ଶୁଣିଲା ନାହିଁ ବନ ବିଭାଗ, ଶେଷରେ ଜାଲ ପକାଇ କୁମ୍ଭୀର ଧରିଲେ ମତ୍ସ୍ୟଜୀବୀ

ଶୁଣିଲା ନାହିଁ ବନ ବିଭାଗ, ଶେଷରେ ଜାଲ ପକାଇ କୁମ୍ଭୀର ଧରିଲେ ମତ୍ସ୍ୟଜୀବୀ

ଶୁଣିଲା ନାହିଁ ବନ ବିଭାଗ । ଅନାଇଲା ନାହିଁ ଜିଲ୍ଲା ପ୍ରଶାସନ । ଶେଷରେ ବାଧ୍ୟ ହୋଇ ଜୀବନକୁ ବାଜି ଲଗାଇ ମେଳି ବାନ୍ଧିଲେ କଣାସ ଅଂଚଳର ଶହ ଶହ ମତ୍ସ୍ୟଜୀବୀ । ନିଜେ କୁମ୍ଭୀରକୁ ଧରିବା ପାଇଁ କଲେ ପ୍ରୟାସ । ଆଉ ସଫଳ ମଧ୍ୟ ହେଲେ ।

ଦୀର୍ଘ ଦିନ ହେବ ସ୍ଥାନୀୟ ଅଂଚଳରେ ଆତଙ୍କ ଖେଳାଇ ଥିବା ଥଣ୍ଟିଆ କୁମ୍ଭୀର ଡରରେ ଜୀବନ ଜୀବିକା ଉପରେ ପଡୁଥିଲା ବହୁତ ପ୍ରଭାବ । ଶହ ଶହ ମତ୍ସ୍ୟଜୀବୀ ଦୟା, ମକରା ନଦୀ ଉପରେ ନିର୍ଭର କରି ଜୀବିକା ନିର୍ବାହ କରନ୍ତି । ମାଛ ଧରିଲେ ପରିବାର ପ୍ରତିପୋଷଣ କରନ୍ତି ଏଠାକାର ମତ୍ସ୍ୟଜୀବୀ । କିନ୍ତୁ ନଦୀରେ କୁମ୍ଭୀର ଆସିବା ଦିନ ଠାରୁ ଭୟରେ ନଦୀକୁ ଯାଉ ନଥିଲେ ମତ୍ସ୍ୟଜୀବୀ । ଅପେକ୍ଷା କରିଥିଲେ ବନ ବିଭାଗ କେବେ ଧରିବ କୁମ୍ଭୀରକୁ । କିନ୍ତୁ ଅଭିଯୋଗ, ଅଭିଯୋଗ ବାଟରେ ଥିବା ବେଳେ ଦିନକୁ ଦିନ କୁମ୍ଭୀର କରୁଥିଲା ତାର କାୟା ବିସ୍ତାର । ଏହି ନଦୀ ଦେଇ ଶହ ଶହ ଡ଼ଙ୍ଗା ଚିଲିକା ଯାଉଥିଲେ, ସେମାନେ ବି ଭୟରେ ଚିଲିକାକୁ ମାଛ ଧରିଯିବା ବନ୍ଦ କରି ଦେଇଥିଲେ । ଶନିବାର ସକାଳୁ ବାଧ୍ୟ ହୋଇ ମେଳି ବାନ୍ଧିଲେ ଏକାଧିକ ମତ୍ସ୍ୟଜୀବୀ, ଏକାଠି ହୋଇ ଦୟାନଦୀରେ ଜାଲ ବିଛାଇବା ଆରମ୍ଭ କରିଥିଲେ । କୁମ୍ଭୀର ଧରିବା ଅଭିଯାନ ଶେଷରେ ସଫଳ ହେଲା । କଣାସ ଚୂପୁରୁଙ୍ଗି ନିକଟ ଦୟାନଦୀ ମଝିରୁ ଧରା ହେଲା କୁମ୍ଭୀର । ବିଡମ୍ବନାର ବିଷୟ ଏ ପର‌୍ୟ୍ୟନ୍ତ କିନ୍ତୁ ବନ ବିଭାଗର ଦେଖା ଦର୍ଶନ ନାହିଁ ଫଳରେ ଜୀବନକୁ ବାଜି ଲଗାଇ ଧରିଥିବା ଘଡିଆଳକୁ କେଉଁଠି ଛାଡିବେ ବୋଲି ଅଂଚଳ ବାସି ଦୁଃଖ ପ୍ରକାଶ କରିଛନ୍ତି ।