କୁକୁର କାମୁଡ଼ିଲେ କରନ୍ତୁ ଏହି ଉପାୟ

କୁକୁର କାମୁଡ଼ିଲେ କରନ୍ତୁ ଏହି ଉପାୟ

କୁକୁର କାମୁଡିଲେ ହାଇଡେ଼୍ରାଫୋବିଆ ଭଳି ମାରାତ୍ମକ ରୋଗ ହୋଇଥାଏ  । ତେବେ ରାସ୍ତାକଡରେ ବୁଲୁଥିବା କୁକୁରଙ୍କୁ କାବୁରେ ରଖିବା ଆମ ହାତରେ ନାହିଁ  । କିନ୍ତୁ ଏମାନେ କାମୁଡିବା ପରେ ଆମେ କଣ କରି ପାରିବା ତାହା ଆମ ହାତରେ ଅଛି  । ବେଳେ ବେଳେ ଏମିତି ପରିସ୍ଥିତ ହୋଇଥାଏ ଆମେ ତୁରନ୍ତ ଡାକ୍ତରଖାନାରେ ପହଂଚିପାରେନି  । ତେଣୁ ଡାକ୍ତରଖାନା ଯିବା ପୂର୍ବରୁ କିଛି ଘରୋଇ କିଛି ପ୍ରାଥମିକ ଉପଚାର କରିପାରିବେ, ଯାହାଦ୍ୱାରା ଆପଣଙ୍କ ଶରୀରରେ ଇନଫେକସନ୍ ହେବାରୁ ରୋକି ପାରିବେ  ।
ଯେଉଁ ଜାଗାରେ କୁକୁର କାମୁଡିଥିବ ପ୍ରଥମେ ସେ ସ୍ଥାନକୁ ଜୋର ଜୋରରେ ପାଣି ଛାଟି ଧୋଇ ସଫା କରିଦିଅନ୍ତୁ  । ଏଭଳି କରିବା ଦ୍ୱାରା ସେ ସ୍ଥାନରେ କୌଣସି ପ୍ରକାରର ଇନଫେକ୍ସନ ହେବାର ଆଶଙ୍କା କମ୍ ରହିଥାଏ ।
ସେହିଭଳି ଯଦି ଆପଣଙ୍କ ଘରେ ଆଂଟିବ୍ୟାକ୍ଟେରୀଆଲ ସାବୁନ ଥିବ, ତେବେ କୁକୁର କାମୁଡିଥିବା ଜାଗାରେ ଏହି ସାବୁନକୁ ଲଗାଇ ଉକ୍ତ ସ୍ଥାନଟିକୁ ଭଲଭାବରେ ସଫା କରିଦିଅନ୍ତୁ  । ଏହାଦ୍ୱାରା ମଧ୍ୟ ଆପଣଙ୍କୁ ବହୁତ ଫାଇଦା ମିଳିବ  । ଯଦି ଘରେ ସ୍ପିରିଟ୍ କିମ୍ବା ଆଲ୍କୋହଲ୍ ଥିବ ତେବେ ତାକୁ ବି କ୍ଷତ ସ୍ଥାନ ସଫା କରିବା ପାଇଁ ବ୍ୟବହାର କରିପାରିବେ  । ଆଉ ଏଭଳି କରିବାର ତୁରନ୍ତ ବାଦ୍ ଡାକ୍ତରଙ୍କ ସହ ଯୋଗାଯୋଗ କରିବା ନିହାତି ଆବଶ୍ୟକ  ।
ଏହାବ୍ୟତୀତ ଯଦି ଉକ୍ତ କ୍ଷତ ସ୍ଥାନରୁ ବହୁତ ଜୋରରେ ରକ୍ତସ୍ରାବ ହେଉଛି ତେବେ ଏଭଳି ପରିସ୍ଥିତିରେ ରକ୍ତକୁ ବନ୍ଦ କରିବା ପାଇଁ କ୍ଷତ ସ୍ଥାନକୁ ଏକ ସଫା କପଡାରେ ଜୋରରେ ବାନ୍ଧି ଦିଅନ୍ତୁ  । କୁକୁର କାମୁଡିବା ପରେ ସବୁଠୁ ଜରୁରୀ କଥା ହେଲା କି, କୁକୁର କାମୁଡିଥିବା ସ୍ଥାନକୁ ଭଲ ଭାବରେ ସଫା ରଖିବା , ଯାହାଦ୍ୱାରା କି ଇନଫେକ୍ସନ ହେବନାହିଁ  । କ୍ଷତ ସ୍ଥାନକୁ ସଫା କରି ତୁରନ୍ତ ଆଂଟିବାୟୋଟିକ୍ କ୍ରିମ ଲଗାନ୍ତୁ , ଯାହାଦ୍ୱାରା ଇନଫେକ୍ସନ ହେବାର ଆଶଙ୍କା କମ ରହିବ  ।
ସେହିଭଳି ଆଂଟିବାୟୋଟିକ୍ କ୍ରିମ ଲଗାଇବା ପରେ କ୍ଷତ ଜାଗାକୁ ବ୍ୟାଣ୍ଡେଜ୍ କପଡାରେ ଭଲ ଭାବରେ ବାନ୍ଧି ଦିଅନ୍ତୁ  । ଏହାଦ୍ୱାରା ଘାରେ କୌଣସି ପ୍ରକାରର ଇନଫେକ୍ସନ ହେବ ନାହିଁ  । ତେବେ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା ଏଭଳି କରିବାର ତୁରନ୍ତ ବାଦ୍ ଡାକ୍ତରଙ୍କ ପରାମର୍ଶ ଲୋଡିବା ନିହାତି ଜରୁରୀ । ହେଳା କରିବା ଉଚିତ୍ ନୁହେଁ ।