ସରକାରୀ କର୍ମଚାରୀଙ୍କ ସମେତ ପ୍ରତି ପରିବାରକୁ ୨୫ଲକ୍ଷ ଟଙ୍କା ସ୍ୱାସ୍ଥ୍ୟ ସହାୟତା କଂଗ୍ରେସର ଗ୍ୟାରେଂଟି , ଦୁର୍ଘଟଣାରେ ଆଘାତପ୍ରାପ୍ତ ବ୍ୟକ୍ତିଙ୍କୁ ସହାୟତା ରାଶି ବାର୍ଷିକ ୨୫ଲକ୍ଷ ଟଙ୍କା

ସରକାରୀ କର୍ମଚାରୀଙ୍କ ସମେତ ପ୍ରତି ପରିବାରକୁ ୨୫ଲକ୍ଷ ଟଙ୍କା ସ୍ୱାସ୍ଥ୍ୟ ସହାୟତା କଂଗ୍ରେସର ଗ୍ୟାରେଂଟି , ଦୁର୍ଘଟଣାରେ ଆଘାତପ୍ରାପ୍ତ ବ୍ୟକ୍ତିଙ୍କୁ ସହାୟତା ରାଶି ବାର୍ଷିକ ୨୫ଲକ୍ଷ ଟଙ୍କା

ଭୁବନେଶ୍ୱର ତା. ୨୧.୩- “ସମସ୍ତଙ୍କ ପାଇଁ ସ୍ୱାସ୍ଥ୍ୟ” ଏଭଳି ଏକ ବାର୍ତା ନେଇ ଓଡ଼ିଶା ପ୍ରଦେଶ କଂଗ୍ରେସ ପକ୍ଷରୁ ୨୦୨୪ ସାଧାରଣ ନିର୍ବାଚନ ପୂର୍ବରୁ ଜାରି କରାଯାଇଥିବା ଇସ୍ତାହାର ମଧ୍ୟରେ ସ୍ୱାସ୍ଥ୍ୟ ସେବା ସମ୍ପର୍କିତ ସହାୟତ ରାଶିକୁ ନେଇ ଓଡ଼ିଶାବାସୀଙ୍କୁ ଗ୍ୟାରେଂଟି ପ୍ରଦାନ କରିବା ସହିତ ରାଜ୍ୟର ଦୁର୍ବଳ ସ୍ୱାସ୍ଥ୍ୟ ଭିତିଭୂମିକୁ ସୁଦୃଢ଼ କରିବାପାଇଁ କଂଗ୍ରେସ ସଂକଳ୍ପ ବଦ୍ଧ । ଆଜି ଏ ସମ୍ପର୍କରେ ଏକ ସାମ୍ବାଦିକ ସମ୍ମିଳନୀ ଜରିଆରେ ପିସିସି ଗଣମାଧ୍ୟମ ବିଭାଗ ସମ୍ପାଦକ ତଥା ମୁଖପାତ୍ର ପ୍ରଶାନ୍ତ ଶତପଥି ପ୍ରକାଶ କରିଥିଲେ ଯେ ସରକାରୀ କର୍ମଚାରୀଙ୍କ ସମେତ ସମସ୍ତ ଓଡ଼ିଶାବାସୀଙ୍କୁ ସରକାରୀ ଓ ବେସରକାରୀ ଚିକିତ୍ସାଳୟରେ ବାର୍ଷିକ ୨୫ଲକ୍ଷ ଟଙ୍କା ପର୍ଯ୍ୟନ୍ତ ମାଗଣା ଚିକିତ୍ସା ପ୍ରଦାନ କରାଯିବ । ଦୁର୍ଘଟଣାରେ ଆଘାତପ୍ରାପ୍ତ ଯେକୌଣସି ବ୍ୟକ୍ତିଙ୍କର ଚିକିତ୍ସା ପାଇଁ ୨୫ଲକ୍ଷ ଟଙ୍କା ପର୍ଯ୍ୟନ୍ତ ମାଗଣା ଚିକିତ୍ସା ବ୍ୟବସ୍ଥା କରାଯିବ । ବରିଷ୍ଠ ନାଗରିକଙ୍କ ପାଇଁ ମାସକୁ ଦୁଇଥର ଭ୍ରାମ୍ୟମାଣ ପରୀକ୍ଷା ଜରିଆରେ ସ୍ୱାସ୍ଥ୍ୟ ପରୀକ୍ଷା କରାଯିବ । ଏତଦ୍ବ୍ୟତିତ ପ୍ରତ୍ୟେକ ଜିଲ୍ଲାରେ ଗୋଟିଏ ମେଡିକାଲ କଲେଜ ଏବଂ ଅନ୍ତତଃପକ୍ଷେ ଗୋଟିଏ ନର୍ସିଂ କଲେଜ ପ୍ରତିଷ୍ଠା କରାଯିବ । ଓଡ଼ିଶାର ଦୁର୍ବଳ ସ୍ୱାସ୍ଥ୍ୟ ବ୍ୟବସ୍ଥା ପାଇଁ ଦୁର୍ବଳ ଭିତିଭୂମି ସଂପୂର୍ଣ୍ଣ ଭାବରେ ଦାୟୀ । ସାଧାରଣ ଭାବରେ ଜନସଂଖ୍ୟାର ୮ରୁ ୧୦% ଲୋକ ନିଜ ଆତ୍ମୀୟସ୍ୱଜନଙ୍କ ଚିକିତ୍ସା ପାଇଁ ଡାକ୍ତରଖାନାରେ ଟଙ୍କା ଖର୍ଚ୍ଚ କରି କରି ଗରିବ ହୋଇଯାଆନ୍ତି । ଏ ଦେଶର ୬୭% ଲୋକ ନିଜ ଖର୍ଚ୍ଚରେ ସରକାରୀ ବା ପ୍ରାଇଭେଟ ଡାକ୍ତରଖାନାରେ ଚିକିତ୍ସିତ ହୁଅନ୍ତି । ଦେଶର ସମ୍ବିଧାନର ଧାରା ୨୧,୨୩,୨୪,୩୮,୩୯,୪୧ ଏବଂ ୪୨ ପ୍ରତ୍ୟକ୍ଷ ବା ପରୋକ୍ଷ ଭାବରେ ଜନସ୍ୱାସ୍ଥ୍ୟ ଏବଂ ଜନକଲ୍ୟାଣ ନିମନ୍ତେ ଉଦ୍ଦିଷ୍ଟ ଯାହାକୁ ପୂରଣ କରିବାର ସଂକଳ୍ପ ନେଇ ପ୍ରଦେଶ କଂଗ୍ରେସ ତରଫରୁ ରାଜ୍ୟର ସମସ୍ତ ପରିବାରକୁ ୨୫ଲକ୍ଷ ଟଙ୍କାର ମାଗଣା ଚିକିତ୍ସା ପ୍ରଦାନ କରାଯିବାର ଗ୍ୟାରେଂଟି ଦିଆଯାଇଛି । ରାଜ୍ୟରେ ନିରାମୟ ଯୋଜନାରେ ସରକାରୀ ଡାକ୍ତରଖାନାରେ ମାଗଣା ଔଷଧ  ଦିଆଯିବାର ବ୍ୟବସ୍ଥାଟି ସଂପୂର୍ଣ୍ଣ ରୂପେ ଫେଲମାରିଥିଲା ବେଳେ ସୁନେତ୍ର ଯୋଜନା ଏକ ପ୍ରହେଳିକା ହୋଇ ରହିଯାଇଛି । ଏପ୍ରିଲ-୨୦୨୩ ମସିହାରେ ମାନ୍ୟବର ଓଡ଼ିଶା ହାଇକୋର୍ଟଙ୍କ ନିକଟରେ ସ୍ୱାସ୍ଥ୍ୟ ସଚିବ ସତ୍ୟପାଠ ଜରିଆରେ ଜଣାଇଥିଲେ ଯେ ଆଗାମୀ ୬ମାସ ମଧ୍ୟରେ ଅର୍ଥାତ ଅକ୍ଟୋବର ୨୦୨୩ ମସିହା ସୁଦ୍ଧା ରାଜ୍ୟରେ ୫ ହଜାର ଡାକ୍ତରଙ୍କୁ ନିଯୁକ୍ତି ପ୍ରଦାନ କରାଯିବ, ଯାହାକି ଆଜି ପର୍ଯ୍ୟନ୍ତ ସମ୍ଭବ ହୋଇପାରିଲା ନାହିଁ । ସ୍ୱାସ୍ଥ୍ୟ ଏକ ପଣ୍ୟ ନୁହେଁ ଏବଂ ରୋଗକୁ ନେଇ ବ୍ୟବସାୟ କରାଯିବା ମାନସିକତାର ବିରୁଦ୍ଧରେ କଂଗ୍ରେସ  ସବୁବେଳେ ସ୍ୱର ଉତୋଳନ କରିଆସିଛି । ଆଜିର ଦିନରେ ରାଜ୍ୟରେ ପ୍ରଚଳିତ ବିଏସକେୱାଇ କାର୍ଡରେ ଯେଉଁ କଟକଣା ରହିଛି ସେଥି ଯୋଗୁଁ ମଧ୍ୟବିତ ଓ ନିମ୍ନମଧ୍ୟବିତ ପରିବାରର ଅନେକ ଲୋକ ଏ ସୁବିଧାରୁ ବଂଚିତ ହେଉଛନ୍ତି । ତିନିଚକିଆ ଅଟୋ କିଣିବାପାଇଁ ଯଦି କେହି ଆୟକର ରିଟର୍ଣ୍ଣ ଦାଖଲ କରେ ତେବେ ସେ ଲୋକଟି ବିଏସକେୱାଇ କାର୍ଡରୁ ବଂଚିତ ହେଉଛି । ତୃତୀୟ ଓ ଚତୁର୍ଥ ଶ୍ରେଣୀ ସରକାରୀ କର୍ମଚାରୀ ବା ପେନସନ ଭୋଗି ବ୍ୟକ୍ତି ବିଶେଷ ମଧ୍ୟ ଏ କାର୍ଡର ସୁବିଧା ପାଇପାରୁନାହାନ୍ତି । ଏହା ସହିତ ବିଏସକେୱାଇ କାର୍ଡର ସହାୟତା ରାଶିର ସୀମା ବାର୍ଷିକ ୫ଲକ୍ଷ ଟଙ୍କା ଏବଂ ଖର୍ଚ୍ଚ ଉପରାନ୍ତେ ଯଦି ପରିବାରର କୌଣସି ମହିଳା ହୋଇଥାନ୍ତି ଆଉ ୫ଲକ୍ଷ ଟଙ୍କା ସହାୟତା ପ୍ରଦାନ କରାଯାଉଥିବା ବେଳେ କଂଗ୍ରେସର ଗ୍ୟାରେଂଟି-୨୫ଲକ୍ଷ ଟଙ୍କା ପ୍ରତ୍ୟେକ ପରିବାରର ସମସ୍ତ ସଦସ୍ୟଙ୍କୁ ବାର୍ଷିକ ମାଗଣା ଚିକିତ୍ସା ସରକାରୀ ଓ ବେସରକାରୀ ଡାକ୍ତରଖାନାରେ ପ୍ରଦାନ କରାଯିବ । ସରକାରୀ କର୍ମଚାରୀ, ପେନସନଭୋଗୀଙ୍କ ସମେତ ସମସ୍ତଙ୍କ ପାଇଁ ଏ  ମାଗଣା ଚିକିତ୍ସାର ବ୍ୟବସ୍ଥା କରାଯାଇଛି । ଆଜିର ଏହି ସାମ୍ବାଦିକ ସମ୍ମିଳନୀରେ ନଳିନୀକାନ୍ତ ନାୟକ ଏବଂ ଶୁଭେନ୍ଦୁ ଶେଖର ମଲ୍ଲିକ ଉପସ୍ଥିତ ଥିଲେ । 
(ପ୍ରଶାନ୍ତ ଶତପଥି)
ମୁଖପାତ୍ର, ଓପିସିସି