ବଡ଼ ଖବର: ସାଢେ ୩ଟାରେ ବିଜେଡି ବୈଠକ

ବଡ଼ ଖବର: ସାଢେ ୩ଟାରେ ବିଜେଡି ବୈଠକ

ଭୁବନେଶ୍ୱର: ପାଖେଇ ଆସିଲାଣି ସାଧାରଣ ନିର୍ବାଚନ। ଆଉ କିଛିଟା ଦିନ ପରେ ଘୋଷଣା ହେବ ନିର୍ବାଚନ ତାରିଖ। ଏନେଇ ପ୍ରାୟ ସବୁ ଦଳ ନିଜ ନିଜ ସଂଗଠନ ସଜାଡ଼ିବାରେ ଲାଗିପଡ଼ିଛନ୍ତି । ତେବେ ଏହାରି ଭିତରେ ବିଜେଡିର ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ଆଜି ବସିବ । ଆଜି ଅପରାହ୍ନ ୩ଟାରେ ବିଜୁ ଜନତା ଦଳର ବୈଠକ ବସିବ ।  ଏନେଇ ଦଳର ବରିଷ୍ଠ ନେତାଙ୍କୁ ନବୀନ ନିବାସ ଆସିବାକୁ କୁହାଯାଇଛି । ବିଜେଡିର ସାଙ୍ଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ, ପ୍ରସନ୍ନ ଆଚାର୍ୟ୍ୟ, ଅତନୁ ସବ୍ୟସାଚୀ ନାୟକ, ରଣେନ୍ଦ୍ର ପ୍ରତାପ ସ୍ବାଇଁ, ପ୍ରତାପ ଜେନା, ଦେବୀ ମିଶ୍ର, ଉଷା ଦେବୀ, ସମୀର ଦାଶ, ପ୍ରତାପ ଦେବ, ସୁଶାନ୍ତ ସିଂ, ସାରଦା ନାୟକ, ବିକ୍ରମ କେଶରୀ ଆରୁଖ, ସୁଦାମ ମାର୍ଣ୍ଡି, ନିରଞ୍ଜନ ପୂଜାରୀ ପ୍ରମୁଖ ବରିଷ୍ଠ ନେତାଙ୍କୁ ନବୀନ ନିବାସକୁ ଡକାଯାଇଛି ।   ଏହି ବୈଠକରେ ଆଗାମୀ ନିର୍ବାଚନ ନେଇ କିଛି ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯାଇପାରେ । ଏହି ଅବସରରେ ନିର୍ବାଚନ ପାଇଁ ଦଳର ରଣନୀତି ସମ୍ପର୍କରେ ଆଲୋଚନା କରାଯିବା ସହ ମୁଖ୍ୟମନ୍ତ୍ରୀ ବରିଷ୍ଠ ନେତାଙ୍କୁ କିଛି ନିଦେ୍ର୍ଧଶ ବି ଦେଇପାରନ୍ତି ବୋଲି ଚର୍ଚ୍ଚା ହେଉଛି। ଏପରିକି ଦଳୀୟ ଟିକେଟ ପାଇଁ ଏବେ ଆଶାୟୀଙ୍କ ଲମ୍ବା ଲାଇନ । ସେ ନେଇ ବି ଆଜିର ବୈଠକରେ ଆଲୋଚନା କରାଯାଇପାରେ ବୋଲି କୁହାଯାଉଛି । ଯେହେତୁ ଏବେ ବିରୋଧୀଙ୍କ ଅପେକ୍ଷା ବିଜେଡିକୁ ବିଦ୍ରୋହୀଙ୍କ ଚିନ୍ତା ଘାରିଛି । ଉକ୍ତ ପ୍ରସଙ୍ଗକୁ କେମିତି ମ୍ୟାନେଜ କରାଯାଇପାରିବ ସେନେଇ ବି ବୈଠକରେ ଆଲୋଚନା କରାଯାଇପାରେ ବୋଲି ରାଜନୈତିକ ମହଲରେ ଚର୍ଚ୍ଚା ହେଉଛି । 

ଅନ୍ୟପକ୍ଷରେ ରାଜ୍ୟ ବିଜେପି ନେତାଙ୍କୁ ଦିଲ୍ଲୀ ଡକରା ହୋଇଛି । ସଭାପତି, ସଂଗଠନ ସମ୍ପାଦକ ଓ କୋର କମିଟି ସଦସ୍ୟଙ୍କୁ ଦିଲ୍ଲୀରୁ ଡକରା ଆସିଛି ।  ପ୍ରାର୍ଥୀ ତାଲିକା ଘୋଷଣା ପୂର୍ବରୁ ରାଜ୍ୟ ବିଜେପିର ଶୀର୍ଷ ନେତୃତ୍ୱଙ୍କ ସହ ନିର୍ବାଚନ ରଣନୀତି ବାବଦରେ ଆଲୋଚନା କରିବେ ଦଳର ଶୀର୍ଷ ନେତୃତ୍ୱ । ଆଜି ସନ୍ଧ୍ୟା ୫ଟାରେ ରାଜ୍ୟ ବିଜେପି ନେତୃବୃନ୍ଦଙ୍କୁ ନେଇ ଦିଲ୍ଲୀରେ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ବସିବ । କେନ୍ଦ୍ର ନେତା ଆଗାମୀ ନିର୍ବାଚନ ରଣନୀତି ସମ୍ପର୍କରେ ରାଜ୍ୟ ନେତାଙ୍କ ସହ ଆଲୋଚନା କରିବେ । ୨୦୨୪ ନିର୍ବାଚନ ବିଜେପି ଏକାକୀ ଲଢିବ ବୋଲି ସଭାପତି ମନମୋହନ ସାମଲ ପୂର୍ବରୁ ସ୍ପଷ୍ଟ କରିଛନ୍ତି । ବିଜେଡି ସହ କୌଣସି ମେଣ୍ଟ ହେବନି ବୋଲି ମନମୋହନ କହିଛନ୍ତି । ଅନ୍ୟପଟେ କେନ୍ଦ୍ରୀୟ ନେତୃତ୍ୱ ଓଡ଼ିଶା ଆସୁଥିଲେ ମଧ୍ୟ ବିଜେଡି ପ୍ରତି ନରମ ଆଭିମୁଖ୍ୟ ଦଳୀୟ କର୍ମୀଙ୍କୁ ଶଙ୍କାରେ ପକାଉଛି । ତେଣୁ ଦିଲ୍ଲୀ ହେବାକୁ ଥିବା ବୈଠକରେ କଣ ଆଲୋଚନା ହେବ ତାହା ଉପରେ ସମସ୍ତଙ୍କର ନଜର ରହିଛି ।