ପଦ୍ମ ଧରିଲେ ପ୍ରିୟଦର୍ଶୀ

ପଦ୍ମ ଧରିଲେ ପ୍ରିୟଦର୍ଶୀ

ଭୁବନେଶ୍ୱର: ଆଗକୁ ନିର୍ବାଚନ ଥିବାରୁ ରାଜନୈତିକ ଦଳର ମିଶ୍ରଣ ପର୍ବ ଜାରି ରହିଛି । ଟିକେଟ୍‌ ପାଇବା ଆଶାରେ ହେଉ ଅବା ନମିଳିବା ଆଶାରେ ଦଳ ଡିଆଁ କରୁଛନ୍ତି ନେତା ଓ କର୍ମୀ । ଏହି କ୍ରମରେ ବିଜେଡି ଛାଡ଼ୁଛାଡ଼ୁ ବିଜେପିରେ ମିଶିଛନ୍ତି ଉତ୍ତର ଭୁବନେଶ୍ୱରର ପୂର୍ବତନ ବିଧାୟକ ପ୍ରିୟଦର୍ଶୀ ମିଶ୍ର । ରାଜ୍ୟ ବିଜେପି କାର୍ଯ୍ୟାଳୟରେ ଆୟୋଜିତ ଏକ ମିଶ୍ରଣ ପର୍ବରେ ଶ୍ରୀ ମିଶ୍ର ବିଧିବଦ୍ଧଭାବେ ବିଜେପିରେ ସାମିଲ ହୋଇଛନ୍ତି । ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ ଓ ବିଜେପିର ଭୁବନେଶ୍ୱର ଲୋକସଭା ପ୍ରାର୍ଥୀ ଅପରାଜିତା ଷଡ଼ଙ୍ଗୀଙ୍କ ଉପସ୍ଥିତିରେ ଶ୍ରୀ ମିଶ୍ର ପଦ୍ମ ଧରିଛନ୍ତି । 

 ପ୍ରକାଶ ଯେ ଉତ୍ତର ଭୁବନେଶ୍ୱରର ପୂର୍ବତନ ବିଧାୟକ ପ୍ରିୟଦର୍ଶୀ ମିଶ୍ର ବିଜେଡିର ଆଜି ଦଳର ପ୍ରାଥମିକ ସଦସ୍ୟତାରୁ ଇସ୍ତଫା ଦେଇଥିଲେ ।। ବିଜେଡି ସଭାପତି ନବୀନ ପଟ୍ଟନାୟକଙ୍କ ପାଖକୁ ସେ ତାଙ୍କ ଇସ୍ତଫାପତ୍ର ପଠାଇ ଦେଇଛନ୍ତି। ଇସ୍ତଫାପତ୍ରରେ ସେ ତାଙ୍କ କ୍ଷୋଭ ପ୍ରକାଶ କରିଛନ୍ତି।ଦଳରେ ନିରନ୍ତର ଅବହେଳା ଅଭିଯୋଗ କରି ସେ ଇସ୍ତଫା ଦେଇଛନ୍ତି।

 ସେ ୨୦୧୪ରେ ଉତ୍ତର ଭୁବନେଶ୍ୱର ଆସନରୁ ବିଜେଡି ଟିକେଟରେ ବିଧାନସଭାକୁ ନିର୍ବାଚିତ ହୋଇଥିଲେ। କିନ୍ତୁ ୨୦୧୯ରେ ତାଙ୍କୁ ଟିକେଟ୍ ଦିଆଯାଇ ନଥିଲା।   
ବିଜେଡିରୁ ଇସ୍ତଫା ଦେବା ପରେ ପ୍ରିୟଦର୍ଶୀ ମିଶ୍ର ଗଣମାଧ୍ୟମରେ କହିଥିଲେ ।, ମୁଁ ଛାତ୍ରାବସ୍ଥାରୁ ବିଜୁ ବାବୁଙ୍କ ସହିତ କାମ କରିଛି। ୩୦ ବର୍ଷରୁ ଅଧିକ ସମୟ ଧରି ମୁଁ ନିଷ୍ଠାର ସହିତ ଏହି ଦଳ ପାଇଁ କାମ କରିଛି। କିନ୍ତୁ ଦଳ ମୋତେ କ୍ରମାଗତ ଭାବେ ଅବହେଳା କରିଛି। ତା’ର ପ୍ରତିବାଦରେ ମୁଁ ଆଜି ବିଜେଡିର ପ୍ରାଥମିକ ସଦସ୍ୟ ପଦରୁ ଇସ୍ତଫା ଦେଇଛି। 

ସେ କହିଥିଲେ ।, ପୂର୍ବରୁ ମୁଁ ମୋର ଅଭିଯୋଗ ଦଳୀୟ ନେତୃତ୍ୱଙ୍କୁ ଜଣାଇ ଦେଇଥିଲି। ମୁଁ କହିଥିଲି- ପାର୍ଟିରେ ମୋର ବୋଧେ ଆଉ ସ୍ଥାନ ନାହିଁ। ମୋତେ ଦଳର କୌଣସି କାର୍ୟ୍ୟ କରିବାକୁ ସୁଯୋଗ ଦିଆଯାଉ ନାହିଁ। ଦୀର୍ଘ ବର୍ଷ ଧରି ଦଳର କୌଣସି କାର୍ୟ୍ୟକ୍ରମକୁ ଡକା ଯାଉନି। ତେଣୁ ମୁଁ ଆଉ ଦଳରେ ରହିବା କଥା ନୁହେଁ ବୋଲି ହୃଦ୍‌ବୋଧ କରୁଛି।