ଦର ଲଗାମ ଛଡ଼ା: ଅଦା କିଲୋ ୩୦୦ ଟଙ୍କା

ଦର ଲଗାମ ଛଡ଼ା: ଅଦା କିଲୋ ୩୦୦ ଟଙ୍କା

ଭୁବନେଶ୍ବର : ରାଜଧାନୀ ବଜାରରେ କିଲୋ ୩୦୦ ଟଙ୍କାରେ ବିକ୍ରି ହେଉଛି ଅଦା। ଅବସ୍ଥା ଏଭଳି ହେଲାଣି ଯେ ଗରିବ ଓ ମଧ୍ୟବିତ୍ତ ପରିବାର ଏହା ଉପରୁ ମୁହଁ ଫେରାଇ ନେଇଛନ୍ତି। ବର୍ଷ ତମାମ କୋରାପୁଟ ଚାଷୀ ୮ରୁ ୧୦ ଟଙ୍କାରେ ବ୍ୟବସାୟୀଙ୍କୁ ଅଦା ବିକ୍ରି କରନ୍ତି। ଗତ ମାସରେ ବ୍ୟବସାୟୀମାନେ ୧୬୦ରୁ ୨୦୦ ଟଙ୍କାରେ ଓଡ଼ିଶା ଅଦା କ୍ରୟ କରି ନେଇଥିଲେ। ଏଥିଯୋଗୁଁ ଚାଷୀଙ୍କ ଖୁସି କାହିଁରେ କେତେ ବଢ଼ି ଯାଇଥିଲା। କିନ୍ତୁ ସେହି ଅଦା ଉତ୍ତରପ୍ରଦେଶକୁ ବିହନ ଭାବରେ ବ୍ୟବହାର ପାଇଁ ବିକ୍ରି କରି ଦିଆଗଲା। ଫଳରେ ବର୍ତ୍ତମାନ ଓଡ଼ିଶା ବଜାରରେ ସ୍ଥାନୀୟ ଅଦା ନଥିବାରୁ ଦର ଲଗାମ ଛଡ଼ା ହୋଇ ଯାଇଛି।
କୃଷି ବିଭାଗର ସୂଚନା ଅନୁସାରେ, ରାଜ୍ୟରେ ୧୧ ହଜାର ହେକ୍ଟର ଜମିରେ ଅଦା ଚାଷ ହୋଇ ସମୁଦାୟ ମାତ୍ର ୩୯ ହଜାର ମେଟ୍ରିକ ଟନ୍‌ ଉତ୍ପାଦନ ହୋଇଥାଏ। ତେଣୁ ଯେଉଁ ସମୟରେ ସ୍ଥାନୀୟ ଉତ୍ପାଦନ ବଜାରକୁ ଆସି ପାରୁନାହିଁ ଦର ଏଭଳି ଅଚାନକ ବଢ଼ାଇ ଦିଆଯାଉଥିବା କିଛି ବିଶେଷଜ୍ଞ ମତ ଦେଉଛନ୍ତି। ଚାଷୀଙ୍କ କହିବା ଅନୁସାରେ, ଅଦା ଉତ୍ପାଦନ ବୃଦ୍ଧି ପାଇଁ ସରକାରଙ୍କ ପକ୍ଷରୁ ହେକ୍ଟର ପିଛା ୨ ଲକ୍ଷ ୫୦ ହଜାର ଟଙ୍କାର ପ୍ରୋତ୍ସାହନ ରାଶି ଦିଆଯାଏ। ଉପର ଠାଉରିଆ ଭାବେ ଦେଖିଲେ, ଏହା ରାଜ୍ୟ ସରକାରଙ୍କ ଚାଷୀ ସପକ୍ଷବାଦୀ ନୀତି। କିନ୍ତୁ ବାସ୍ତବତା ହେଲା, ୨ ଲକ୍ଷ ୫୦ ହଜାର ଟଙ୍କା ମଧ୍ୟରୁ ପ୍ରାୟ ୨ ଲକ୍ଷ ୧୫ ହଜାର ଟଙ୍କା କେବଳ ବିହନରେ ଖର୍ଚ୍ଚ ହୁଏ। ଯାହା ସରକାର ଚାଷୀଙ୍କୁ ଦେଇଥାଆନ୍ତି। ଅଦା ବିହନ ଉତ୍ପାଦନରେ କୋରାପୁଟ ଏବଂ ରାୟଗଡ଼ାରେ ସମସ୍ତ ଭିତ୍ତିଭୂମି ଥିବା ସତ୍ତ୍ବେ ଅଦା ବିହନ ଏଠାରେ ଉତ୍ପାଦିତ ହୁଏ ନାହିଁ। ତାହା ଉତ୍ତରପ୍ରଦେଶରୁ ଆସିଥାଏ।

ଚଳିତ ବର୍ଷ ପୁଣି ସରକାରଙ୍କ ପକ୍ଷରୁ ଚାଷୀଙ୍କୁ ଆବଶ୍ୟକତା ଅନୁସାରେ ଅଦା ବିହନ ଯୋଗାଣ କରାଯାଇ ପାରିନଥିବାରୁ ଚାଷ ବାଧାପ୍ରାପ୍ତ ହୋଇଥିଲା। ଏଥିଯୋଗୁଁ ଉତ୍ପାଦନ ବାଧାପ୍ରାପ୍ତର ଆଶଙ୍କା ରହିଛି। 

COMMENTS