ବରୀରୁ କିଏ ପାଇବେ ବିଜେଡ଼ି ଟିକେଟ ?

ବରୀରୁ କିଏ ପାଇବେ ବିଜେଡ଼ି ଟିକେଟ ?

ବରୀ ହେଉଛି ବିଜୁ ଜନତା ଦଳର ଗଡ଼  । ଏକଦା ସେଠାରେ ବିଜେଡ଼ି ଟିକେଟକୁ ନେଇ ଛକାପଞ୍ଝା ଦେଖିବାକୁ ମିଳୁନଥିଲା  । ବିଜେଡ଼ି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ଏକାନ୍ତ ଅନୁଗତ ଦେବାଶିଷ ନାୟକଙ୍କୁ ସବୁବେଳେ ଟିକେଟ ମିଳି ଆସୁଥିଲା  । କିନ୍ତୁ ୨୦୧୯ ପରେ ବରୀ ରାଜନୀତିରେ ହଟଚମଟ ସୃଷ୍ଟିହୋଇଛି  । ଗତ ନିର୍ବାଚନବେଳେ ବବି ଦାସଙ୍କ ଅନୁଗତ ସୁନନ୍ଦାଙ୍କୁ ବିଜେଡ଼ି ଟିକେଟ ମିଳିଥିଲା  । ଏବେ ବରୀ ବିଜେଡ଼ିରେ ବିଚିତ୍ର ସ୍ଥିତି ସୃଷ୍ଟିହୋଇଛି  । ଟିକେଟ ଦୌଡ଼ରେ ପ୍ରାୟ ଅଧ ଡଜନ ନେତା ସାମିଲ ହୋଇଥିବାବେଳେ ଦଳ କାହାକୁ ଟିକେଟ ଦେବ ସେନେଇ ଅକଳରେ ପଡ଼ିଯାଇଛି  । 
ନବୀନ ଓଡ଼ିଶା ରାଜନୀତିରେ ପାଦ ଥାପିବା ବେଳେ ତାଙ୍କର ଘନିଷ୍ଠ ସହଯୋଗୀ ଥିଲେ ଦେବାଶିଷ ନାୟକ  । ୨୦୦୦ରୁ ୨୦୧୪ ପର୍ଯ୍ୟନ୍ତ ନବୀନ ତାଙ୍କୁ ୪ ଥର ଟିକେଟ ଦେବା ସହ ଅନେକ ବାର ମନ୍ତ୍ରୀ ମଧ୍ୟ କରିଥିଲେ  । କିନ୍ତୁ ବାଚସ୍ପତି-ମାର୍ଶାଲ ବିବାଦ ଘଟଣାରେ ଦେବାଶିଷ ନବୀନଙ୍କ ଆସ୍ଥା ହରାଇଥିଲେ  । ଧିରେଧିରେ ତାଙ୍କର ପତିଆରା କମି କମି ଚାଲିବା ସହ ୨୦୧୯ରେ ଆଉ ପ୍ରାର୍ଥୀ ହୋଇନଥିଲେ  । ବରୀ ରାଜନୀତିରେ ଦେବାଶିଷଙ୍କ ଯବନିକା ପଡ଼ିବା ପରେ ବିଜେଡ଼ିରେ ଅନେକ ଆଶାୟୀ ମୁଣ୍ଡ ଟେକିଥିଲେ  । ତେବେ ଗତ ନିର୍ବାଚନବେଳକୁ ବରୀରେ ବିଜେପିର ପ୍ରଭାବ ବଢ଼ିବାରୁ ବବି ଦାସ ଗୋଟି ଚାଳନା କରି ବିଜେପି ନେତ୍ରୀ ସୁନନ୍ଦାଙ୍କୁ ବିଜେଡ଼ିକୁ ଆଣିଥିଲେ  । ଗତ ନିର୍ବାଚନରେ ସୁନନ୍ଦା ବାଜିମାତ କରିବା ସହ ଚବିଶରେ ଟିକେଟ ପାଇବାକୁ ଆଶା ରଖିଥିଲେ  । କିନ୍ତୁ ବିଜେପିର ଟାଣୁଆ ନେତା ବିଶ୍ୱରଞ୍ଜନ ମଲ୍ଲିକ ଶଙ୍ଖ ଫୁଙ୍କିବା ପରେ ସୁନନ୍ଦାଙ୍କ ଟିକେଟ ଉପରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଥିଲା  । ଯେଉଁଥିପାଇଁ ଏବେ ବିଶ୍ୱ ଓ ସୁନନ୍ଦା ମୁହାଁମୁହିଁ ସ୍ଥିତିରେ ରହିଛନ୍ତି  । ଏବେ ଯାଜପୁରର ସାଂସଦ ଅଛନ୍ତି ଶର୍ମିଷ୍ଠା ସେଠୀ  । ତାଙ୍କ ଶାଶୁଘର ବରୀରେ ହୋଇଥିବାରୁ ସେ ବି ଟିକେଟ ପାଇଁ ଆଶାୟୀ ଅଛନ୍ତି  । 
ବରୀର ଆଉ ଜଣେ ଟାଣୁଆ ନେତ୍ରୀ ହେଉଛନ୍ତି ସୁଲତା ଦେଓ  । ସରଂପଚରୁ ସେ ଏବେ ରାଜ୍ୟସଭା ସାଂସଦ ହୋଇଛନ୍ତି  । ପ୍ରତି ନିର୍ବାଚନ ବେଳେ ବିଜେଡ଼ିର ରାଜ୍ୟସଭା ସାଂସଦମାନଙ୍କୁ ବିଧାୟକ ଟିକେଟ ଦେବାର ନଜିର ରହିଛି । ଯାହାଫଳରେ ଖାଲି ପଡ଼ିଥିବା ରାଜ୍ୟସଭା ଆସନକୁ ଦଳ ଥୋପ ଭାବେ ବ୍ୟବହାର କରିପାରିବ  । ଭୁବନେଶ୍ୱର ମେୟର ଥିବା ସୁଲୋଚନା ଦାସ ମଧ୍ୟ ପୂର୍ବରୁ ବରୀ ପାଇଁ ଗୋଟିଚାଳନା କରୁଥିଲେ  । ଏବେବି ସେ ବରୀ ପାଇଁ ଆଶାୟୀ ଥିବା କୁହାଯାଉଛି  । ସେହିପରି ଦେବାଶିଷ ନାୟକଙ୍କ ମଧ୍ୟ ଏଥର ଲଢ଼ିବେ ବୋଲି ଖୋଲାଖୋଲି କହି ବୁଲୁଛନ୍ତି  । ବିଜେଡ଼ି ନେତା ବିଜୟ ନାୟକ ମଧ୍ୟ ବହୁଦିନ ଧରି ବରି ପାଇଁ ଗୋଟି ଚଳାଇ ଆସୁଛନ୍ତି  । ଦେବାଶିଷ ନାୟକଙ୍କ ପୂର୍ବତନ ସହଯୋଗୀ ସେକ ସଫିକ ଉଦ୍ଦିନ ମଧ୍ୟ ବରି ଟିକେଟ ପାଇଁ ଆଶା ବାନ୍ଧିଛନ୍ତି  । ଯୁବନେତା ଅଶୋକ କୁମାର ବେହେରା  ଓ ସଂଜୀବ ଜେନା ମଧ୍ୟ ଟିକେଟ ରେସରେ ରହିଛନ୍ତି  । ଗଦାଗଦା ଟାଣୁଆ ନେତା ଆଶାୟୀ ଥିବାରୁ ବିଜେଡ଼ି କାହାକୁ ବରି ଟିକେଟ ଦେବ ତାହା ଉପରେ ନଜର ରହିଛି  ।