏହି ଦୁଇଭାଇଙ୍କ ଦ୍ବାରା ‘ପ୍ଳେମୋବାଇଲ’ ନାମକ ଅନ୍ୟ ଏକ କ୍ଷୁଦ୍ର ଜାହାଜ ଆଟଲାଣ୍ଟିକ୍ ମହାସାଗରରେ ଦୀର୍ଘ ୪,୦୦୦ ମାଇଲ୍ ଜଳଯାତ୍ରା କରି ଗିନିଜ୍ ରେକର୍ଡ ସୃଷ୍ଟି କରିଥିଲା।




user1 